ETV Bharat / bharat

DRDOର ଗୋପନ ତଥ୍ୟ ଲିକ୍‌ କରୁଥିଲେ, ବନ୍ଧାହେଲେ ସାମ୍ବାଦିକ ଓ ପୂର୍ବତନ ନୌସେନା ଅଧିକାରୀ

author img

By

Published : May 18, 2023, 6:09 PM IST

ତଥ୍ୟ ଲିକ୍ ଅଭିଯୋଗରେ ସାମ୍ବାଦିକ ଓ ପୂର୍ବତନ ଜଳସେନା ଅଧିକାରୀ ଗିରଫ
A journalist and a naval officer have been arrested by CBI

ଡିଆରଡିଓର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ଅଭିଯୋଗରେ ଜଣେ ସାମ୍ବାଦିକ ଓ ଜଣେ ପୂର୍ବତନ ନୌସେନା ଅଧିକାରୀ ହୋଇଛନ୍ତି । ଗିରଫ ସାମ୍ବାଦିକଙ୍କ ନାଁ ବିବେକ ରଘୁବଂଶୀ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ଜଣକ ହେଲେ ପୂର୍ବତନ ନାଭି କମାଣ୍ଡର ଆଶିଷ ପଟ୍ଟନାୟକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ ଅଭିଯୋଗ । ଡିଆରଡିଓର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ଅଭିଯୋଗରେ ଜଣେ ସାମ୍ବାଦିକ ଓ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ । ତେବେ ଗିରଫ ହୋଇଥିବା ସାମ୍ବାଦିକଙ୍କ ନାଁ ବିବେକ ରଘୁବଂଶୀ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ଜଣକ ହେଉଛନ୍ତି ପୂର୍ବତନ ନାଭି କମାଣ୍ଡର ଆଶିଷ ପଟ୍ଟନାୟକ । ଆଶିଷ ଗତ ସେପ୍ଟମ୍ବରରୁ ପୋଲିସର ରାଡାରରେ ରହିଥିଲେ । ଅପରପକ୍ଷେ ରଘୁବଂଶୀ ମଧ୍ୟ ପୋଲିସର ସ୍କାନରରେ ଥିବାବେଳେ ତାଙ୍କ ଆକାଉଣ୍ଟକୁ ନିକଟରେ ୩ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । ଯାହାକି ପୋଲିସର ସନ୍ଦେହକୁ ଆହୁରି ବଢାଇ ଦେଇଛି । ତେବେ ଲେଖିଥିବା ଆର୍ଟିକିଲ ପାଇଁ ତାଙ୍କୁ ପେମେଣ୍ଟ ଆକାରରେ ଟଙ୍କା ଆସିଥିବା କହିଛନ୍ତି ବିବେକ ରଘୁବଂଶୀ ।

ଉଭୟଙ୍କୁ କାବୁ କରିବାକୁ ଚଢାଉ କରିଥିଲା ସିବିଆଇ । ଚଢାଉରେ ଲାପଟପ୍, ଟାବଲେଟ୍, ମୋବାଇଲ ଫୋନ, ହାର୍ଡ ଡିସ୍କ , ପେନ୍ ଡ୍ରାଇଭ ଭଳି ୪୮ଟି ଯନ୍ତ୍ରପାତି ଜବତ ହୋଇଛି । ଜବତ ଯନ୍ତ୍ରଗୁଡ଼ିକୁ ଫରେନ୍ସିକ ଡିପାର୍ଟମେଣ୍ଟକୁ ପଠାଇବା ସହ ଡାଟା ରିକଭେରି ପାଇଁ ପ୍ରୟାସ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ତଦନ୍ତରୁ ମିଳିଥିବା ତଥ୍ୟ ମୁତାବକ, ବିବେକ ରଘୁବଂଶୀ ଡିଫେନ୍ସ ନ୍ୟୁଜ୍‌ ପୋର୍ଟାଲରେ କାମ କରିବା ସହ ଭାରତୀୟ ସେନା ସମ୍ପର୍କରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା । ଅଭିଯୁକ୍ତ କ୍ଲାଉଡ ଆକାଉଣ୍ଟ ବ୍ୟବହାର କରି ତଥ୍ୟ ଦେଣନେଣ କରୁଥିବା ସନ୍ଦେହ କରାଯାଉଛି । ଖାଲି ସେତିକି ନୁହେଁ, ଅନେକ ବିଦେଶୀ ଏଜେନ୍ସିଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ଭାରତ ସମ୍ବନ୍ଧରେ ଭିତିରି ତଥ୍ୟ ଦେବା ପାଇଁ ଚୁକ୍ତି ମଧ୍ୟ କରିଥିଲା ବିବେକ ।

ପୂର୍ବରୁ ମଧ୍ୟ ଡିଆରଡିଓ ତଥ୍ୟ ଲିକ୍ ନେଇ ଅଭିଯୋଗ ଆସିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡିଆରଡିଓର ଗୋପନୀୟ ତଥ୍ୟ ଏବଂ ଦେଶର କ୍ଷେପଣାସ୍ତ୍ର ବାବଦରେ ମଧ୍ୟ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଛି । ଗୋଟିଏପଟେ ଆତଙ୍କବାଦୀ କାର୍ଯ୍ୟକଳାପ ବଢୁଥିବା ଆଶଙ୍କା ଥିବାବେଳେ ଅନ୍ୟପଟେ ଏଭଳି ଗୁପ୍ତତଥ୍ୟ ଲିକ୍ ଘଟଣା ଦେଶର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଗିରଫ ୨ ଅଭିଯୁକ୍ତଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ । ଏହାସହ ଏଭଳି ଘଟଣା ପଛରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ କେଉଁ କେଉଁ ଦେଶ ସହ ଯୋଗାଯୋଗରେ ଥିଲେ ଅଭିଯୁକ୍ତ ତାହାର ଖୋଳତାଡ଼ କରୁଛି ତଦନ୍ତକାରୀ ସଂସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.