ETV Bharat / bharat

କୋଟିଆ ପ୍ରସଙ୍ଗକୁ ସାମ୍ବିଧାନିକ ସଙ୍କଟ କହିଲା ଓଡିଶା

author img

By

Published : Feb 11, 2021, 9:42 PM IST

କୋଟିଆ ପ୍ରସଙ୍ଗକୁ ସାମ୍ବିଧାନିକ ସଙ୍କଟ କହିଲା ଓଡିଶା
କୋଟିଆ ପ୍ରସଙ୍ଗକୁ ସାମ୍ବିଧାନିକ ସଙ୍କଟ କହିଲା ଓଡିଶା

ସାରା ଦେଶରେ ଏବେ କେନ୍ଦ୍ର ବିନ୍ଦୁ ପାଲଟିଛି ଓଡିଶାର କୋଟିଆ ପଞ୍ଚାୟତ, ଯାହା ଉପରେ ରହିଛି ପଡୋଶୀ ଆନ୍ଧ୍ରପ୍ରଦେଶର ଆଖି । ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଏହି ପ୍ରସଙ୍ଗରେ ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି, ସୀମାରେ ଏକ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦୀର୍ଘ 50 ବର୍ଷରୁ ଅଧିକ ସମୟ ଧରି ଚାଲି ଆସୁଥିବା ଆନ୍ଧ୍ରପ୍ରଦେଶ-ଓଡିଶା ସୀମା ବିବାଦ ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସାରା ଦେଶରେ ଏବେ କେନ୍ଦ୍ର ବିନ୍ଦୁ ପାଲଟିଛି ଓଡିଶାର କୋଟିଆ ପଞ୍ଚାୟତ, ଯାହା ଉପରେ ରହିଛି ପଡୋଶୀ ଆନ୍ଧ୍ରପ୍ରଦେଶର ଆଖି । କୋଟିଆ ଉପରେ ଜୋର ଜବରଦସ୍ତ ନିଜର ଦଖଲ ଜାହିର କରିବାକୁ ପ୍ରୟାସ ଚଳାଇଛି ଆନ୍ଧ୍ରପ୍ରଦେଶ ।

ପ୍ରତିଥର ଭଳି ଏଥର ମଧ୍ୟ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଲା । ଗତମାସ 31 ତାରିଖରେ ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳମ ଅନ୍ତର୍ଗତ 9ଟି ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ଆନ୍ଧ୍ରର ଏହି 9 ଟି ପଞ୍ଚାୟତ ମଧ୍ୟରେ ଓଡ଼ିଶାର କୋଟିଆ ପଞ୍ଚାୟତର ତିନୋଟି ଗାଁ ତଳଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ନିର୍ବାଚନ ହେଉଥିବା ଯୋଗୁଁ କୋରାପୁଟରେ ଏହା ଆଲୋଡନ ସୃଷ୍ଟି କରିଛି ।

କୋଟିଆରେ ଆନ୍ଧ୍ରପ୍ରେଶର ନିର୍ବାଚନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଆବେଦନ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ଶୁକ୍ରବାର ଶୁଣାଣି କରିବେ । କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଦାଲତ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଥିଲେ । ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ଆବେଦନ ଦାଖଲ କରାଯାଇଥିଲା ।

ତେବେ କୋଟିଆ ପ୍ରଂସଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ମଙ୍ଗଳବାର ଆଇନ ବିଭାଗ AOR (Advocate On Record) ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖିଥିଲେ ରାଜ୍ୟସରକାର । କୋରାପୁଟ କୋଟିଆର 3 ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ଦ୍ବାରା କରାଯାଉଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଛି ।

ସେପଟେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଏହି ପ୍ରସଙ୍ଗରେ ଜରୁରୀ ଶୁଣାଣି କରିବାକୁ କହିଛନ୍ତି । ସେ କହିଛନ୍ତି, ସୀମାରେ ଏକ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି ଏବଂ ସ୍ଥିତି ବଜାୟ ରଖିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ବେ ଆନ୍ଧ୍ରପ୍ରଦେଶ ଓଡିଶାର ଜମି ଦଖଲ କରିବାକୁ ଚେଷ୍ଟା କରୁଛି।

କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଞ୍ଚଳରେ ରହିଛି ଏହି କୋଟିଆ ପଞ୍ଚାୟତର ଗାଁଗୁଡିକ । କୋଟିଆରେ 21ଟି ଗାଁ ଅଛି । 1968 ମସିହାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଏହି ଆଦେଶ ପାରିତ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ସମାନ ଆଦେଶ ଜାରି ରହିଛି ବୋଲି ଓଡିଶା ସରକାର ଦାବି କରିଛନ୍ତି ।

5 ମାର୍ଚ୍ଚ 2020ରେ ଆନ୍ଧ୍ରପ୍ରଦେଶ ସରକାର ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋଟିଆକୁ ବିଜୟନଗରମ ଜିଲ୍ଲାର କହି ତିନୋଟି ଗାଁରେ ବିଜ୍ଞପ୍ତି ଜାରି କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.