ETV Bharat / bharat

Odia Food and Craft Mela: ହାଇଦ୍ରାବାଦରେ ମହକିଲା ଓଡ଼ିଆ ପିଠାର ବାସ୍ନା

author img

By

Published : Feb 11, 2023, 11:07 PM IST

Updated : Feb 12, 2023, 5:45 PM IST

ଓଡ଼ିଆ ଘରର ଖାଦ୍ୟ ଓ କଳାକୁ ନେଇ ହାଇଦ୍ରାବାଦର ଶିଳ୍ପାରମାମଠାରେ ଆୟୋଜିତ ହୋଇଛି ୨ ଦିନିଆ ଓଡି଼ଆ ଫୁଡ ଆଣ୍ଡ କ୍ରାଫ୍ଟ ମେଳା । କଳିଙ୍ଗ ସ୍ବରାଜ women's wings ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

Odia Food and Craft Mela
Odia Food and Craft Mela

Odia Food and Craft Mela: ହାଇଦ୍ରାବାଦରେ ମହକିଲା ଓଡ଼ିଆ ପିଠାର ବାସ୍ନା

ହାଇଦ୍ରାବାଦ: ଓଡ଼ିଆ ଘରର ଖାଦ୍ୟ ଓ କଳାକୁ ନେଇ ହାଇଦ୍ରାବାଦର ଶିଳ୍ପାରମମଠାରେ ଆୟୋଜିତ ହୋଇଛି ୨ ଦିନିଆ ଓଡି଼ଆ ଫୁଡ ଆଣ୍ଡ କ୍ରାଫ୍ଟ ମେଳା (Odia Food and Craft Mela) । କଳିଙ୍ଗ ସ୍ବରାଜ ୱେମେନ୍ସ ୱିଙ୍ଗ୍‌ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ସାମିଲ ହୋଇଛନ୍ତି । ଫେବୃଆରୀ ୧୧ ଓ ୧୨ ତାରିଖ ୨ଦିନ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେଲେଙ୍ଗାନା ସରକାରଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ଆଇଏସ ଅଫିସର ଵି.ପି. ଆଚାର୍ଯ୍ୟ ଏହି ମେଳାକୁ ଶନିବାର ଉଦଘାଟନ କରିଛନ୍ତି ।

ହାଇଦ୍ରାବାଦର ମାଧପୁର ନିକଟରେ ରହିଥିବା ଶିଳ୍ପାରମମଠାରେ ଏହି ଫୁଡ କ୍ରାଫ୍ଟ ମେଳାର ଆୟୋଜନ କରାଯାଇଛି । ଏଥିରେ ଓଡ଼ିଆ ଖାଦ୍ୟ ସହିତ ପାରମ୍ପରିକ ବସ୍ତ୍ର ପ୍ରଦର୍ଶନୀ, କଳା ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଓଡ଼ିଶା କଳା, ସଂସ୍କୃତି ଐତିହ୍ୟ ଲାଗି ରାଜ୍ୟ ବାହାରେ ମଧ୍ୟ ପରିଚିତ । ତେବେ ଏହାକୁ ଆହୁରି ଅଧିକ ପ୍ରୋତ୍ସାହିତ କରିବା ଲାଗି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏହି କ୍ରାଫ୍ଟ ମେଳାରେ ଆୟୋଜନ କରାଯାଇଛି । ଫେବୃଆରୀ ୧୧ ଓ ୧୨ ତାରିଖ ୨ଦିନ ଧରି ଶିଳ୍ପାରମମଠାରେ ଏହାର ଆୟୋଜନ କରାଯାଇଛି ।

