ETV Bharat / bharat

ସୁଧୁରୁଛି ମଣିପୁର ସ୍ଥିତି, 7 ମାସ ପରେ ଫେରିଲା ଇଣ୍ଟରନେଟ

author img

By ETV Bharat Odisha Team

Published : Dec 4, 2023, 10:10 AM IST

Internet restored in manipur: ମଣିପୁରକୁ ଫେରିଲା ଇଣ୍ଟରନେଟ ସେବା । 2 ଗୋଷ୍ଠୀ ମଧ୍ୟରେ ବିବାଦ ମଧ୍ୟରେ ଦୀର୍ଘ 7 ମାସ ହେଲା ବନ୍ଦ ଥିଲେ ନେଟ । ଅଧିକ ପଢନ୍ତୁ

7 ମାସ ପରେ ଫେରିଲା ଇଣ୍ଟରନେଟ
7 ମାସ ପରେ ଫେରିଲା ଇଣ୍ଟରନେଟ

ଇମ୍ଫାଲ: ମଣିପୁରକୁ ଫେରିଲା ଇଣ୍ଟରନେଟ ସେବା । ସାମ୍ପ୍ରଦାୟିକ ହିଂସା ମଧ୍ୟରେ ଦୀର୍ଘ 7 ମାସ ଧରି ଇଣ୍ଟନନେଟ ସେବା ବନ୍ଦ ରହିଥିବା ବେଳେ ରବିବାର ଦିନ ଏହାକୁ ପୁନଃଆରମ୍ଭ କରାଯାଇଛି । ବର୍ତ୍ତମାନ ସମୟରେ ମଣିପୁରରେ ସ୍ଥିତି ସୁଧୁରିଥିବା ବେଳେ ଇଣ୍ଟରନେଟ ସେବା ଚାଲୁ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କିଛି ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ଏବେବି ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ରହିଛି । ଡିସେମ୍ବର 18 ପର୍ଯ୍ୟନ୍ତ ସୀମାବର୍ତ୍ତୀ ଅଞ୍ଚଳରେ ନେଟ ସେବା ବ୍ୟାହତ ରହିବ ।

ସୁଧୁରୁଛି ମଣିପୁର ସ୍ଥିତି । 2 ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ମେ’ ମାସ ଆରମ୍ଭରୁ ମଣିପୁରର ଇମ୍ଫାଲ ସମେତ ଅନେକ ସହରରେ ସାମ୍ପ୍ରଦାୟିକ ହିଂସା ବାତାବରଣ ଲାଗି ରହିଥିବା ବେଳେ ବର୍ତ୍ତମାନ ତାହା ଅନେକ ପରିମାଣରେ ଥମିଥିବା ଦେଖିବାକୁ ମିଳିଛି । ମଣିପୁର ସରକାର ଦୀର୍ଘ 7 ମାସ ପରେ ରବିବାର ଦିନ ହିଂସା ପ୍ରଭାବିତ ଅନେକ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବା ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ତେବେ କିଛି ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ଏବେ ବି ବ୍ୟାନ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. ମଣିପୁର ହିଂସା: ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ 10 ରାଜନୈତିକ ଦଳ, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

ମଣିପୁର ଗୃହ ଆୟୋଗ ପକ୍ଷରୁ ଏନେଇ ନୋଟିସ୍‌ ଜାରି କରାଯାଇଛି । ରାଜ୍ୟରେ ଆଇନ କାନୁନ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ତେବେ ଇଣ୍ଟରନେଟ ସେବା ବନ୍ଦ ରହିବାରୁ ସାଧାରଣ ଲୋକମାନେ ସମସ୍ୟା ଭୋଗୁଛନ୍ତି । ଯେଉଁଥିପାଇଁ ଇଣ୍ଟରନେଟ ସେବାକୁ ପୁନଃଚାଲୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ତେବେ ଏହା ପୂର୍ବରୁ ମଧ୍ୟ 23 ସେପ୍ଟେମ୍ବରରେ କିଛି ସମୟ ପାଇଁ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଥିଲା । ହେଲେ 26 ସେପ୍ଟେମ୍ବରରେ ପୁଣି ଥରେ ସରକାର ନେଟ ସେବାକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଘୃଣାସୃଷ୍ଟିକାରୀ ପୋଷ୍ଟ, ଫୋଟୋ, ଭିଡିଓ ବାର୍ତ୍ତା ସେୟାର କରିବା ଦ୍ବାରା ହିଂସା ଆହୁରୀ ବୃଦ୍ଧି ପାଇବା ଆଶଙ୍କା କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

ପ୍ରକାଶ ଯୋଗ୍ୟ, ପୂର୍ବୋତ୍ତର ରାଜ୍ୟର 2 ଆଦିବାସୀ ସମ୍ପ୍ରଦାୟ କୁକି ଓ ମୈତେୟୀ ମଧ୍ୟରେ ବିବାଦ କାରଣରୁ ଚଳିତ ବର୍ଷ ମେ’ ମାସ ଆରମ୍ଭରୁ ରାଜ୍ୟରେ ଭୟଙ୍କର ହିଂସା ଦେଖିବାକୁ ମିଳିଥିଲା । ହିଂସା, ଗୁଳିକାଣ୍ଡ, ଅଗ୍ନିକାଣ୍ଡ, ଅପହରଣ ମଧ୍ୟରେ ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିଲା । ଏହି ହିଂସାରେ ପାଖାପାଖି 180 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ଓ 50 ହଜାରରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହୋଇଛନ୍ତି । ତେବେ ସୋସିଆଲ ମିଡିଆ ଜରିଆରେ ହିଂସା ଆହୁରି ବଢିବା ଆଶଙ୍କା କରି 144 ଧାରା ଜାରି ହେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏବେବି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.