ETV Bharat / politics

ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ ନେଇ ରାମମନ୍ଦିର ସାମ୍ନାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ - BJP Protest For Ratna Bhandar Issue

author img

By ETV Bharat Odisha Team

Published : May 22, 2024, 10:08 PM IST

BJP Protest For Ratna Bhandar Issue: ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗରେ ବିଜେପି ଆପଣାଇଛି ଆକ୍ରମଣାତ୍ମକ ଆଭିମୁଖ୍ୟ । ଏନେଇ ଆଜି ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ ନେଇ ରାମମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଅଧିକ ପଢନ୍ତୁ

BJP Protest For Ratna Bhandar Issue
BJP Protest For Ratna Bhandar Issue (ETV Bharat Odisha)

BJP Protest For Ratna Bhandar Issue (ETV Bharat Odisha)

ଭୁବନେଶ୍ବର: ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା । ଯାହାକୁ ନେଇ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ଚାଲିଛି ଚର୍ଚ୍ଚା, ଆଲୋଚନା ଏବଂ ସମାଲୋଚନା । କେନ୍ଦ୍ରରୁ ବିଜେପି ଶୀର୍ଷ ନେତୃତ୍ଵମାନେ ବି ଓଡିଶାକୁ ଆସି ରତ୍ନଭଣ୍ଡାର ପ୍ରସଙ୍ଗରେ ବର୍ଷୁଛନ୍ତି । ବିଜେପି ରତ୍ନଭଣ୍ଡାରକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି । ଆଜି ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ ନେଇ ରାମମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ।

ଦୀର୍ଘ ୪୫ ବର୍ଷ ଧରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଇନାହିଁ । ୨୦୧୮ ମସିହାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଭେଳିକି ଦେଖାଇ ରତ୍ନ ଭଣ୍ଡାର ଖୋଲିନାହାନ୍ତି, ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି । ଜଗନ୍ନାଥ ଭକ୍ତ ଓ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ରତ୍ନଭଣ୍ଡାର ଖୋଲିବା ନେଇ ସର୍ବଦା ଦାବି ରଖିଆସିଛି ରାଜ୍ୟ ବିଜେପି । ରତ୍ନ ଭଣ୍ଡାର ଖୋଲିବାର ସମ୍ପୂର୍ଣ୍ଣ ଦାୟିତ୍ବ ରାଜ୍ୟ ସରକାରଙ୍କର । ୪ ଅଗଷ୍ଟ ୨୦୨୩ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିଶ କରିବା ସତ୍ତ୍ବେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଳିବା ପାଇଁ ଏତେ ମାତ୍ରାରେ ଭୟ କରୁଛନ୍ତି କାହିଁକି ? ଉଚ୍ଚ ନ୍ୟାୟାଳୟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଉଭୟଙ୍କ ସୁପାରିସକୁ ଅବମାନନା କରିବାର କାରଣ କଣ ? ରତ୍ନଭଣ୍ଡାର ଖାଲି ହୋଇଯାଇଛି କି ?

ଏହା ମଧ୍ୟ ପଢନ୍ତୁ ...ନିର୍ବାଚନୀ ପଶାପାଲିରେ ରତ୍ନଭଣ୍ଡାର, ଆଟାକିଂ ମୁଡ୍ ରେ ବିଜେପି - BJP Raise Ratna Bhandar Issue

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ରତ୍ନ ଭଣ୍ଡାରରୁ ରତ୍ନ ଚୋରି ହୋଇଯାଇନି ତ । ଚାବି ସତରେ ହଜିଛି ନା କେବଳ ନାଟକ କରୁଛନ୍ତି ସରକାର । ଏଥି ପାଇଁ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ । ଶ୍ରୀମନ୍ଦିରରେ ଚାବି ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଆଜି ଡିଏମକେ ନେତା ଷ୍ଟାଲିନଙ୍କ ମନ୍ତବ୍ୟ ପରେ ଜଣା ପଡୁଛି ଯେ ଓଡିଶାରେ ଡିଏମକେର ଏଜେଣ୍ଟ ଅଛନ୍ତି । ସେମାନେ ଚାବି ନେଇଛନ୍ତି । ରାଜ୍ୟର ମୁଖିଆ ଭାବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିର ସୁରକ୍ଷା ତାଙ୍କର ଦାୟିତ୍ବ । ତେଣୁ ରାଜ୍ୟବାସୀଙ୍କ ସମ୍ମୁଖରେ ସେ ନିଜର ଉତ୍ତର ରଖନ୍ତୁ ।"

ଓଡ଼ିଆ ଅସ୍ମିତାକୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରୁଛି ବିଜେଡି । ସେଥିପାଇଁ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । କୁଆଡେ ଗଲା ରତ୍ନଭଣ୍ଡାରର ଚାବି ତାହା ଓଡ଼ିଶାରେ ଅଛି ନା ତାହା ତାମିଲନାଡୁକୁ ଚାଲିଯାଇଛି ? ରତ୍ନଚୋରୀରେ କିଏ ଅଛନ୍ତି ସାମିଲ? କେଉଁ କଳାପାହାଡକୁ ଘଣ୍ଟ ଘୋଡାଉଛି ବିଜେଡି ବୋଲି ପ୍ରଶ୍ନ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.