ETV Bharat / bharat

ପୁଣି ଅଡୁଆରେ ଶ୍ରୀସାନ୍ତ, ୧୮.୭୦ ଲକ୍ଷ ଠକେଇ ଅଭିଯୋଗ ଆଣିଲେ କେରଳ ବ୍ୟକ୍ତି

author img

By ETV Bharat Odisha Team

Published : Nov 23, 2023, 5:53 PM IST

ପୁଣି ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସାନ୍ତ । ୧୮.୭୦ଲକ୍ଷ ଠକେଇ ଅଭିଯୋଗ ଆଣିଲେ କେରଳର ଜଣେ ବ୍ୟକ୍ତି । ଅଧିକ ପଢନ୍ତୁ

S Sreesanth Booked in Fraud Case
S Sreesanth Booked in Fraud Case

ଥିରୁଅନନ୍ତପୁରମ: ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ପିଛା ଛାଡୁନି ବିବାଦ । ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେରଳର ଜନୈକ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ଶ୍ରୀସାନ୍ତଙ୍କ ବିରୋଧରେ ୧୮.୭୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣି ପୁଣି ତାଙ୍କୁ ବିବାଦ ଘେରକୁ ଟାଣିଛନ୍ତି । ତେବେ ଶ୍ରୀସାନ୍ତଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କ ନାଁରେ ଏହି ସମାନ ଅଭିଯୋଗ ଆସିଛି ।

କେରଳ କନ୍ନୁର ଜିଲ୍ଲା ଚେରୁକୁନ୍ନୁ ଅଧିବାସୀ ତଥା ଆବେଦନକାରୀ ସରିଗ ବାଲାଗୋପାଲଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୯ ଏପ୍ରିଲ ୨୫ ତାରିଖଠାରୁ ବିଭିନ୍ନ ପର୍ଯ୍ୟାୟରେ ତାଙ୍କଠାରୁ ୧୮ ଲକ୍ଷ ୭୦ ହଜାର ଟଙ୍କା ହଡ଼ପ କରାଯାଇଛି । ସେମାନେ ଆବେଦନକାରୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେମାନେ କନ୍ନୁର ଠାରେ ଏକ କ୍ରିକେଟ ଏକାଡେମୀ ନିର୍ମାଣ କରିବେ, ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ଅଂଶୀଦାର ମଧ୍ୟ ରହିଛି । ଆବେଦନକାରୀଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଏଥିରେ ଅଂଶୀଦାର କରାଯିବ ବୋଲି କୁହାଯାଇଥିଲା । ଏହି ଆଧାରରେ ସେମାନେ ତାଙ୍କଠାରୁ ଏହି ଅର୍ଥ ନେଇଥିବା ଆବେଦନକାରୀ ଜଣକ କହିଛନ୍ତି ।

ଏହା ବି ପଢନ୍ତୁ- କୋହଳ ହେଲା ଶ୍ରୀସାନ୍ତଙ୍କ ଦଣ୍ଡାଦେଶ

ଏହି ଠକେଇ ମାମଲାରେ ଶ୍ରୀସାନ୍ତଙ୍କୁ ତୃତୀୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଉଦୁପି ଅଧିବାସୀ ରାଜୀବ କୁମାର ପ୍ରଥମ ଅଭିଯୁକ୍ତ ରହିଥିବା ବେଳେ କେ ଭେଙ୍କଟେଶ କିନି ହେଉଛନ୍ତି ଦ୍ବିତୀୟ ଅଭିଯୁକ୍ତ । ଏମାନଙ୍କ ବିରୋଧରେ ଆଇପିଏଲର ଧାରା ୪୨୦ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି । ଯେତେବେଳେ କୌଣସି କ୍ରୀଡା ଏକାଡେମୀ ନିର୍ମାଣ ହେଉନଥିବା ସମ୍ପର୍କରେ ଆବେଦନକାରୀ ଜଣକ ଜାଣିବାକୁ ପାଇଥିଲେ, ଏହାପରେ ସେ ଟଙ୍କା ଫେରସ୍ତ କରିବା ଲାଗି ପ୍ରଥମ ଓ ଦ୍ବିତୀୟ ଅଭିଯୁକ୍ତଙ୍କ ନିକଟରେ ଦାବି କରିଥିଲେ ।

ଆବେଦନକାରୀ ସରିଗଙ୍କ ଅଭିଯୋଗ ଅନୁସାରେ ସେ ଏନେଇ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସାନ୍ତଙ୍କୁ ମଧ୍ୟ ଭେଟିଥିଲେ । ୨ ଅଭିଯୁକ୍ତ ରାଜୀବ ଓ ଭେଙ୍କଟେଶ ତାଙ୍କୁ ଯାହା କହିଥିଲେ ଶ୍ରୀସାନ୍ତ ମଧ୍ୟ ତାଙ୍କୁ ସମାନ କଥା କହିଥିଲେ ବୋଲି ସରିଗ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ କିନ୍ତୁ ଶ୍ରୀସାନ୍ତ ନିଜ ପ୍ରତିଶୃତିରୁ ଓହରି ଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଶ୍ରୀସାନ୍ତଙ୍କ ଏଥିରେ ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଏଯାବତ ସ୍ପଷ୍ଟ ହୋଇନାହିଁ । ଶ୍ରୀସାନ୍ତ ବାସ୍ତବରେ ଏଥିରେ ଜଡ଼ିତ କି କେବଳ ତାଙ୍କ ନାଁ ନାହିଁ ଏହି ଠକେଇ କରାଯାଇଛି ତାହା ତଦନ୍ତ ପରେ ଜଣାପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.