ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ମାମଲା: ପ୍ରିୟଙ୍କା ଓ AAPକୁ ନିର୍ବାଚନ ଆୟୋଗର ନୋଟିସ

author img

By ETV Bharat Odisha Team

Published : Nov 14, 2023, 10:31 PM IST

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭିତ୍ତିହୀନ ମନ୍ତବ୍ୟ ଅଭିଯୋଗରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ ଆମ ଆଦମୀ ପାର୍ଟିକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ: ପ୍ରିୟଙ୍କା ଓ AAP କୁ ନିର୍ବାଚନ ଆୟୋଗର ନୋଟିସ
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ: ପ୍ରିୟଙ୍କା ଓ AAP କୁ ନିର୍ବାଚନ ଆୟୋଗର ନୋଟିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆଧାରହୀନ ଅଭିଯୋଗ ଆଣିବା ଓ ମିଥ୍ୟା ମନ୍ତବ୍ୟ ଦେବା ମାମଲାରେ ନିର୍ବାଚନ ଆୟୋଗ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି । ସେହିପରି ସମାନ ଅଭିଯୋଗ ସହ ଆଉ ଏକ ନୋଟିସ ମଧ୍ୟ ଆମ ଆଦମୀ ପାର୍ଟି (AAP)କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଛି । ଆମ ଆଦମୀ ପାର୍ଟି ନିଜ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କିଛି ଅପମାନଜନକ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ କରିଥିବା ବିଜେପି ।

ପ୍ରିୟଙ୍କାଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା । ପ୍ରିୟଙ୍କା ମଧ୍ୟପ୍ରଦେଶରେ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ କିଛି ଭିତ୍ତିହୀନ ଅଭିଯୋଗ ଆଣି ସମାଲୋଚନା କରିଥିଲେ । ପବ୍ଲିକ ସେକ୍ଟର ଅଣ୍ଡରଟେକିଂକୁ ମୋଦି ସରକାର ଘରୋଇକରଣ କରିବାରେ ଲାଗିଥିବା ପ୍ରିୟଙ୍କା କହିଥିବା ବିଜେପି ଅଭିଯୋଗ କରିଥିଲା । ଅଭିଯୋଗକୁ ଗ୍ରହଣ କରିବା ସହ ଗୁରୁବାର ସଂଧ୍ୟା ସୁଦ୍ଧା ଉତ୍ତର ରଖିବା ପାଇଁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସରେ ପ୍ରିୟଙ୍କାଙ୍କୁ ସମୟ ଦେଇଛନ୍ତି ।

ସେହିପରି ଦିଲ୍ଲୀରେ ଶାସନରେ ଥିବା କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି ଗତ 10 ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ଆପତ୍ତିଜନକ ଭିଡିଓ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ଏହା ଅତି ଅନୈତିକ ଓ ଅଗ୍ରହଣୀୟ ବୋଲି ବିଜେପି ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ନିର୍ବାଚନ ଆୟୋଗ ଏହି ମାମଲାରେ ଆମ ଆଦମୀ ପାର୍ଟିକୁ ଗୁରୁବାର ସଂଧ୍ୟା ମଧ୍ୟରେ ନିଜ ପକ୍ଷ ରଖିବା ପାଇଁ କହିଛନ୍ତି । ଏହି ମାମଲାରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ:- କୁକୁର କାମୁଡିଲେ କ୍ଷତିପୂରଣ ଦେବ ପଞ୍ଜାବ ଓ ହରିୟାଣା ସରକାର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

5 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପ୍ରଚାର ଜାରି ରଖିଛନ୍ତି । ପରସ୍ପର ଉପରେ ନିର୍ବଚନୀ ଆକ୍ରମଣ ମଧ୍ୟ ଜାରି ରଖିଛନ୍ତି । ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହେଉଥିବା ନେଇ ମଧ୍ୟ ପ୍ରାୟ ସମସ୍ତ ପକ୍ଷରୁ ଅରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ଉଭୟ ପ୍ରିୟଙ୍କା ଓ ଆମ ଆଦମୀ ପାର୍ଟିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହା ପୂର୍ବରୁ ‘ଆକବର’ ମନ୍ତବ୍ୟରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ନୋଟିସ ଜାରି କରିଥିଲେ ନିର୍ବାଚନ ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.