ETV Bharat / bharat

କ୍ରିକେଟରରୁ ମହାଠକ; ଦାମି ରେସ୍ତୋରାଁରେ ରହୁଥିଲେ, ଋଷଭ ପନ୍ତଙ୍କୁ ବି ଲୁଟିଲେ

author img

By ETV Bharat Odisha Team

Published : Dec 28, 2023, 10:40 PM IST

Ex cricketer Mrinank Singh
Ex cricketer Mrinank Singh

Ex cricketer Mrinank Singh: ଭାରତୀୟ ପୂର୍ବତନ କ୍ରିକେଟରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଏକାଧିକ ସ୍ଥାନରୁ ଲୁଟି ଦେଶ ଛାଡିବା ବେଳେ ବିମାନ ବନ୍ଦରରୁ ଗିରଫ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେତେବେଳେ ନିଜକୁ ଆଇପିଏସ ଅଫିସର ତ ଆଉ କେତେବେଳେ ରଣଜୀ କ୍ରିକେଟର ବୋଲି କହୁଥିଲେ । ଦାମି ରେସ୍ତୋରାଁରେ ଖାଉଥିଲେ, ଦାମି ହୋଟେଲରେ ରହୁଥିଲେ । ଶେଷରେ ଋଷଭ ପନ୍ତଙ୍କୁ ବି ଲୁଟିଲେ । ଏଭଳି ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ କାବୁ କରିଛି ଦିଲ୍ଲୀ ପୋଲିସ । ଯିଏକି କ୍ରିକେଟରରୁ ପାଲଟିଛନ୍ତି ମହାଠକ । ଆଜି (ଗୁରୁବାର) ଦିଲ୍ଲୀ ପୋଲିସ ପୂର୍ବତନ ଭାରତୀୟ କ୍ରିକେଟର ମୃଣାଙ୍କ ସିଂହଙ୍କୁ ଗିରଫ କରିଛି ।

ମୃଣାଙ୍କ ସିଂ ହରିୟାଣାରୁ ଅଣ୍ଡର-୧୯ ମ୍ୟାଚ ଖେଳିଛନ୍ତି । ପୋଲିସର କହିବାନୁସାରେ ସେ ବଡ଼ ବଡ଼ କ୍ରିକେଟରଙ୍କ ସହିତ ଘନିଷ୍ଠ ସମ୍ପର୍କ ଗଢିବା ପରେ ତାଙ୍କଠୁ କୌଶଳ କ୍ରମେ ଲୁଟୁଥିଲେ । ସେ ପଞ୍ଚ ତାରକା ହୋଟେଲରେ ରହୁଥିବା ବେଳେ ମଡେଲଙ୍କ ସହିତ ବନ୍ଧୁତା ସ୍ଥାପନ କରୁଥିଲେ । ନିଜ ସଉକ ପୁରଣ କରିବା ଲାଗି ସେ ଲୋକଙ୍କୁ ଠକୁଥିଲେ । ଏହି ଠକେଇ ପାଇଁ ସେ କେବେ ନିଜକୁ ଆଇପିଏସ ଅଧିକାରୀ ବୋଲି ପରିଚୟ ଦେଉଥିବା ବେଳେ ରଣଜୀ କ୍ରିକେଟର ବୋଲି କହୁଥିଲେ ।

