ETV Bharat / science-and-technology

ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଭାରତ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବ: ଇସ୍ରୋ ମୁଖ୍ୟ

author img

By ETV Bharat Odisha Team

Published : Oct 7, 2023, 1:08 PM IST

ଗଗନଯାନ ମିଶନ ସଫଳ ହେବା ପରେ ଭାରତ ନିଜର ସ୍ସେସ ସେଣ୍ଟର କେବେ ନିର୍ମାଣ କରିବ, ଏନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

India to build its own space station
India to build its own space station

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ହେଲେ ବର୍ତ୍ତମାନ ସୁଦ୍ଧା ଭାରତର ନିଜର ଗୋଟିଏ ମଧ୍ୟ ସ୍ପେସ ଷ୍ଟେସନ ନାହିଁ । ତେବେ ଭାରତ କେବେ ନିଜସ୍ବ ସ୍ପେସ ସେଣ୍ଟର ନିର୍ମାଣ କରିବ ସେନେଇ ଗତକାଲି(ଶୁକ୍ରବାର) ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ।

ଶୁକ୍ରବାର ଦିନ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସୋମନାଥ କହିଛନ୍ତି, "ଆମେ ସ୍ପେସ ଷ୍ଟେସନ ତିଆରି କରିବା ପାଇଁ ଯୋଜନା କରିବୁ । ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଭାରତ ନିଜର ସ୍ପେସ ସେଣ୍ଟର ତିଆରି କରିବ । ଭାରତର ଗଗନାନ ମିଶନ ହେଉଛି ମହାକାଶକୁ ମାନବବାହୀ ମହାକାଶଯାନ ପ୍ରେରଣ କରିବା । ଯଦି ଏହା ସଫଳ ହୁଏ ତେବେ ଭାରତ ମହାକାଶରେ ଏକ ସ୍ପେସ ଷ୍ଟେସନ ନିର୍ମାଣ କରିବାରେ ସକ୍ଷମ ହେବ । 2021 ମସିହାରେ ଗଗନଯାନ ମିଶନ ଲଞ୍ଚ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ କୋଭିଡ ମହାମାରୀ ହେତୁ ଏହା ସମ୍ଭବ ହୋଇପାରି ନଥିଲା ।"

କେମିତି ହେବ ଭାରତର ସ୍ପେସ ଷ୍ଟେସନ: ଗଗନଯାନ ପରେ ଇସ୍ରୋର ପରବର୍ତ୍ତୀ ପଦକ୍ଷେପ ସ୍ପେସ ସେଣ୍ଟର ହେବ ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି । ଏହାପରେ ଭାରତର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଚନ୍ଦ୍ରକୁ ଏକ ମାନବ ମିଶନ ପଠାଇବା । ସ୍ପେସ ଷ୍ଟେସନ ନେଇ ଆମ ପାଖରେ ଏକ ସ୍ପଷ୍ଟ ଯୋଜନା ରହିଛି । ଏହି ଯୋଜନା ମୁତାବକ ସ୍ପେସ ସେଣ୍ଟର ହେବ ଏବଂ ଏହା ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ । କିନ୍ତୁ ଏହା ଅନ୍ତରାଷ୍ଟ୍ରୀୟ ସ୍ପେସ ସେଣ୍ଟର ଠାରୁ ଆକାରରେ ଛୋଟ ହେବ ହେବ ବୋଲି କହିଛନ୍ତି ସୋମନାଥ ।

ଏହା ମଧ୍ୟ ପଢନ୍ତୁ: Chandrayaan-3: ଆଉ ସକ୍ରିୟ ହେବେନି ବିକ୍ରମ ଓ ପ୍ରଜ୍ଞାନ, ଏମିତି କହିଲେ ପୂର୍ବତନ ଇସ୍ରୋ ମୁଖ୍ୟ

ଅନ୍ତରାଷ୍ଟ୍ରୀୟ ସ୍ସେସ ସେଣ୍ଟରର ବିଶେଷତା: ସୋମନାଥଙ୍କ କହିବା ଅନୁସାରେ, ଆମର ସ୍ପେସ ଷ୍ଟେସନ ମହାକାଶରେ ମାଇକ୍ରୋସ୍କୋପିକ୍ ପରୀକ୍ଷଣ କରିବା ନେଇ ପୂର୍ବତନ ଇସ୍ରୋ ମୁଖ୍ୟ ଶିବନଙ୍କ ସ୍ବପ୍ନ ଥିଲା । ଭାରତର ସ୍ପେସ ଷ୍ଟେସନର ବ୍ୟବହାର କେବଳ ମଣିଷକୁ ସେଠାକୁ ପଠାଇବା ନୁହେଁ । ବର୍ତ୍ତମାନ ସମୟରେ ସ୍ପେସ ଷ୍ଟେସନ୍ ପୃଥିବୀ ଠାରୁ 400 କିଲୋମିଟର ଉପରେ ପାଞ୍ଚଟି ଦେଶର ମିଳିତ ଉଦ୍ୟମରେ କାର୍ଯ୍ୟ କରୁଛି । ଆମେରିକାର ପ୍ରତିନିଧିତ୍ୱ କରୁଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ 1998ରେ ଲଞ୍ଚ କରାଯାଇଥିଲା । ତେବେ ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଭାରତରେ ଭାରତର ନିଜସ୍ବ ସ୍ପେସ ସେଣ୍ଟର ହେବ ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.