ETV Bharat / bharat

Himachal Rains: ହିମାଚଳରେ ବର୍ଷା ବିତ୍ପାତ, ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

author img

By

Published : Jul 12, 2023, 10:42 AM IST

ହିମାଚଳରେ ବର୍ଷା ବିତ୍ପାତ
ହିମାଚଳରେ ବର୍ଷା ବିତ୍ପାତ

ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହିମାଚଳରେ ୮୦ ଜଣଙ୍କ ଜୀବନ ଗଲାଣି । କେବଳ ୩ ଦିନ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଶିମଲା: ଉବୁଟୁବୁ ହେଉଛି ଉତ୍ତର ଭାରତ । ଲଗାଣ ବର୍ଷା ବିଶେଷକରି ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ଆଣିଛି । ଏହି ରାଜ୍ୟରେ ବନ୍ୟା ସ୍ଥିତି ସାଂଘାତିକ ରହିଛି । ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ହିମାଚଳରେ ଅନେକ ଜୀବନ ହାନି ହେଲାଣି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗର ସୂଚନା ଅନୁଯାୟୀ, ଜୁନ୍‌ ୨୪ରୁ ମୌସୁମୀ ବର୍ଷା ଜନିତ ବିଭିନ୍ନ ଅଘଟଣରେ ଅତିକମରେ ୮୦ ଲୋକଙ୍କ ମୃତ୍ୟୁ ହୋଇଛି । ଶନିବାରଠାରୁ ମୂଷଳ ଧାରାରେ ବର୍ଷା କାରଣରୁ ଆଉ ୩୧ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି ପାଇଛି ।

ବର୍ଷା ଜନିତ କ୍ଷୟକ୍ଷତି: ହିମାଚଳରେ ପ୍ରକୃତିର କୋପ ଦୃଷ୍ଟି ପଡ଼ିଛି । ବନ୍ୟା ଓ ଭୂସ୍ଖଳନ ରାଜ୍ୟକୁ ଛାରଖାର୍ କରିଦେଇଛି । ଭୂସ୍ଖଳନ ଓ ବନ୍ୟା ଯୋଗୁଁ ରାଜ୍ୟରେ ପାଖାପାଖି ୧,୩୦୦ ରାସ୍ତା ବନ୍ଦ ରହିଥିବା ବେଳେ ୪୦ଟି ପ୍ରମୁଖ ବ୍ରିଜ୍‌ କ୍ଷତିଗ୍ରସ୍ତ ହୋଇଛି । ଫଳରେ ବିଭିନ୍ନ ସ୍ଥାନକୁ ଯାତାୟତ ପୁରା ଠପ୍ ହୋଇଯାଇଛି । ସେହିପରି ୭୯ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୩୩୩ଟି ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି । ଜୁନ ୨୪ରେ ମୌସୁମୀ ଆଗମନ ପରଠୁ ଅଦ୍ୟାବିଧି ରାଜ୍ୟରେ ୧,୦୫୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ଏମରଜେନ୍ସି ରେସ୍‌ପନ୍ସ ସେଣ୍ଟର ଆକଳନ କରିଛି ।

ସରକାରୀ ସ୍ତରରେ ବର୍ଷା ଜନିତ ବିଭିନ୍ନ ଅଘଟଣରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ଥିବା କୁହାଯାଇଛି । ୮୦ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କ ସଡ଼କ ଦୁର୍ଘଟଣା, ୨୧ ଜଣଙ୍କ ଭୂସ୍ଖଳନ ଏବଂ ଉଚ୍ଚ ସ୍ଥାନରୁ ଖସି ପଡ଼ିବା ଯୋଗୁଁ ୧୨ ଜଣଙ୍କ ଜୀବନ ଯାଇଛି । ସେହିପରି ୭ ଜଣ ବୁଡ଼ିଯାଇ ପ୍ରାଣ ହରାଇଥିବା ବେଳେ ୫ ଜଣଙ୍କ କୃତ୍ରିମ ବନ୍ୟା ଏବଂ ୪ ଜଣଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ, ୨ ଜଣଙ୍କ ସାପ କାମୁଡାରେ ଏବଂ ଆଉ ୫ ଜଣଙ୍କ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଛି ।

୧୨୯୯ ରାସ୍ତାରେ ଯାତାୟତ ଠପ୍: ସରକାରୀ ତଥ୍ୟ ଦର୍ଶାଉଛି ଯେ, ଭୂସ୍ଖଳନ ଓ ବନ୍ୟା ଲାଗି ରାଜ୍ୟରେ ୧୨୯୯ଟି ରାସ୍ତା ବନ୍ଦ ରହିଛି । ଚଣ୍ଡିଗଡ଼-ମନାଲି ଏବଂ ଶିମଲା-କାଲକା ଜାତୀୟ ରାଜପଥରେ ଯାତାୟତ ଠପ୍ ରହିଥିବାରୁ ଶିମଲା ଓ ମନାଲିକୁ ଜରୁରୀ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହେଉଛି । ହିମାଚଳ ସଡ଼କ ପରିବହନ କର୍ପୋରେସନ ୧୨୮୪ଟି ରୁଟ୍‌ରେ ବସ୍ ସେବା ବନ୍ଦ ରଖିଛି । କୁଲୁରେ ପ୍ରାୟ ୪୦ଟି ଦୋକାନ ଏବଂ ୩୦ଟି ଘର ବନ୍ୟାରେ ଭାସି ଯାଇଛି । ଏହି ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ୩ରୁ ୪ ହଜାର କୋଟିର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ନେଇ ଆକାଳନ କରାଯାଉଥିବା ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି । ତେବେ ବର୍ଷା ଯୋଗୁଁ ସମଗ୍ର ଉତ୍ତର ଭାରତରେ ୧୦୦ରୁ ଅଧିକ ଜୀବନ ଯାଇଥିବା ବେଳେ ସର୍ବାଧିକ ହିମାଚଳ ପ୍ରଦେଶ କ୍ଷତିଗ୍ରସ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.