ଋଷଭ ପନ୍ତଙ୍କୁ ଲୁଟିଲେ ଏତିକି:- ଅଭିଯୁକ୍ତ ମୃଣାଙ୍କ ସିଂହ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ବି ଚୂନ ଲଗାଇଛନ୍ତି । ଋଷଭଙ୍କଠୁ ସେ ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି । ଏହି ଘଟଣାକୁ ପ୍ରାୟ ୨ ବର୍ଷ ବିତିଗଲାଣି । ମିଳିଥିବା ସୂଚନା ଅନୁସାରେ ମୃଣାଙ୍କ କ୍ରିକେଟର ଋଷଭ ପନ୍ତଙ୍କୁ ଦାମି କାରକୁ କମ ଦାମରେ ଦେବା ଲାଗି କହିଥିଲେ । ସେ ବିଳାସପୂର୍ଣ୍ଣ ଗାଡ଼ି, ବ୍ୟାଗ, ଅଳଙ୍କାର ଆଦିର ବ୍ୟବସାୟ ଆରମ୍ଭ କରିଥିବା କହି ଋଷଭଙ୍କଠାରୁ ପ୍ରାୟ ୧.୬୩ କୋଟି ଟଙ୍କା ଲୁଟିଥିଲେ ।

ଏହା ବି ପଢନ୍ତୁ- ପୁଣି ଅଡୁଆରେ ଶ୍ରୀସାନ୍ତ, ୧୮.୭୦ ଲକ୍ଷ ଠକେଇ ଅଭିଯୋଗ ଆଣିଲେ କେରଳ ବ୍ୟକ୍ତି

ପଞ୍ଚ ତାରକା ହୋଟଲରେ ନକଲି ପେମେଣ୍ଟ:- ଦିଲ୍ଲୀର ତାଜ ହୋଟେଲରେ ଏହି ଠକ ଜଣକ ୨୦୨୨ରେ ରହିଥିଲେ । ସେଠାରେ ତାଙ୍କର ୫.୫ ଲକ୍ଷ ହୋଟେଲ ଭଡା ରହିଥିବା ବେଳେ ଏହି ଟଙ୍କା ନ ଦେଇ ସେ ଚମ୍ପଟ ମାରିଥିଲେ । ତାର ବିଲ୍‌କୁ ଆଡିଡାସ କମ୍ପାନୀ ଜମା କରିବ କହି ସେଠାରୁ ଚମ୍ପଟ ମାରିଥିଲେ । ଏହାସହିତ ୨ ଲକ୍ଷର ଏକ ନକଲି ଟ୍ରାଞ୍ଜାକ୍ସନ ମଧ୍ୟ କରିଥିଲେ । ଏହି କ୍ରିକେଟର ଜଣକ ଏକାଧିକ ସ୍ଥାନରେ ଲୁଟ କରି ବିଦେଶ ଯିବା ଲାଗି ସଜବାଜ ହେଉଥିବା ବେଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୋଲିସ ତାକୁ ଗିରଫ କରିଛି ।

ହରିୟାଣା ଓ ପଞ୍ଜାବରେ ରହିଛି ଏକାଧିକ ମାମଲା:- ଦିଲ୍ଲୀ ପୋଲିସର ଡିସିପି ପ୍ରବଣ ତାୟଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ମୃଣାଙ୍କ ସିଂହକୁ ଗିରଫ କରିବା ପରେ ତା' ବିରୋଧରେ ଆଉ ୫ଟି ମାମଲା ସାମ୍ନାକୁ ଆସିଛି । ଏହି ମାମଲା ହରିୟାଣା ଓ ପଞ୍ଜାବରେ ରୁଜୁ ହୋଇଛି । ଏହି ଅଭିଯୋଗ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ହୋଟେଲ, ବାର, ରେସ୍ତୋରାଁ, ଯୁବତୀ, କ୍ୟାବ ଡ୍ରାଇଭର ଓ ଏଭଳି ଅନେକ ରହିଛନ୍ତି । ଏପରିକି ଛୋଟ ଛୋଟ ଫୁଡ ଷ୍ଟଲ ପକ୍ଷରୁ ମଧ୍ୟ ଏହି ଅଭିଯୋଗ ଆସିଛି ।" ତଦନ୍ତ ବେଳେ ଜଣାପଡ଼ିଛି ଯେ ମୃଣାଙ୍କ ଅନେକ ନାମିଦାମି ମଡେଲଙ୍କ ସହିତ ସମ୍ପର୍କରେ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.