ETV Bharat / bharat

କଂଗ୍ରେସ ହାଇକମାଣ୍ଡ ଭାବେ ଖଡଗେଙ୍କ ବର୍ଷେ ପୂର୍ତ୍ତି: କେତେ ସଫଳ, କ’ଣ ରହିଛି ଚ୍ୟାଲେଞ୍ଜ

author img

By ETV Bharat Odisha Team

Published : Oct 18, 2023, 7:30 PM IST

କାର୍ଯ୍ୟକାଳର ଏକବର୍ଷ ପୂର୍ତ୍ତି କଲେ ଦୀର୍ଘ 24 ବର୍ଷ ପରେ ଅଣଗାନ୍ଧୀ ପୃଷ୍ଠଭୂମିରୁ କଂଗ୍ରେସ ସଭାପତି ହୋଇଥିବା ମଲ୍ଲିକାର୍ଜୁନ ଖଡଗେ । ନେତୃତ୍ବକୁ ଦଳୀୟ ନେତାଙ୍କ ପ୍ରଶଂସା । ଅଧିକ ପଢନ୍ତୁ

କଂଗ୍ରେସ ହାଇକମାଣ୍ଡ ଭାବେ ଖଡଗେଙ୍କ ବର୍ଷେ ପୂର୍ତ୍ତି : କେତେ ସଫଳ, କଣ ରହିଛି ଚ୍ୟାଲେଞ୍ଜ
କଂଗ୍ରେସ ହାଇକମାଣ୍ଡ ଭାବେ ଖଡଗେଙ୍କ ବର୍ଷେ ପୂର୍ତ୍ତି : କେତେ ସଫଳ, କଣ ରହିଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦୀର୍ଘ 24 ବର୍ଷର ବ୍ୟବଧାନ ପରେ ଅଣଗାନ୍ଧୀ ପୃଷ୍ଠଭୂମିରୁ କଂଗ୍ରେସ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡେଗ ଆଜି ନିଜ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି କରିଛନ୍ତି । ଗତବର୍ଷ ଆଜିର ଦିନରେ ଖଡଗେ ଦଳୀୟ ନିର୍ବାଚନ ପରେ ସର୍ବପୁରାତନ ତଥା ବର୍ତ୍ତମାନର ମୁଖ୍ୟ ବିରୋଧୀ ରାଜନୈତିକ ଦଳ କଂଗ୍ରେସର କମାଣ ସମ୍ଭାଳିଥିଲେ । ତେବେ ତାଙ୍କ ନେତୃତ୍ବରେ ଦଳ ନିକଟରେ ଶେଷ ହୋଇଥିବା ଏକାଧିକ ରାଜ୍ୟର ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଦଳ ତାଙ୍କ ନେତୃତ୍ବରେ ସ୍ଥିରତା ପାଇଥିବା କହି ଦଳୀୟ ନେତାଏଁ ତାଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ।

1996ରେ କଂଗ୍ରେସ ଶେଷ ଅଣଗାନ୍ଧୀ ହାଇକମାଣ୍ଡଙ୍କ ନେତୃତ୍ବ ଦେଖିଥିଲା । ସିତାରମ କେଶରୀ, ଶରଦ ପାଓ୍ବାର ଓ ରାଜେଶ ଗେହଲଟଙ୍କୁ ପରାସ୍ତ କରି ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ସମ୍ଭାଳିଥିଲେ । ଏହା ପରେ ଦଳର ସାଙ୍ଗଠନିକ କମାଣ୍ଡ ସୋନିଆ ଗାନ୍ଧୀଙ୍କ ହାତକୁ ଆସିଥିଲା । ଗତବର୍ଷ 24 ବର୍ଷ ପରେ ପ୍ରଥମ ଅଣଗାନ୍ଧୀ ନେତା ଭାବେ ମଲ୍ଲିକାର୍ଜନ ଖଡଗେ ଦଳର ସଭାପତି ହୋଇଥିଲେ । ଗାନ୍ଧୀ ପରିବାରର ଆନୁଗତ୍ୟ କୁହାଯାଉଥିବା ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । 9 ହଜାରରୁ ଅଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଏଥିରେ ମତଦାନ କରିଥିବା ବେଳେ ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଦୂର ହେବ ସିକିମ ରୟତଙ୍କ ଜମି ସମସ୍ୟା: ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀ

ଖଡଗେଙ୍କ ନେତୃତ୍ବରେ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ଦଳ କ୍ଷମତାକୁ ଫେରିଛି । ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରି କଂଗ୍ରେସ ଶାସନକୁ ଆସିଥିଲା । ସେହିପରି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ମଧ୍ୟ ଦଳ ବିଜେପିକୁ କ୍ଷମତା ବାହାରକୁ ରାସ୍ତା ଦେଖାଇବାରେ ସଫଳ ହୋଇଥିଲା । ଯାହାକୁ ଖଡଗେଙ୍କ ନେତୃତ୍ବ ଓ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ର ପ୍ରଭାବ ବୋଲି ଦଳ କହିଥିଲା ।

ଆସନ୍ତାବର୍ଷ 2024 ସାଧାରଣ ନିର୍ବାଚନ ଥିବା ବେଳେ ଏହି ବର୍ଷ ଶେଷ ସୁଦ୍ଧା 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । କଂଗ୍ରେସ ଖଡଗେଙ୍କ ନେତୃତ୍ବରେ ଉଭୟ ବିଧାନସଭା ନିର୍ବାଚନ ଓ ଆସନ୍ତା ସାଧାରଣ ନିର୍ବାଚନ ଲଢିବାକୁ ଯାଉଛି । ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା 5 ରାଜ୍ୟ ମଧ୍ୟରେ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଶାସନରେ ରହିଛି । ଏହି ଦୁଇ ରାଜ୍ୟରେ କ୍ଷମତା ବଜାୟ ରଖିବା ସହ କଡା ଟକ୍କର ହେବାକୁ ଥିବା ମଧ୍ୟ ପ୍ରଦେଶରେ ବିଜେପି ବେଦଖଲ କରି କ୍ଷମତା ହାତେଇବାରେ ଖଡଗେଙ୍କ ନେତୃତ୍ବ କେତେ ପ୍ରଭାବଶାଳୀ ହେବ, ତାକୁ ବିରୋଧୀଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.