ETV Bharat / bharat

40 ହଜାର ପେଜ୍‌ର ଆସିଲା RTI ତଥ୍ୟ, SUVରେ ଘରକୁ ପେପର ନେଲେ ଆବେଦନକାରୀ

author img

By

Published : Jul 29, 2023, 10:35 PM IST

Updated : Jul 29, 2023, 10:47 PM IST

RTI ଆବେଦନକାରୀଙ୍କୁ ୪୦ ହଜାର ପୃଷ୍ଠାର ସୂଚନା
RTI ଆବେଦନକାରୀଙ୍କୁ ୪୦ ହଜାର ପୃଷ୍ଠାର ସୂଚନା

ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ଆବେଦନକାରୀ ସୂଚନା ଅଧିକାର ଆଇନ ବଳରେ କୋରୋନା କାଳରେ ଔଷଧ, ଚିକିତ୍ସା ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ସହ ଜଡିତ ବିଲ୍ ଦେୟ ବିଷୟରେ ସବିଶେଷ ତଥ୍ୟ ମାଗିଥିଲେ । ତେବେ ଜବାବରେ ଆବେଦନକାରୀଙ୍କୁ ୪୦ ହଜାର ପୃଷ୍ଠାର ସୂଚନା ମିଳିଛି । ଯାହାକୁ ସେ ନିଜ କାର୍‌ରେ ଭର୍ତ୍ତି କରି ଘରକୁ ନେଇଛନ୍ତି । ଅଧିକ ପଢ଼ନ୍ତୁ

ଭୋପାଳ: ସୂଚନା ଅଦିକାର ଆଇନ (ଆର୍‌ଟିଆଇ) ବଳରେ ଏକ ସୂଚନା ପାଇଁ ଆବେଦନ କରିଥିଲେ ଆବେଦନକାରୀ । ଏବଂ ତାଙ୍କୁ ମିଳିଲା ୪୦ ହଜାର ପୃଷ୍ଠାର ଉତ୍ତର । ହଁ ଆଜ୍ଞା, ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଆବେଦନକାରୀଙ୍କୁ ସୂଚନା ଅଧିକାର ଆଇନ ବଳରେ ମିଳିଛି ୪୦ ହଜାର ପୃଷ୍ଠାର ସୂଚନା । ଏହି ସମସ୍ତ ସୂଚନାକୁ ନିଜର ୪ ଚକିଆ ଯାନରେ ଭର୍ତ୍ତି କରି ଘରକୁ ନେଇଯାଇଛନ୍ତି ଆବେଦନକାରୀ । ତେବେ ମିଳିଥିବା ସୂଚନାର ପ୍ରତି ପୃଷ୍ଠା ପିଛା ୨ ଟଙ୍କା ଲେଖାଏଁ ଆବେଦନକାରୀଙ୍କୁ ପୈଠ କରିବାକୁ ପଡ଼ିଥାଏ । ହେଲେ ଉପରୋକ୍ତ ଘଟଣାରେ ୧ ମାସ ମଧ୍ୟରେ ଆବେଦନକାରୀଙ୍କୁ ସୂଚନା ମିଳିନଥିଲା । ଯେଉଁଥିପାଇଁ ଆବେଦନକାରୀଙ୍କୁ ସମସ୍ତ ସୂଚନା ନିଶୁଳ୍କ ପ୍ରଦାନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ଯୁଗ୍ମ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ । ଫଳରେ ରାଜ୍ୟ ସରକାରଙ୍କର ୮୦ ହଜାର ଟଙ୍କା କ୍ଷତି ହୋଇଛି ।

ସୂଚନାରେ ଭର୍ତ୍ତି ହୋଇଗଲା ଆବେଦନକାରୀଙ୍କ କାର୍‌: ଆବେଦନକାରୀ ହେଉଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ଧର୍ମେନ୍ଦ୍ର ଶୁକ୍ଳା । ଏନେଇ ସେ କହିଛନ୍ତି, "କୋରୋନା କାଳରେ ଔଷଧ, ଚିକିତ୍ସା ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ସହ ଜଡିତ ବିଲ୍ ଦେୟ ବିଷୟରେ ସବିଶେଷ ତଥ୍ୟ ପାଇଁ ଆବେଦନ କରିଥିଲି । ସୂଚନା ଅଧିକାର ବଳରେ ଇନ୍ଦୋର ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଏହି ଆବେଦନ କରିଥିଲି । ତେବେ ମୋତେ ୧ ମାସ ମଧ୍ୟରେ ସୂଚନା ପ୍ରଦାନ କରାଗଲା ନାହିଁ । ତେଣୁ ମୁଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ଯୁଗ୍ମ ନିର୍ଦ୍ଦେଶକଙ୍କ ନିକଟରେ ପୁନର୍ବାର ଆବେଦନ କରିଥିଲି । ସେ ମୋ ଆବେଦନକୁ ଗ୍ରହଣ କରିଥିଲେ ଏବଂ ମୋତେ ମାଗଣାରେ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମୋତେ ଯେତେବେଳେ ଏହାର ଜବାବ ୪୦ ହଜାର ପୃଷ୍ଠାର ସୂଚନା ସହିତ ମିଳିଲା । ଏହାକୁ ଘରକୁ ନେବା ପାଇଁ ମୋ କାର୍‌ରେ ଭର୍ତ୍ତି କରିବାବେଳେ କେବଳ ଚାଳକ ସିଟ୍‌ ବ୍ୟତୀତ ସମ୍ପୂର୍ଣ୍ଣ କାର୍‌ ଭର୍ତ୍ତି ହୋଇଯାଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...ମିଳୁନି RTI ତଥ୍ୟ, BDOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସରକାର ସହିଲେ ୮୦ ହଜାର ଟଙ୍କାର କ୍ଷତି: ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶରଦ ଗୁପ୍ତାଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ କହିଛନ୍ତି, "ଆବେଦନକାରୀଙ୍କୁ ମାଗଣାରେ ସୂଚନା ପ୍ରଦାନ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି । ତେବେ ସଠିକ ସମୟରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରାଯାଇନପାରିବାରୁ ସରକାରଙ୍କର ୮୦ ହଜାର ଟଙ୍କା କ୍ଷତି ହୋଇଛି । ଏଥିପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଁ ନିର୍ଦ୍ଦେଶ ଦେଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 29, 2023, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.