୨ଦିନ ଧରି ଚାଲିବ କାର୍ଯ୍ୟକ୍ରମ:- ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୨୦ଜଣ କଳାକାର ଭାଗ ନେଇଛନ୍ତି । କଂସା ବାସନ, ପଟ୍ଟଚିତ୍ର ଶାଢୀ, ସମ୍ବଲପୁରୀ ଇକତ, ନୂଆପାଟଣା ଶାଢୀ, ପିପିଲି ଚାନ୍ଦୁଆ, ବ୍ରହ୍ମପୁରୀ ପଟୁ ଆଦି ବିକ୍ରି ହେଉଛି । ଏଥିରେ ଓଡ଼ିଆ ଓ ଅଣଓଡ଼ିଆ ସାମିଲ ହୋଇଛନ୍ତି । ଅଣଓଡ଼ିଆମାନେ ଓଡ଼ିଶାର କଳା ସଂସ୍କୃତିକୁ ବେଶ ପସନ୍ଦ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି । ଏହି ମେଳାରେ ପାରମ୍ପରିକ ଶସ୍ୟ ମାଣ୍ଡିଆରୁ ପ୍ରସ୍ତୁତ ଅନେକ ଖାଦ୍ୟ ପଦାର୍ଥ ମଧ୍ୟ ରହିଛି ।

ଚମକିଲେ ଓଡ଼ିଆ କାରିଗର:- ଓଡ଼ିଶାର କାରିଗର ଏବଂ ବୁଣାକାରମାନେ ହସ୍ତତନ୍ତ ଏବଂ ବିଭିନ୍ନ ପ୍ରକାରର ବସ୍ତ୍ରର ସମ୍ଭାର ଆଣିଥିଲେ, ଯେଉଁଥିରେ ହ୍ୟାଣ୍ଡଲୁମ୍ ଶାଢ଼ୀ, ପାରମ୍ପରିକ ଆପ୍ଲିକ୍ କାର୍ଯ୍ୟ, ଚମତ୍କାର ପଟ୍ଟଚିତ୍ର, ପିତ୍ତଳ ଏବଂ କ‌ଂସା ବାସନ ରହିଥିଲା । କାରିଗରମାନଙ୍କ କୌଶଳ ଏବଂ ଚତୁରତାକୁ ଦର୍ଶକମାନେ ପ୍ରଶଂସା କରିଥିଲେ । ଅନ୍ୟପଟେ କାରିଗରମାନେ ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜନସାଧାରଣଙ୍କୁ କହିଥିଲେ ।

ଏହା ବି ପଢନ୍ତୁ- ହାଇଦ୍ରାବାଦରେ ମନ କିଣିଲା କୋରାପୁଟ ମାଣ୍ଡିଆ ଚା', ଜଗନ୍ନାଥ ଚିନାରୀଙ୍କ ଷ୍ଟଲରେ ଗ୍ରାହକଙ୍କ ଭିଡ

ଡିମାଣ୍ଡରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟପଦାର୍ଥ:- ମାଣ୍ଡିଆ ଲଡୁ, ମାଣ୍ଡିଆ ନିମିକି, ମାଣ୍ଡିଆ ଚା', ମାଣ୍ଡିଆ କଫି ବିସ୍କୁଟ, ମାଣ୍ଡିଆ ଗଜା ଆଦି ବିକ୍ରି ହୋଇଛି । କୋରାପୁଟ ଜଗନ୍ନାଥ ମିଲେଟ ହବ୍‌ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ବିକ୍ରି କରିଛନ୍ତି । ହାଇଦ୍ରାବାଦରେ ବସବାସ କରୁଥିବା ଓଡିଆ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ରାଜ୍ୟର ଖାଦ୍ୟ ଚାଖି ବେଶ ଖୁସିବ୍ୟକ୍ତ କରିଛନ୍ତି । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ମଧ୍ୟ ଉଭୟ ଓଡିଆ ଓ ଅଣଓଡିଆ ବେଶ ପସନ୍ଦ କରିଛନ୍ତି । ଏହି କାର୍ଯ୍ୟକ୍ରମ ଓଡିଶାର କାରିଗର ଏବଂ ବୁଣାକାରମାନଙ୍କ ପାଇଁ ସେମାନଙ୍କର ପାରମ୍ପାରିକ ଖାଦ୍ୟ, ହସ୍ତତନ୍ତ ଏବଂ ବୁଣା କୌଶଳକୁ ଅଧିକ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ରହିଥିଲା ।

