ETV Bharat / bharat

Parliament Monsoon Session: ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ ଅଧିବେଶନ

author img

By

Published : Jul 9, 2022, 7:24 AM IST

Parliaments Monsoon Session: କୋଭିଡ କଟକଣା ମଧ୍ୟରେ ହେବ ଅଧିବେଶନ
Parliaments Monsoon Session: କୋଭିଡ କଟକଣା ମଧ୍ୟରେ ହେବ ଅଧିବେଶନ

ସମ୍ପୂର୍ଣ୍ଣ କୋଭିଡ ପ୍ରୋଟୋକଲ ମଧ୍ୟରେ ହେବ ସଂସଦ ମୌସୁମୀ ଅଧିବେଶନ । ସଦସ୍ୟଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ସାମାଜିକ ଦୂରତାକୁ ପ୍ରାଧାନ୍ୟ । ଜୁଲାଇ 18ରୁ ଆରମ୍ଭ ହେଉଛି ଚଳିତ ମୌସୁମୀ ଅଧିବେଶନ। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ସଂସଦ ମୌସୁମୀ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ ପ୍ରୋଟୋକଲ ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯିବ । ସଦସ୍ୟମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସ୍ବତନ୍ତ୍ର ଆସନ ବ୍ୟବସ୍ଥା ଓ ଅନ୍ୟ ସମସ୍ତ କୋଭିଡ ସତର୍କବଳୀ ମଧ୍ୟ ପାଳନ କରାଯିବ । ଗତକାଲି ନୂତନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟଙ୍କୁ ଶପଥ ପାଠ କରାଇବା ବେଳେ ଏନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷା ତଥା ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ମିଳିଥିବା ସୂଚନା ଅନୁସାରେ, ଏହି ବ୍ୟବସ୍ଥା ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ କାର୍ଯ୍ୟକାରୀ ହେବ । ସଦସ୍ୟମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ, ସାଂସଦଙ୍କ ବସିବା ସ୍ଥାନ ଭିଜିଟର ଓ ପ୍ରେସ ଗ୍ୟାଲେରୀରେ ସ୍ବାଭାବିକ ସିଟ ପରିବର୍ତ୍ତେ ସ୍ବତନ୍ତ୍ର ସିଟିଂ ଆରେଞ୍ଜମେଣ୍ଟ କରାଯିବ । ସେହିପରି ଗୃହରେ ଅଂଶଗ୍ରହଣ କରିବା ସମୟରେ ସାଂସଦମାନେ ମଧ୍ୟ ଫେସମାସ୍କ ବ୍ୟବହାର କରିବେ । ସଂଦସ୍ୟ ଓ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ମୋଟ 80 ପ୍ରତିଶତ ବୁଷ୍ଟର ଡୋଜ ସମେତ କୋଭିଡ ଟିକାର ଦୁଇଟି ଡୋଜ ମଧ୍ୟ ଗ୍ରହଣ କରିସାରିଛନ୍ତି ।

ତେବେ ସମସ୍ତ ସଦସ୍ୟଙ୍କୁ ଏକକାଳୀନ ସାମାଜିକ ଦୂରତା ବଜାୟ ରଖି ବସାଇବା ସମ୍ଭବପର ହୋଇ ନଥିବା ଯୋଗୁ ରାଜ୍ୟସଭା ଚାମ୍ବରରେ 60 ପ୍ରତିଶତ ସାଂସଦ ଓ ଲୋକସଭା ଚାମ୍ବରରେ 132 ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା ରହିବ । ସେହିପରି ଅବଶିଷ୍ଟ ସଦସ୍ୟଙ୍କୁ ଉଭୟ ଗୃହର ଭିଜିଟର ଗ୍ୟାଲେରୀରେ ବସିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ସଂସଦ ଭବନ ପରିସରରେ ଭିଡ ହ୍ରାସ କରିବା ପାଇଁ ସାଂସଦ ଓ ମନ୍ତ୍ରୀମାନଙ୍କ ସହଯୋଗୀ ଓ ଅନ୍ୟ ଷ୍ଟାଫମାନଙ୍କ ପ୍ରବେଶ ଉପରେ ମଧ୍ୟ ସାମାନ୍ୟ କଟକଣା ଲାଗିପାରେ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୂର୍ବ ତୂଳନାରେ ଅଳ୍ପ ଲୋକଙ୍କୁ ହିଁ ସଂସଦ ପରିସରକୁ ଯିବା ପାଇଁ ଅନୁମତି ମିଳିବ ।

ସଂସଦ ମୌସୁମୀ ଅଧିବେଶନ ଚଳିତ ମାସ (ଜୁଲାଇ) 18 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 6 ରେ ଶେଷ ହେବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏହି ଅଧିବେଶନ ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ହେବାକୁ ଯାଉଛି । କୋଭିଡ ସଂକ୍ରମଣ କାରଣରୁ 2021 ଡିସେମ୍ବର ଶୀତ ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ 2022 ବଜେଟ ଅଧିବେଶନ ସହ ମଧ୍ୟ ସାମିଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.