ETV Bharat / bharat

ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଗଲାଣି ୬୬ରୁ ଅଧିକ ଜୀବନ

author img

By

Published : Aug 16, 2023, 11:59 AM IST

ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ
ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ

ହିମାଚଳ ଓ ଉତ୍ତରାଖଣ୍ଡରେ ପ୍ରକୃତିର ଭୟଙ୍କର ରୂପ । ଏବେ ସୁଦ୍ଧା ଗଲାଣି ୬୬ରୁ ଅଧିକ ଜୀବନ । ଅଧିକ ପଢନ୍ତୁ

ଶିମଲା: ଦେବଭୂମି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି । ପ୍ରବଳ ବର୍ଷା ଓ ଭୂସ୍ଖଳନରେ ବେହାଲ୍ ହୋଇଯାଇଛି ଦୁଇ ରାଜ୍ୟ । ଆଖି ପିଛୁଳାକେ ବଡ ବଡ ଅଟ୍ଟାଳିକା ମାଟିରେ ମିଶିଯାଉଛି । ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଏବେ ସୁଦ୍ଧା ଉତ୍ତରାଖଣ୍ଡ ଓ ହିମାଚଳରେ ୬୬ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଲାଣି । ବିଭିନ୍ନ ସ୍ଥାନରେ ଭଙ୍ଗା କୋଠା ତଳୁ ମୃତଦେହ ଗୁଡିକ ଉଦ୍ଧାର ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏବେ ବି ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ୧୩ରୁ ହିମାଚଳରେ ମୂଷଳ ଧାରାରେ ବର୍ଷା ହେଉଛି । ଏହା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ପରିସ୍ଥିତି ସଙ୍ଗୀନ ରହିଛି । ବର୍ଷା ଆରମ୍ଭରୁ ମାତ୍ର ୩ ଦିନ ଭିତରେ ଏହି ରାଜ୍ୟରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସୂଚନା ଦେଇଛନ୍ତି । ଅନେକ ସ୍ଥାନରେ ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ସେହିପରି ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ୬ ଜଣଙ୍କ ପ୍ରାଣହାନୀ ଖବର ମିଳିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଶିବ ମନ୍ଦିର ଭୂସ୍ଖଳନ ମୃତ୍ୟୁସଂଖ୍ୟା ବୃଦ୍ଧି: ଗତ ସୋମବାର ଦିନ ଶିମଲାର ସମରହିଲ ଅଞ୍ଚଳରେ ଭୁଶୁଡି ପଡିଥିବା ଶିବ ମନ୍ଦିରରେ ଆଜି ତୃତୀୟ ଦିନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ମନ୍ଦିରର ଭଗ୍ନାବଶେଷ ତଳୁ ଏବେସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଲୋକେ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ରେସ୍କ୍ୟୁ ଅପେରସନ ଚାଲିଥିବା ବେଳେ ରାତି ପାଇଁ ଏହାକୁ ବନ୍ଦ ରଖାଯାଇଥିଲା । ଆଜି ସକାଳ ସାଢେ ୭ଟାରୁ ପୁଣିଥରେ ଖୋଜାଖୋଜି ଆରମ୍ଭ ହୋଇଛି ।

ଏହାମଧ୍ୟ ପଢନ୍ତୁ: Shimla Landslide: ଭୂସ୍ଖଳନରେ ଭୁଶୁଡିଲା ଶିବ ମନ୍ଦିର, 9 ମୃତ ଫସିଛନ୍ତି 30 ଶ୍ରଦ୍ଧାଳୁ

ହିମାଚଳ ପ୍ରଦେଶରେ ଲଗାତାର ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳୁଛି । ଗତ ଜୁଲାଇ ମାସରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପୁରା ରାଜ୍ୟରେ ଜଳପ୍ରଳୟ ଆସିଥିଲା । ଘରଦ୍ବାର, ରାସ୍ତାଘାଟ ଭାସି ଯାଇଥିଲା । ପାହାଡରୁ ପଥର ଖସି ରାସ୍ତା ଜାମ୍ ହୋଇଥିଲା । ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତାରେ ଯାତାୟତ ପୁରାପୁରି ବନ୍ଦ ରହିଥିଲା । ୭୦୦ରୁ ଅଧିକ ବାସଗୃହ ବନ୍ୟାଜଳରେ ଧୋଇ ଯାଇଥିବା ବେଳେ ୭ ହଜାରରୁ ଅଧିକ ଘର ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ପାଖାପାଖି ୨୦୦ ଲୋକଙ୍କ ଜୀବନ ଯାଇଥିଲା । ପୁଣି ଚଳିତ ମାସରେ ମଧ୍ୟ ଲଗାଣ ବର୍ଷା ରାଜ୍ୟ ପାଇଁ ବିପର୍ଯ୍ୟୟ ଆଣିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.