ETV Bharat / bharat

ଜନ୍ମ ପ୍ରମାଣପତ୍ର ଜାଲିଆତି ମାମଲା: ପୁଅ ସମେତ ଆଜମ ଖାନ ଓ ପତ୍ନୀଙ୍କୁ 7 ବର୍ଷ ଜେଲ

author img

By ETV Bharat Odisha Team

Published : Oct 18, 2023, 8:22 PM IST

ଜନ୍ମ ପ୍ରମାଣପତ୍ର ମାମଲାରେ ପୁଅ ସମେତ ଆଜାମ ଖାନ ପରିବାର ଦୋଷୀ ସାବ୍ୟସ୍ତ । ଆଜମ, ପୁଅ ଓ ପତ୍ନୀଙ୍କୁ 7 ବର୍ଷ କାରାଦଣ୍ଡ । 2017 ବିଧାନସଭା ନିର୍ବାଚନରେ ବୟସ ହୋଇନଥିଲେ ସୁଦ୍ଧା ଜାଲି ଜନ୍ମ ପ୍ରମାଣପତ୍ରରେ ନାମାଙ୍କନ ଭରି ଆଜମଙ୍କ ପୁଅ ଲଢିଥିଲେ ନିର୍ବାଚନ । ଅଧିକ ପଢନ୍ତୁ

ଜନ୍ମ ପ୍ରମାଣପତ୍ର ଜାଲିଆତି ମାମଲା: ଆଜମ ଖାନଙ୍କ ପୁଅ ଦୋଷୀ ସାବ୍ୟସ୍ତ
ଜନ୍ମ ପ୍ରମାଣପତ୍ର ଜାଲିଆତି ମାମଲା: ଆଜମ ଖାନଙ୍କ ପୁଅ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ଲାଗିଛି ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ପରିବାର । ପୁଅ ଅବଦୁଲ୍ଲା ଆଜାମ ଖାନଙ୍କୁ ଦୁଇଟି 2017 ବିଧାନସଭା ନିର୍ବାଚନରେ ଜାଲି ଜନ୍ମ ପ୍ରମାଣପତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଏହା ସହ ଏହି ମାମଲାରେ ଆଜମ ଓ ତାଙ୍କ ପତ୍ନୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସମସ୍ତଙ୍କୁ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି (ବୁଧବାର) ରାମପୁର ଏମପି/ଏମଏଲଏ କୋର୍ଟ ଏହି ମାମଲାର ଶୁଣାଣି କରି ପୁଅ ଅବଦୁଲ୍ଲାଙ୍କ ସମେତ ଆଜମ ଖାନ ଓ ପତ୍ନୀ ତାଜିନ ଫତିମାଙ୍କୁ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପ୍ରତ୍ୟେକଙ୍କୁ 15,000 ଟଙ୍କା ଜରିମାନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଖାରଜ ହେଲା ଆଜମଙ୍କ ରିଭ୍ୟୁ ପିଟିସନ:-

ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁରର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ପ୍ରତିପକ୍ଷ ଅର୍ଥାତ୍ ଆଜାମ ଖାନଙ୍କୁ 16 ଅକ୍ଟୋବର ପର୍ଯ୍ୟନ୍ତ ପକ୍ଷ କରିବାକୁ ସମୟ ଦେଇଥିଲେ । ତା’ପରେ 16 ତାରିଖ ଶୁଣାଣି ଆଜମଙ୍କ ପକ୍ଷରୁ ଆଉ କିଛି ଦିନ ସମୟ ମଗାଯାଇଥିଲା । ଯାହାକୁ କୋର୍ଟ ଖାରଜ କରିବା ସହ ଆଜି ରାୟ ପ୍ରକାଶ କରିଛନ୍ତି । ଆଜି ଶୁଣାଣିରେ କୋର୍ଟରେ ଆଜାମ ଖାନ ସପରିବାର ହାଜର ହୋଇଥିଲେ । ଏଥିରେ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 7 ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ପ୍ରତ୍ୟେକଙ୍କୁ 15 ହଜାର ଟଙ୍କା ଲେଖାଏଁ ଜୋରିମାନା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ପାଇଛନ୍ତି ।

କ’ଣ ଥିଲା ପୁରା ମାମଲା:

2017 ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଆଜମଙ୍କ ପୁଅ ଅବଦୁଲ୍ଲା ବିଧାୟକ ପ୍ରାର୍ଥୀ ଭାବେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢିଥିଲେ । ସେତେବେଳେ ଅବଦୁଲ୍ଲାଙ୍କୁ ନିର୍ବାଚନରେ ଲଢିବା ପାଇଁ ଆବଶ୍ୟକ ବୟସ ହୋଇନଥିବା ଓ ନିର୍ବାଚନୀ ନାମାଙ୍କନରେ ମିଥ୍ୟା ଜନ୍ମ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ସହ ରାମପୁରର ବର୍ତ୍ତମାନର ବିଜେପି ବିଧାୟକ ଆକାଶ ସକ୍ସେନା ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ଅବଦୁଲ୍ଲା ଦୁଇଟି ଜନ୍ମ ପ୍ରମାଣପତ୍ର ଦାଖଲ କରିଥିଲେ । ଏହା ପରେ ଏହି ମାମଲା ସ୍ଥାନୀୟ ଏମପି /ଏମଏଲଏ କୋର୍ଟରେ ପହଞ୍ଚିଥିଲା । ଆଜି ଏହାର ରାୟ ପ୍ରକାଶ ପାଇବା ସହ ପୁରା ଖାନ ପରିବାର ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- କଂଗ୍ରେସ ହାଇକମାଣ୍ଡ ଭାବେ ଖଡଗେଙ୍କ ବର୍ଷେ ପୂର୍ତ୍ତି: କେତେ ସଫଳ, କ’ଣ ରହିଛି ଚ୍ୟାଲେଞ୍ଜ

ଏକଦା ଉତ୍ତର ପ୍ରଦେଶ ରାଜନୀତିରେ ବାହୁବଳୀ ନେତା ଭାବେ ପରିଚିତ ଥିବା ଆଜମ ଖାନ ଏବେ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଏକାଧିକ ଅପରାଧିକ ମାମଲା ମଧ୍ୟ ଆଜମଙ୍କ ନାମରେ ରହିଛି । ସେହିପରି ପୂର୍ବରୁ ଉଭୟ ବାପ-ପୁଅ ଭିନ୍ନ ଭିନ୍ନ ହେଟସ୍ପିଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ ପଦ ହରାଇ ସାରିଛନ୍ତି । ଏବେ ଜାଲି ଜନ୍ମ ପ୍ରମାଣପତ୍ର ମାମଲାରେ ମଧ୍ୟ ପୁରା ପରିବାର ଦୋଷୀ ସାବ୍ୟସ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.