ETV Bharat / bharat

'ତିସରି ବାର୍‌ ମୋଦି ସରକାର, ଅବ କି ବାର ୪୦୦ ପାର'

author img

By ETV Bharat Odisha Team

Published : Jan 2, 2024, 9:04 PM IST

Teesri baar Modi Sarkar: ୨୦୨୪ ନିର୍ବାଚନ ପାଇଁ ବିଜେପିର ନୂଆ ସ୍ଲୋଗାନ । ଏହି ନାରା ଦେଇ ପ୍ରଚାର କରିବ ବିଜେପି । ଅଧିକ ପଢନ୍ତୁ

Teesri baar Modi Sarkar
Teesri baar Modi Sarkar

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ରାଜନୈତିକ ମାହୋଲ ସରଗରମ ହେଉଛି । ସମସ୍ତ ଦଳ ଏକପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କଲେଣି । ଏହାରି ମଧ୍ୟରେ ଲୋକସଭା ନିର୍ବାଚନ ଲାଗି ନୂଆ ସ୍ଲୋଗାନ ଆଣିଛି ବିଜେପି । ଆଜି (ମଙ୍ଗଳବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ବରେ ଏକ ବୈଠକ ବସିଥିଲା । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 'ତିସରି ବାର୍‌ ମୋଦି ସରକାର, ଅବ କି ବାର ୪୦୦ ପାର' ନାରା ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ପ୍ରାୟ ୨ ଘଣ୍ଟା ଧରି ବସିଥିଲା ଏହି ବୈଠକ । ଏଥିରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ସାଧାରଣ ସମ୍ପାଦକ ତରୁଣ ଚୁଘ, ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଉପସ୍ଥିତ ଥିଲେ । ବୈଠକ ପରେ ଦଳର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, " ଆଗାମୀ ନିର୍ବାଚନ ଲାଗି ବିଜେପି ନୂଆ ନାରା ସମ୍ପର୍କରେ ନିଷ୍ପତ୍ତି ନେଇଛି । ଏହି ନିର୍ବାଚନରେ ୪୦୦ ଆସନ ହାତେଇବା ଲାଗି ଦଳର ଲକ୍ଷ୍ୟ ରହିଛି । ଏଥିଲାଗି ନୂଆ ନାରା ହେଉଛି 'ତିସରି ବାର୍‌ ମୋଦି ସରକାର, ଅବ କି ବାର ୪୦୦ ପାର' ।"

ଏହା ବି ପଢନ୍ତୁ- ବିଜେପିକୁ ସଞ୍ଜୟ ରାଉତଙ୍କ ସିଧା ନିଶାନା, କହିଲେ ବାରଣାସୀରେ ମୋଦିଙ୍କ ବିପକ୍ଷରେ ଲଢିଲେ ନିଶ୍ଚୟ ଜିତିବେ ପ୍ରିୟଙ୍କା

ଏହାସହିତ ବିଜେପି ଏହି ବୈଠକରେ ରାଜ୍ୟ, ବିଧାନସଭା ଓ ଲୋକସଭା ସ୍ତରରେ ସଂଯୋଜକ ଓ ସହ-ସଂଯୋଜକ ଚୟନ କରିଛି । ତେବେ ଆଗାମୀ ଦିନରେ ଲୋକସଭା ମଣ୍ଡଳୀକୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖ ପରେ ସାରା ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରି ଜନସଭାରେ ଯୋଗ ଦେବେ ।

ସୂଚନା ଥାଉ କି ୨୦୧୪ ମସିହାରେ ଲୋକସଭା ନିର୍ବାଚନ ଲାଗି ବିଜେପି 'ଅଚ୍ଛେ ଦିନ ଆନେ ବାଲା ହେ' ନାରା ଦେଇଥିଲା । ସେହିପରି ୨୦୧୯ ସାଧାରଣ ନିର୍ବାଚନ ସମୟରେ 'ଫିର ଏକ ବାର ମୋଦି ସରକାର' ଦେଇଥିଲା ବିଜେପି । ଏହି ୨ଟି ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିକୁ ବଡ଼ ବିଜୟ ମିଳିଥିଲା । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଥର ଦାବି କରିଛନ୍ତି ଯେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ବିଜେପି ହାଟ୍ରିକ ବିଜୟ ଲାଭ କରିବ ବୋଲି ମଧ୍ୟ ସେ କହିଛନ୍ତି । ୨୦୨୪ରେ ଗୋଟିଏ ପଟେ ବିଜେପି ନେତୃତ୍ବାଧୀନ NDA ମେଣ୍ଟ ଓ INDIA ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.