ETV Bharat / state

ରାଗିଗଲେ ରାଜୁ ! ବିଜେପି ଛାଡି ବିଜେଡିକୁ କଲେ ଆଲିଙ୍ଗନ - Rajendra Das joins BJD

author img

By ETV Bharat Odisha Team

Published : May 16, 2024, 9:38 PM IST

Updated : May 16, 2024, 10:45 PM IST

Rajendra Das joins BJD: ବିଜେପି ଛାଡି ବିଜେଡିରେ ମିଶିଲେ ରାଜେନ୍ଦ୍ର ଦାସ । ଦଳ ତାଙ୍କ ସହ ଅବିଚାର କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

Rajendra Das joins BJD
Rajendra Das joins BJD (ETV Bharat Odisha)

ବିଜେଡିକୁ ବାହୁଡ଼ିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର (ETV Bharat Odisha)

ବାଲେଶ୍ବର/ଭୁବନେଶ୍ବର: ରାଜେନ୍ଦ୍ର ଦାସ ଓରଫ ରାଜୁଙ୍କ ଘର ବାହୁଡ଼ା । ବିଜେପି ଛାଡି ବିଜେଡିରେ ମିଶିଲେ ରାଜେନ୍ଦ୍ର ଦାସ । ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କିଏ ବୋଲି ଶେଷ ମୁହୂର୍ତ୍ତ ଯାଏଁ ଦ୍ଵନ୍ଦ୍ବରେ ରହିବା ପରେ ଶେଷରେ ବିଜେପି ଦଳ ପର୍ଶୁରାମ ଧଡାଙ୍କୁ ଟିକଟ ପ୍ରଦାନ କରିଛି । ଦଳ ତାଙ୍କ ସହିତ ଅବିଚାର କରିଥିବା ଅଭିଯୋଗରେ ସେ ବିଜେଡିରେ ପୁଣି ଥରେ ସାମିଲ ହୋଇଛନ୍ତି ।

ବିଜେଡିକୁ ବାହୁଡ଼ିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର
ବିଜେଡିକୁ ବାହୁଡ଼ିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର (ETV Bharat Odisha)

ନାମାଙ୍କନ ଦାଖଲର ଶେଷ ଦିନରେ ପର୍ଶୁରାମ ଧଡ଼ା ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଭାବେ ଫର୍ମ A ଏବଂ B ଦାଖଲ କରିବା ସହ ଚାରି ସେଟ ନାମାଙ୍କନ ଦାଖଲ କରିଥିଲେ । ଏହାରି ଭିତରେ ପୂର୍ବରୁ ବିଜେପି ଘୋଷଣା କରିଥିବା ଦଳୀୟ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଶେଷ ଦିନରେ ନିଜର ନାମାଙ୍କନ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୋଲି କରିଥିଲେ । ମାତ୍ର ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିବା ପରେ ପର୍ଶୁରାମଙ୍କୁ ଦଳୀୟ ଟିକଟ ମିଳିଥିଲା । ଗୋଟିଏ ସେଟ ନାମାଙ୍କନ ଦାଖଲ କରିଥିବା ରାଜେନ୍ଦ୍ରଙ୍କ ଯାଞ୍ଚ ପ୍ରକ୍ରିୟାରେ ରିଜେକ୍ଟ ହୋଇଯାଇଥିଲା । ଏବେ ସେ କୌଣସି ଦଳ କିମ୍ବା ବିଧାନ ସଭାର ଯୋଗ୍ୟ ପ୍ରାର୍ଥୀ ବୋଲି ବିବେଚିତ ହୋଇ ନାହାନ୍ତି ।

ଏହା ବି ପଢନ୍ତୁ- ଗୋଳିଆ ହେଲା ସୋରର ପଦ୍ମ ପୋଖରୀ, ରାଜୁଙ୍କ ବଦଳରେ ପର୍ଶୁରାମଙ୍କୁ ଟିକଟ

ଏଠି ପ୍ରକାଶ ଥାଉକି, ରାଜେନ୍ଦ୍ରଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା ପରେ ସେ ସୋରରେ ଗୋଟିଏ ଦିନ ବି ପ୍ରଚାର କରି ପାରିନଥିଲେ । ତାଙ୍କରି ଦଳର ନେତାମାନେ ତାଙ୍କୁ ବିରୋଧ କରି ସୋରରେ ପଶିବାକୁ ଦେଇ ନଥିଲେ । ଦଳ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇବାକୁ ନେଇ ଅସନ୍ତୋଷ ଥିଲେ । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି । ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା । ବିଜେଡିରୁ ଟିକଟ ଆଶା ମଉଳିବା ପରେ ରାଜେନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ବିଜେଡି ।

