ETV Bharat / bharat

ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ: ASI

author img

By

Published : Jul 3, 2022, 5:48 PM IST

ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ: ASI
ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ: ASI

ଆଗ୍ରା ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ । ଆରଟିଆଇ ଆବେଦନ ଉପରେ ଉତ୍ତର ରଖିଲା ASI । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଆଗ୍ରା ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ କିମ୍ବା ମନ୍ଦିର ଜମି ଉପରେ ଏହି ଐତିହାସିକ ସ୍ମାରକୀ ନିର୍ମାଣ ହୋଇନାହିଁ । ଏକ ଆରଟିଆଇ ଆବେଦନ ଉପରେ ଏପରି ଜବାବ ଦେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) । ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ସେ ଦୁଇଟି ପ୍ରଶ୍ନ ପଚାରିଥିଲେ । ପ୍ରଥମତଃ ବାସ୍ତବରେ ମନ୍ଦିର ଜମିରେ ତାଜମହଲ ନିର୍ମାଣ ହୋଇଛି କି ? ଦ୍ବିତୀୟରେ, ବନ୍ଦ କଠୋରୀରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଅଛି ନା ନାହିଁ ? ଏହାର ଉତ୍ତରରେ ତାଜମହଲ ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥିବା କୌଣସି ବନ୍ଦ କୋଠରୀ ନାହିଁ ବୋଲି ଏଏସଆଇ କହିଛି ।

ବିଶ୍ବ ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି । ନିକଟରେ ଏହି ଐତିହାସିକ ସ୍ମାରକୀ ଉପରେ ଜୟପୁରର ରାଜପରିବାର ଅଧିକାରୀ ଦାବି କରିଥିଲେ ଏବଂ ତାଙ୍କ ଜମିରେ ହିଁ ତାଜମହଲ ନିର୍ମାଣ ହୋଇଥିବା କହିଥିଲେ । ତାଜମହଲର ବନ୍ଦ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥିବା ଦାବି କରାଯାଇ ମାମଲା କାଠଗଡାରେ ପହଞ୍ଚିଥିଲା । ଗତ ମେ ୭ ତାରିଖରେ ଭାରତୀୟ ଜନତା ପାର୍ଟ(BJP)ର ଅଯୋଧ୍ୟା ମିଡିଆ ଇନଚାର୍ଜ ରଜନୀଶ କୁମାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ପିଟିସନ ଦାଖଲ କରିଥିଲେ । ପିଟିସନରେ ତାଜମହଲର 20ଟି କୋଠରୀ ଖୋଲିବାକୁ ଏବଂ ଏହା ଉପରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଯାଞ୍ଚ କରାଯିବାକୁ ଦାବି କରିଥିଲେ । ତାଜମହଲ ଭିତରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ବନ୍ଦ କୋଠରୀ ଖୋଲିଲେ ସତ ପଦାକୁ ଆସିବ ବୋଲି କୁହାଯାଇଥିଲା ।

ପରବର୍ତ୍ତୀ ସମୟରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଜୁନ ୨୧ରେ ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେ ତାଜମହଲର ସତ୍ୟାସତ୍ୟ ଜାଣିବାକୁ ଆରଟିଆଇରେ ଆବଦେନ କରିଥିଲେ । ଯାହାର ଜବାବରେ ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନଥିବା କହିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.