ETV Bharat / bharat

Ordinance Controversy: କାଲି ଅଖିଳେଶଙ୍କୁ ଭେଟିବେ କେଜ୍ରିଓ୍ବାଲ

author img

By

Published : Jun 6, 2023, 8:15 PM IST

Centre's ordinance controversy: କାଲି ଅଖିଳେଶଙ୍କୁ ଭେଟି ଆଲୋଚନା କରିବେ କେଜ୍ରିଓ୍ବାଲ
Centre's ordinance controversy: କାଲି ଅଖିଳେଶଙ୍କୁ ଭେଟି ଆଲୋଚନା କରିବେ କେଜ୍ରିଓ୍ବାଲ

କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ କାଲି ଅଖିଳେଶଙ୍କୁ ଭେଟି ଆଲୋଚନା କରିବେ କେଜ୍ରିଓ୍ବାଲ । ପୂର୍ବରୁ ଏକାଧିକ ନେତା ଦେଇସାରିଛନ୍ତି କେଜ୍ରିଓ୍ବାଲଙ୍କୁ ସମର୍ଥନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ରାଜନୈତିକ ସମର୍ଥନ ହାସଲ କରିବା ଜାରି ରଖିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆସନ୍ତାକାଲି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଭେଟିବେ । ଏହି ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ପୂର୍ବରୁ କେଜ୍ରିଓ୍ବାଲ ଏକାଧିକ ବିରୋଧୀ ନେତାଙ୍କୁ ଭେଟି ଆଲୋଚନା କରିବା ସହ ସମର୍ଥମ ମଧ୍ୟ ହାସଲ କରିସାରିଛନ୍ତି ।

ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଯାଇଥିଲା । ଦିଲ୍ଲୀର ନିର୍ବାଚିତ ସରକାର ହିଁ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିପାରିବ ବୋଲି କୋର୍ଟ କହିଥିଲେ । କେବଳ ନିର୍ଦ୍ଧାରିତ ପ୍ରସଙ୍ଗ ବ୍ୟତୀତ ଉପରାଜ୍ୟପାଳ ସମସ୍ତ ପ୍ରସଙ୍ଗରେ ହସ୍ତକ୍ଷେପ ନକରନ୍ତୁ ବୋଲି କୋର୍ଟ କହିଥିଲେ । କୋର୍ଟଙ୍କ ରାୟ ପ୍ରକାଶ ପାଇବାର ମାତ୍ର ଗୋଟିଏ ଦିନ ମଧ୍ୟରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଏକ ପ୍ରାଧିକରଣ ଗଠନ କରିଥିଲେ । ଏହି ପ୍ରାଧିକରଣ ହିଁ ପ୍ରଶାସନିକ ପ୍ରସଙ୍ଗରେ ଚୂଡାନ୍ତ ନିର୍ଣ୍ଣୟକାରୀ ହେବା ନେଇ ନିୟମ ଆଣିଥିଲେ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ପଦରେ ଥିଲେ ସୁଦ୍ଧା ସର୍ତ୍ତାବଳୀ ଅନୁସାରେ, ପ୍ରକୃତ କ୍ଷମତା ଉପରାଜ୍ୟପାଳଙ୍କ ନିକଟରେ ନ୍ୟସ୍ତ ରହିବାର ବ୍ୟବସ୍ଥା ରହିଥିଲା । ଯାହାକୁ ନେଇ ଦିଲ୍ଲୀ ସରକାର କୋର୍ଟରେ ଚ୍ୟାଲେଞ୍ଜ କରିବାର ଅପେକ୍ଷାରେ ରହିଛନ୍ତି ।

ଅନ୍ୟପଟେ ଆଇନଗତ ଲଢେଇ ବ୍ୟତୀତ ଦିଲ୍ଲୀ ସରକାର ଏହି ଅଧ୍ୟାଦେଶକୁ ସଂସଦରେ ପାରିତ କରାଇ ନଦେବା ପାଇଁ ବିରୋଧୀଙ୍କ ସମର୍ଥନ ମଧ୍ୟ ହାସଲ କରିବାରେ ଲାଗିଛନ୍ତି । ଏହା ପୂର୍ବରୁ ମୁଖ୍ଯମନ୍ତ୍ରୀ ତଥା ଆପ ମୁଖ୍ୟ କେଜ୍ରିଓ୍ବାଲ ବିଜେପି ଉପରେ ବର୍ଷିବା ସହ ସମସ୍ତ ବିରୋଧୀ ତଥା ଅଣ ବିଜେପି ନେତାଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିସାରିଛନ୍ତି । ପୂର୍ବରେ ସେ କଂଗ୍ରେସ, ନୀତିଶ କୁମାର, ଶରଦ ପାଓ୍ବାର, ଉଦ୍ଧବ ଠାକରେ ଓ କେସିଆରଙ୍କ ଠାରୁ ସମର୍ଥନ ହାସଲ କରିସାରିଛନ୍ତି । ଏବେ ମଧ୍ୟ ଅବଶିଷ୍ଟ ବିଜେପି ବିରୋଧୀ ନେତାଙ୍କୁ ସେ ଭେଟିବାକୁ ଯାଉଛନ୍ତି । ଏହି କ୍ରମରେ ସେ ଆସନ୍ତାକାଲି ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । ଏବେ ଗ୍ରୀଷ୍ମକାଳୀନ ଅବକାଶ ପାଇଁ ସର୍ବୋଚ୍ଚ କୋର୍ଟ ବନ୍ଦ ଥିବାରୁ ଦିଲ୍ଲୀ ସରକାର ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.