ଏହା ବି ପଢନ୍ତୁ- ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

କଣ କହିଲେ ରାଜୁ ଦାସ ?:- ବିଜେଡି ବାହୁଡ଼ିବା ପରେ ପ୍ରଥମ ପ୍ରତିକ୍ରିୟାରେ ରାଜେନ୍ଦ୍ର କୁମାର ଦାସ କହିଛନ୍ତି ଯେ, ନିର୍ବାଚନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ସୁଯୋଗ ଦେଇଥିଲେ । ଧାମନଗରରେ 2009ରୁ 2014 ବିଧାୟକ ହୋଇଥିଲି । ବିଜେଡି ଛାଡି ଉପନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିଥିଲି । ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲି । ସାମିଲ ହେବା ପରେ ଜାଣିଲି ବିଜେପିରେ ଥିବା ଅବବ୍ୟବସ୍ଥା । ଏହା ଭିତରେ ରହି ନିଜକୁ ଅବହେଳିତ କରିବା ପାଇଁ ଆଉ ସୁଯୋଗ ଖୋଜିଲି ନାହିଁ । ସେଥିପାଇଁ ମୁଁ ପୁଣିଥରେ ମୋର ଘର ବାହୁଡା ହୋଇଛି । ବିଜେପି ଛାଡି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛି । ଚଳିତ ନିର୍ବାଚନରେ ଭଦ୍ରକ ଲୋକସଭା ଅନ୍ତର୍ଗତ ଭଦ୍ରକ, ଧାମନଗର, ଚାନ୍ଦବାଲି ଓ ବାସୁଦେବପୁରରେ ଦଳକୁ ବିଜୟ ଲାଭ କରାଇବାରେ କାମ କରିବି ବୋଲି ପ୍ରତିଶ୍ରୁତି ଦେଉଛି ।

ବିଜେଡି ସାଧାରଣ ସମ୍ପାଦକ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେଡିକୁ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ସ୍ୱାଗତ କରୁଛୁ । ରାଜେନ୍ଦ୍ର ବିଜେପି ଛାଡି ଆଜି ବିଜେଡିରେ ସାମିଲ ହୋଇଛନ୍ତି । 2009ରୁ 2014 ଧାମନଗରରୁ ସେ ବିଧାୟକ ହୋଇଥିଲି । ଏହା ପୂର୍ବରୁ ସେ ବିଜୁ ଯୁବ ଜନତା ଦଳର ଭଦ୍ରକ ଜିଲ୍ଲା ସଭାପତି, ବିଜୁ ଯୁବ ଜନତା ଦଳର ଉପସଭାପତି ହୋଇଥିଲେ । ରାଜେନ୍ଦ୍ରଙ୍କ ଘର ବାହୁଡା ଦ୍ୱାରା ଧାମନଗର ସମେତ ଭଦ୍ରକରେ ଦଳ ଅଧିକ ସଶକ୍ତ ହେବ । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସଭାପତି ସରୋଜ ମହାପାତ୍ର, ବିଜେଡି ନେତା ପ୍ରଦୀପ କୁମାର ମଲ୍ଲିକ, ଦଳର ମୁଖପାତ୍ର ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

ପୂର୍ବରୁ କାହିଁକି ଛାଡ଼ିଥିଲେ ବିଜେଡି ?:- ଧାମନଗର ଉପନିର୍ବାଚନରେ ରାଜେନ୍ଦ୍ର କୁମାର ଦାସ ଆଶାୟୀ ଥିଲେ । କିନ୍ତୁ ବିଜେଡ଼ି ଅବନ୍ତି ଦାସଙ୍କୁ ଧାମନଗର ଟିକେଟ ଦେଇଥିଲା । ରାଜେନ୍ଦ୍ର ବିଦ୍ରୋହ କରି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ଫଳରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି କୁହାଯାଉଛି । ତେବେ ସେ କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ବିଜେପି ତାଙ୍କୁ ସୋର ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେଇଥିଲା । କିନ୍ତୁ ସେ ସୋରରେ ପ୍ରବେଶ କରିପାରୁନଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ବିଜେପି ସଂଗଠନ ଦ୍ୱାରା ସେ ଗ୍ରହଣୀୟ ହୋଇପାରୁନଥିବା କୁହାଯାଉଥିଲା । ପରେ ସୋରର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ଟିକେଟ କଟିବାରୁ ବିଜେପିରେ ସାମିଲ ହୋଇଥିଲେ । ବିଜେପି ଟିକେଟରେ ନାମାଙ୍କନ ଦାଖଲ କରିବା ଲାଗି ଉଭୟ ରାଜେନ୍ଦ୍ର ଓ ପର୍ଶୁରାମ ଯାଇଥିଲେ । ଦଳ ରାଜେନ୍ଦ୍ରଙ୍କୁ କାଟି ପର୍ଶୁରାମଙ୍କୁ ଟିକେଟ ଦେଇଥିବା ଜଣାପଡିଥିଲା । ରାଜେନ୍ଦ୍ରଙ୍କ ନାମାଙ୍କନ ନାକଚ ହୋଇଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର/ଭୁବନେଶ୍ବର

Last Updated :May 16, 2024, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.