ETV Bharat / bharat

Manipur Violence: ମନ୍ତ୍ରୀଙ୍କ ଘର ଜାଳିଦେଲେ ଉପଦ୍ରବୀ

author img

By

Published : Jun 15, 2023, 12:00 PM IST

ମଣିପୁରରେ ତେଜିବାରେ ଲାଗିଛି ହିଂସା । ରାଜ୍ୟର ଏକମାତ୍ର ମହିଳା ମନ୍ତ୍ରୀଙ୍କ ଘର ଜାଳିଦେଲେ ଉପଦ୍ରବୀ । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ଘର ଜାଳିଦେଲେ ଉପଦ୍ରବୀ
ମନ୍ତ୍ରୀଙ୍କ ଘର ଜାଳିଦେଲେ ଉପଦ୍ରବୀ

ଇମ୍ଫାଲ: ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅଶାନ୍ତ ରହିଛି ମଣିପୁର । ରାଜ୍ୟରେ ହିଂସା ତେଜିବାରେ ଲାଗିଛି । ଦିନକ ତଳେ ଚର୍ଚ୍ଚରେ ଗୁଳିମାଡ଼ ପରେ ଏବେ ମଣିପୁରର ଏକମାତ୍ର ମହିଳା ମନ୍ତ୍ରୀ ନେମଚା କିପଗେନଙ୍କ ସରକାରୀ ବାସଭବନରେ ନିଆଁ ଲଗାଇଛନ୍ତି ଉପଦ୍ରବୀ । ବୁଧବାର ସନ୍ଧ୍ୟାରେ କିଛି ଉପଦ୍ରବୀ ମନ୍ତ୍ରୀଙ୍କ ଇମ୍ଫାଲ ସ୍ଥିତ ସରକାରୀ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ଘରେ କେହି ନଥିଲେ ।

ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସାଢେ ୬ଟା ସମୟରେ ମଣିପୁରର ଶିଳ୍ପ ମନ୍ତ୍ରୀ ତଥା ବିଜେପି ନେତ୍ରୀ ନେମଚା କିଙ୍ଗପେନଙ୍କ ଲାମ୍ଫେଲସ୍ଥିତ ବାସଭବନରେ ଦୁର୍ବୃତ୍ତମାନେ ନିଆଁ ଲଗାଇଥିଲେ । ସୌଭାଗ୍ୟବଶତଃ ସେହି ସମୟରେ ଘରେ କେହି ନଥିଲେ । ଯେଉଁ କାରଣରୁ ଏକ ବଡ ଅଘଟଣ ଟଳି ଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇବା ପଛରେ କେଉଁ ଗୋଷ୍ଠୀର ହାତ ରହିଛି ତାହା ଏ ଯାଏଁ ଜଣାପଡିନି ।

ହିଂସା କ୍ଷତିଗ୍ରସ୍ତ ମଣିପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ମଙ୍ଗଳବାର ଦିନ କାଙ୍ଗପୋକପି ଜିଲ୍ଲାରେ ସାନି ହିଂସା ଦେଖାଯାଇଥିଲା । କିଛି ଦୁର୍ବୃତ୍ତ ଚର୍ଚ୍ଚରେ ପଶି ଗୁଳିମାଡ଼ କରିବାରୁ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଏକାଧିକ ଲୋକେ ଆହତ ହୋଇଥିଲେ । ସେହିପରି ଦୁର୍ବୃତ୍ତମାନେ ଖାମେନଲୋକ ଗାଁର କିଛି ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ମଧ୍ୟ ଅନେକ ଲୋକ ଆହତ ହୋଇଥିଲେ । ମାସେରୁ ଅଧିକ ଦିନ ହେଲାଣି ଏହି ପୂର୍ବୋତ୍ତର ରାଜ୍ୟରେ ହିଂସା ପରିସ୍ଥିତି ଲାଗି ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଇମ୍ଫାଲ ପୂର୍ବ ଜିଲ୍ଲାର ତେଙ୍ଗନୋଉପାଲ ଅଞ୍ଚଳରୁ ୬୩ଟି ଗୋଳା ବାରୁଦ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ : Manipur Violence: ଚର୍ଚ୍ଚରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ, ୯ ମୃତ

ମଣିପୁର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହଙ୍କ ଅନୁଯାୟୀ, ଏଯାବତ୍ ୧,୦୪୦ ଅସ୍ତ୍ରଶସ୍ତ୍ର, ୧୩,୬୦୧ ଗୋଳାବାରୁଦ, ୨୩୦ଟି ବିଭିନ୍ନ ପ୍ରକାର ବୋମା ଉଦ୍ଧାର କରାଯାଇ ପାରିଛି । ଇମ୍ଫାଲ ପୂର୍ବ ଜିଲ୍ଲାରେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ସାମାନ୍ୟ କୋହଳ କରାଯାଇଛି । ଇମ୍ଫାଲ ପଶ୍ଚିମରେ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ ଲାଗିଛି । ରାଜ୍ୟର ୧୬ଟି ଜିଲ୍ଲାରୁ ୧୧ଟି ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.