ETV Bharat / bharat

୨୦୨୪ ସୁଦ୍ଧା ମହାକାଶକୁ ଯିବେ ଆଉ ଜଣେ ଭାରତୀୟ

author img

By ETV Bharat Odisha Team

Published : Nov 29, 2023, 9:51 AM IST

Updated : Nov 29, 2023, 10:26 AM IST

୨୦୨୪ ମସିହା ଶେଷ ସୁଦ୍ଧା ମହାକାଶକୁ ଯାତ୍ରା କରିବେ ଆଉ ଜଣେ ଭାରତୀୟ । ସୂଚନା ଦେଲେ ନାସା ମୁଖ୍ୟ ନେଲସନ । ଅଧିକ ପଢନ୍ତୁ

୨୦୨୪ ସୁଦ୍ଧା ମହାକାଶକୁ ଯିବେ ଆଉ ଜଣେ ଭାରତୀୟ
୨୦୨୪ ସୁଦ୍ଧା ମହାକାଶକୁ ଯିବେ ଆଉ ଜଣେ ଭାରତୀୟ

ନୂଆଦିଲ୍ଲୀ: ୪୦ ବର୍ଷ ପରେ ମହାକାଶ ଯାତ୍ରା କରିବେ ଆଉ ଜଣେ ଭାରତୀୟ । ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଆଉ ଜଣେ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପ୍ରେରଣ କରିବ । ତାଙ୍କୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଶେଷ ସୁଦ୍ଧା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ପଠାଯିବ । ଏନେଇ ମଙ୍ଗଳବାର ନାସା ମୁଖ୍ୟ ବିଲ୍ ନେଲସନ୍ ସୂଚନା ଦେଇଛନ୍ତି । ତେବେ କେଉଁ ମହାକାଶଚାରୀ ଯାତ୍ରା କରିବେ ତାହା ଇସ୍ରୋ ସ୍ଥିର କରିବ ବୋଲି ସେ କହିଛନ୍ତି । କହିରଖୁଛୁ କି, ୧୯୮୪ ମସିହାରେ ରାକେଶ ଶର୍ମା ପ୍ରଥମ ଭାରତୀୟ ନାଗରିକ ଭାବେ ମହାକାଶକୁ ଯାତ୍ରା କରିଥିଲେ ।

ନାସା ମୁଖ୍ୟ ବିଲ୍ ନେଲସନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ଆମେରିକା ୨୦୨୪ ଶେଷ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀଙ୍କୁ ଟ୍ରେନିଂ ଦେବା ଏବଂ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ପ୍ରେରଣ କରିବାରେ ସାହାଯ୍ୟ କରିବ । ତେବେ ସେହି ମହାକାଶଚାରୀଙ୍କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ISRO) ଚୟନ କରିବ । ଏଥିରେ ନାସାର କୌଣସି ଭୂମିକା ରହିବ ନାହିଁ । ଇସ୍ରୋ ପକ୍ଷରୁ ଏହି ମିଶନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଭାରତ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବ: ଇସ୍ରୋ ମୁଖ୍ୟ

ଚନ୍ଦ୍ରଯାନ-୩ ସଫଳତା ପାଇଁ ଶୁଭେଚ୍ଛା: ନେଲସନ ଭାରତ ଓ ଆମେରିକା ମଧ୍ୟରେ ମହାକାଶ ଗବେଷଣା ସହଭାଗିତା ବଢାଇବାକୁ ବର୍ତ୍ତମାନ ଭାରତର ଏକାଧିକ ସହର ଗସ୍ତରେ ଅଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ, ''ଭାରତ ଆମେରିକାର ଜଣେ ବଡ ସହଯୋଗୀ । ମହାକାଶକୁ ମହାକାଶଚାରୀଙ୍କୁ ପଠାଇବା ସମ୍ବନ୍ଧୀୟ ଗତିବିଧି ପାଇଁ ଭବିଷ୍ୟତର ଜଣେ ଭଲ ସହଯୋଗୀ ମଧ୍ୟ । ଆସନ୍ତା ବର୍ଷ ଆମେରିକା ଚନ୍ଦ୍ରର ଦକ୍ଷିଣ ମେରୁରେ ଅନେକ ଘରୋଇ ଲ୍ୟାଣ୍ଡର ଅବତରଣ କରାଇବ । ତେବେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିବାରୁ ତାକୁ ଅଭିନନ୍ଦନ ।''

ଭାରତର ସ୍ପେସ ଷ୍ଟେସନ ନିର୍ମାଣରେ ସାହାଯ୍ୟ କରିବ ଆମେରିିକା: ଏଥିସହ ଚନ୍ଦ୍ରଯାନ-୩ର ସଫଳତା ପାଇଁ ନେସଲନଙ୍କ ନେତୃତ୍ବାଧୀନ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧି ମଣ୍ଡଳୀ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ନେଲସନ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଯଦି ମହାକାଶରେ ନିଜର ପ୍ରଥମ ସ୍ପେଷ୍ ଷ୍ଟେସନ ତିଆରି କରିବାକୁ ଚାହେଁ, ତାହେଲେ ଏଥିରେ ଆମେରିକା ସାହାଯ୍ୟ କରିବ । ଭାରତ ୨୦୪୦ ସୁଦ୍ଧା ନିଜସ୍ବ କମର୍ସିଆଲ ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବାକୁ ଚାହୁଁଛି । ଏଥିରେ ଭାରତ ଆମ ସହ କାମ କରିବାକୁ ଚାହିଁଲେ ଆମେ ପ୍ରସ୍ତୁତ ଅଛୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୮୪ ମସିହାରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ । ସେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଥିଲେ । ୧୯୮୪ ଏପ୍ରିଲ ୩ ତାରିଖରେ ସୋୟୁଜ ଟି-୧୧ରେ ମହାକାଶକୁ ଯାଇଥିଲେ । ସେବେଠାରୁ ଅଦ୍ୟାବିଧି ଆଉ କୌଣସି ଭାରତୀୟ ମହାକାଶରେ ପାଦ ଦେଇନାହାନ୍ତି ।

Last Updated :Nov 29, 2023, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.