ETV Bharat / bharat

Manipur Violence: ମଣିପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ବୋମାମାଡ

author img

By

Published : Jun 16, 2023, 10:01 AM IST

ମଣିପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ବୋମାମାଡ
ମଣିପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ବୋମାମାଡ

ମଣିପୁରରେ ଥମୁନି ହିଂସା । କେନ୍ଦ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଇମ୍ଫାଲ ସ୍ଥିତ ଘରକୁ ବୋମାମାଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅଶାନ୍ତ ମଣିପୁରରେ ହିଂସା ଥମିବାର ନା ନେଉନି, ବରଂ ତେଜିବାରେ ଲାଗିଛି । ଉପଦ୍ରବୀମାନେ ରାଜନେତା ଓ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି । ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଥିବା ବେଳେ ଗତକାଲି ରାତିରେ କିଛି ଦୁର୍ବୃତ୍ତ କେନ୍ଦ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଘରକୁ ବୋମାମାଡ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଇମ୍ଫାଲ କଙ୍ଗବା ସ୍ଥିତ ବାସଭବନ ଉପରେ ପେଟ୍ରୋଲ ବୋମା ମାଡ ହୋଇଛି । ଏଥିରେ ଘରର ତଳ ଓ ପ୍ରଥମ ମହଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି ।

କେନ୍ଦ୍ରମନ୍ତ୍ରୀ ରାଜକୁମାର ବର୍ତ୍ତମାନ କେରଳରେ ଥିବାବେଳେ ତାଙ୍କ ଘର ଉପରେ ବୋମାମାଡ ହୋଇଛି । ଏହି ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗତକାଲି ରାତି ପ୍ରାୟ 10ଟା ବେଳେ 50ରୁ ଅଧିକ ଦୁର୍ବୃତ୍ତ ମୋ ଘର ଉପରେ ଆକ୍ରମଣ କରିଛନ୍ତି । ଘରର ତଳ ଓ ପ୍ରଥମ ମହଲା କ୍ଷତିଗ୍ରସ୍ତ ହୋଇଛି । ବୋମାମାଡ ସମୟରେ ମୁଁ କିମ୍ବା ମୋ ପରିବାରର କେହି ସଦସ୍ୟ ଘରେ ନଥିଲେ । କେହି ମୃତାହତ ହୋଇନଥିବାରୁ ଭଗବାନଙ୍କୁ ଧନ୍ୟବାଦ । କେନ୍ଦ୍ରମନ୍ତ୍ରୀ ମେଇତି ସମ୍ପ୍ରଦାୟର ହୋଇଥିବା ବେଳେ ଉଭୟ ପକ୍ଷକୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ।

ଏହାପୂର୍ବରୁ ବୁଧବାର ସନ୍ଧ୍ୟାରେ ମଣିପୁରର ଏକମାତ୍ର ମହିଳା ମନ୍ତ୍ରୀ ନେମଚା କିପଗେନଙ୍କ ବାସଭବନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ଘରେ କେହି ନଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଦେଇଥିଲେ । ଏହାପରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କେନ୍ଦ୍ରମନ୍ତ୍ରୀ ରାଜକୁମାରଙ୍କ ଘରେ ଭିତରେ ଧସେଇ ପଶି ସମ୍ପତ୍ତି ଜାଳିବାକୁ ଚେଷ୍ଟା କରିଥିଲେ । ଦୁର୍ବୃତ୍ତମାନେ ପେଟ୍ରୋଲ ବୋମାମାଡ କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବାକୁ ଇମ୍ଫାଲ ପୂର୍ବ ପୋଲିସ ମନ୍ତ୍ରୀଙ୍କ ବାସଭବନ ନିକଟରେ ଆନ୍ଦୋଳକାରୀଙ୍କ ଉପରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି ।

ଏହାମଧ୍ୟ ପଢନ୍ତୁ: Manipur Violence: ମନ୍ତ୍ରୀଙ୍କ ଘର ଜାଳିଦେଲେ ଉପଦ୍ରବୀ

ଗତ 14 ତାରିଖ ଦିନ ଇମ୍ଫାଲ ପୂର୍ବ ଜିଲ୍ଲାରେ ହିଂସା ଘଟି 9 ଜଣଙ୍କର ମୃତ୍ୟୁ ହୋଇଥିଲା । 10ରୁ ଅଧିକ ଆହତ ହୋଇଥିଲେ । ସ୍ଥିତି ସୁଧୁରୁ ନଥିବାରୁ ମଣିପୁର ସରକାର ରାଜ୍ୟରେ ଇଣ୍ଟରନେଟ ସେବା କଟକଣା 20 ତାରିଖ ଯାଏଁ ବନ୍ଦ କରିଛନ୍ତି । କହିରଖୁଛୁ କି, ମେଇତି ସମୁଦାୟର ଲୋକେ ସେମାନଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଥିବା ବେଳେ କୁକି ସମ୍ପ୍ରଦାୟ ଏହାକୁ କଡା ବିରୋଧ କରୁଛନ୍ତି । ଯାହାକୁ ନେଇ ମାସେରୁ ଅଧିକ ସମୟ ହେଲାଣି ରାଜ୍ୟରେ ହିଂସା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.