ETV Bharat / bharat

ମଣିପୁର ହିଂସା: ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ 10 ରାଜନୈତିକ ଦଳ, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

author img

By ETV Bharat Odisha Team

Published : Nov 19, 2023, 10:42 AM IST

ଥମିବାର ନାଁ ନେଉନି ମଣିପୁର ହିଂସା । ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଦାବି ରାଜ୍ୟପାଳଙ୍କୁ ଭେଟିଛନ୍ତି 10ଟି ରାଜନୈତିକ ଦଳର ପ୍ରତିନିଧିମଣ୍ଡଳ । ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ଅଧିକ ପଢନ୍ତୁ

ମଣିପୁର ହିଂସା:
ମଣିପୁର ହିଂସା:

ଇମ୍ଫାଲ: ଅଶାନ୍ତ ମଣିପୁର। ଦୀର୍ଘ 7 ମାସରୁ ଊର୍ଦ୍ଧ୍ୱ ହେଲା ମଣିପୁରର ଇମ୍ଫାଲ ସମେତ ଅନେକ ସହରରେ ସାମ୍ପ୍ରଦାୟିକ ହିଂସା ବାତାବରଣ ଲାଗି ରହିଛି । ଏହାମଧ୍ୟରେ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ 10ଟି ରାଜନୈତିକ ଦଳର ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କୁ ଭେଟିବା ସହ 2 ସମ୍ପ୍ରଦାୟ ମଧ୍ୟରେ ବିବାଦ ସମାଧାନ କରିବାକୁ ହେଲେ କେନ୍ଦ୍ର ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି ହୋଲି ରାଜ୍ୟପାଳଙ୍କୁ ଜଣାଇଛନ୍ତି । ଏନେଇ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପ୍ରତିନିଧି ମଣ୍ଡଳ । ତେବେ ଏନେଇ ରାଜଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ଶନିବାର ଦିନ 10ଟି ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳ ମଣିପୁର ରାଜ୍ୟପାଳ ଅନୁସ୍ବୟା ୟୁକେଇଙ୍କୁ ଭେଟିଛନ୍ତି । ରାଜ୍ୟରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ହେଲେ 2 ସମୁଦାୟ ମଧ୍ୟରେ ଆଲୋଚନା କରିବାକୁ ପଡିବ ବୋଲି ରାଜ୍ୟପାଳଙ୍କୁ ଜଣାଇଛନ୍ତି । ତେବେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଇବୋବି ସିଂହ ଶୁକ୍ରବାର ଦିନ ଏନେଇ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏବଂ କେନ୍ଦ୍ର ତଥା ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ବିନା ରାଜ୍ୟରେ ଶାନ୍ତି ଫେରିପାରିବ ନାହିଁ ବୋଲି ଜଣାଇଛନ୍ତି । ତେଣୁ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ।

ଏହାମଧ୍ୟ ପଢନ୍ତୁ..ପୁଣି ଅଶାନ୍ତ ନୁହ: ପୂଜା ପାଇଁ ଯାଉଥିବା ବେଳେ ମହିଳାଙ୍କ ଉପରକୁ ପଥର ମାଡ, 2 ଗୋଷ୍ଠୀ ମୁହାଁମୁହିଁ

ସେମାନେ ଆଉ ମଧ୍ୟ ଦାବି କରିଛନ୍ତି ଯେ, "ରାଜ୍ୟରେ ଜାରି ରହିଥିବା ବିବାଦର ସମାଧାନ କରିବାକୁ ହେଲେ 2 ଗୋଷ୍ଠୀ ମଧ୍ୟରେ ଶାନ୍ତିରେ ଆଲୋଚନା କରିବାକୁ ପଡିବ । ଏହାପୂର୍ବରୁ ମଣିପୁରରେ କୁକି-ଜୋ ଜନଜାତି ସମ୍ପ୍ରଦାୟର ମୁଖ୍ୟ ସଂଗଠନ ଆଇଟିଏଲଏଫ ପକ୍ଷରୁ ସେହି ଅଞ୍ଚଳରେ ସ୍ବତନ୍ତ୍ର ସ୍ବୟଂ ଶାସିତ ପ୍ରଶାସନ ସ୍ଥାପନ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ଯାହାପରେ ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କୁ ଭେଟିଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପରେ ବିବାଦର ସମାଧାନ ପାଇଁ ଦାବି କରିଛନ୍ତି । ତେବେ ଏହି ପ୍ରତିନିଧିମଣ୍ଡଳ ଦଳରେ ଆପ, ଏଆଇଏଫବି, ଏଆଇଟିସି, ସିପିଆଇ, ସିବିଆଇ(ଏମ), ଜେଡି(ୟୁ), ଏନସିପି, ଆରଏସପି ଓ ଏସଏସ(ୟୁବିଟି) ନେତାମାନେ ସାମିଲ ହୋଇଥିଲେ ।

ପ୍ରକାଶ ଯୋଗ୍ୟ, ଚଳିତ ବର୍ଷ ମେ' ମାସ ଆରମ୍ଭରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା । ଏହି ହିଂସାରେ ପାଖାପାଖି 180 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ କରାଯାଇଛି । ନଭେମ୍ବର 23 ଯାଏ ଇଣ୍ଟରନେଟ ସେବା ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.