ଓଡ଼ିଆ ଖାଦ୍ୟର ସୁଗନ୍ଧରେ ମହକିଲା ହାଇଦ୍ରାବାଦ:- ମେଳାରେ ଥିବା ଖାଦ୍ୟ ଷ୍ଟଲଗୁଡିକରେ ଲୋକପ୍ରିୟ ଓଡିଆ ଦହିବରା ଆଳୁଦମ୍, ମସଲାଯୁକ୍ତ ଓ ସ୍ବାଦଯୁକ୍ତ ଚାଟ୍, ଚାଉଳଚୁନା ମଇଦାରୁ ପ୍ରସ୍ତୁତ ପିଠା ଏବଂ ପ୍ରସିଦ୍ଧ ଓଡିଶା ରସଗୋଲା ସହିତ ଅନେକ ସୁସ୍ବାଦୁ ଖାଦ୍ୟପଦାର୍ଥର ଆସର ଜମିଥିଲା । ଖାଦ୍ୟର ମନଲୋଭା ସୁଗନ୍ଧ ବାୟୁରେ ପ୍ରବାହିତ ହୋଇଥିବା ବେଳେ ଦର୍ଶକମାନେ ଓଡିଆ ଘରର ରୋଷେଇଶାଳ ପ୍ରତି ଆକୃଷ୍ଟି ହୋଇଥିଲେ । ଓଡ଼ିଆ ରୋଷେଇର ନମୁନା ସଂଗ୍ରହ, ଓଡ଼ିଶାର ସ୍ୱାଦ ଏବଂ ମସଲାକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା ।


ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ:- ଯେତେବେଳେ ଧୀରେଧୀରେ ସୂର୍ଯ୍ୟାସ୍ତ ହୋଇ ସଞ୍ଜ ହୋଇଥିଲା, ସେତେବେଳେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଶୀତଳ ପବନ ସାଙ୍ଗକୁ ଓଡ଼ିଶା ସଙ୍ଗୀତ ନୃତ୍ୟକୁ ମନ ଭରି ଉପଭୋଗ କରିଥିଲେ ଓଡ଼ିଆ ଓ ଅଣଓଡ଼ିଆ । କୋରାପୁଟ ବାଲିମେଳାର ଏକ ପ୍ରସିଦ୍ଧ ଆଦିବାସୀ ଦଳ ସଂଗୀତ ଏବଂ ବିଭିନ୍ନ ସୁନ୍ଦର ଲୋକନୃତ୍ୟ ପ୍ରଦର୍ଶିତ କରିଥିଲେ ।

ଏଥିରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ୟାଦାଦ୍ରି କଲେକ୍ଟର ପାମେଲା ଶତପଥି ଏବଂ ଡଃ ଦୀପାଙ୍କ ଶତପଥି, ଡଃ ମାନସ ପାଣିଗ୍ରାହୀ, ଡଃ ଅନୁରାଧା ପଣ୍ଡା ଏବଂ ମନ୍ଜିରା ଗ୍ରୁପର ସିଏମଡି ଗଜାଲା ଯୋଗାନନ୍ଦ ଉପସ୍ଥିତ ଥିଲେ । ଓଡ଼ିଶା ବାହାରେ ଓଡ଼ିଆ କଳା ସଂସ୍କୃତି ଐତିହ୍ୟକୁ ପ୍ରୋତ୍ସାହିତ କରିବା ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମର ଆୟୋଜିକା ସସ୍ମିତା ମିଶ୍ର ବେଶ ଖୁସିବ୍ୟକ୍ତ କରିଛନ୍ତି । ଏଭଳି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଅନ୍ୟ ଆୟୋଜକମାନଙ୍କ ମଧ୍ୟରେ ରହିଥିଲେ ଅର୍ଚ୍ଚନା ମିଶ୍ର, ଶିଲା ସାହୁ, ଅଞ୍ଜାନ ପାତ୍ର, ଆଶିଷ ସୁବୁଦ୍ଧି ଓ ଶକ୍ତି ଖାଡେଙ୍ଗା । ଏହି କାର୍ଯ୍ୟକ୍ରମ ବେଶ ସଫଳତା ହୋଇଥିବା ସହ ସାମିଲ ହୋଇଥିବା ଲୋକଙ୍କ ଉପରେ ଏକ ଚିରନ୍ତନ ପ୍ରଭାବ ପକାଇବ ବୋଲି ଆୟୋଜିକା ସସ୍ମିତା ମିଶ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 12, 2023, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.