ହାଇଦ୍ରାବାଦ : ଆଉ କିଛି ଦିନ ପରେ ବିଦାୟ ନେବ ବର୍ଷ ୨୦୨୩ । ଚଳିତ ବର୍ଷ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ସଫଳ ଉପଲବ୍ଧି ହାସଲ କରିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପାଇଁ ୨୦୨୩ ବର୍ଷ ସାଜିଛି ଘଟଣା ବହୁଳ ବର୍ଷ । ଚନ୍ଦ୍ରର ଦକ୍ଷିଣମେରୁରେ ପ୍ରଥମ ରାଷ୍ଟ୍ର ଭାବେ ଭାରତର ଚନ୍ଦ୍ରଯାନ-୩ର ସଫଳ ଅବତରଣଠାରୁ ଆରମ୍ଭକରି ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୧ର ପ୍ରେରଣ ଇସ୍ରୋର ସଫଳତାରେ ନୂଆ ଅଧ୍ୟାୟ ଯୋଡିଛି ।
ଭାରତର ପ୍ରଥମ ସୌର ମିଶନ :
ଏହା ଭାରତର ପ୍ରଥମ ସୌର ଅଧ୍ୟୟନ ମିଶନ । ସୌରମଣ୍ଡଳର ଏକମାତ୍ର ତଥା ସର୍ବାଧିକ ଉତପ୍ତ ନକ୍ଷତ୍ର ସୂର୍ଯ୍ୟ ସମ୍ପର୍କରେ ଏହି ମିଶନରେ ଅଧ୍ୟୟନ କରାଯିବ । ପୂର୍ବରୁ ଭାରତ ଏକାଧିକ ଉପଗ୍ରହ ପୃଥିବୀ ଓ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ପ୍ରେରଣ କରି ଅବସ୍ଥାପିତ କରିଛି । ତେବେ ଏହି ମିଶନର ନାମ ଏଲ-୧ ରଖାଯିବାର କାରଣ ହେଉଛି, ଏହି କୋରୋନାରୀ ସ୍ପେସକ୍ରାଫ୍ଟ ସୂର୍ଯ୍ୟଙ୍କର ଏଲ–୧ ଅର୍ବିଟାଲ ପଏଣ୍ଟରେ ସ୍ଥାପିତ ହୋଇ ଅଧ୍ୟୟନ କରିବ । ଏଲ–୧ ପଏଣ୍ଟ ହେଉଛି ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ କକ୍ଷପଥ ପଏଣ୍ଟ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଲାଗ୍ରାଙ୍ଗିଆନ୍ ପଏଣ୍ଟ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରୁ ସୂର୍ଯ୍ୟଙ୍କୁ ପରାଗ ବିନା ଦେଖିହେବ । ସେହିଠାରୁ ହିଁ ସୌରପୃଷ୍ଠରେ ଘଟୁଥିବା ପରିବର୍ତ୍ତନ, ସୂର୍ଯ୍ୟଙ୍କଠାରୁ ଆସୁଥିବା ଶକ୍ତିଶାଳୀ ସୌର ପବନ, ଏହାର କଣିକା ଓ ସୂର୍ଯ୍ୟଙ୍କ କିରଣରେ ଥିବା ରଙ୍ଗର ଉପାଦାନକୁ ଅଧ୍ୟୟନ କରିବ ଏହି ସ୍ପେସକ୍ରାଫ୍ଟ ।
ସ୍ବଦେଶୀ କୌଶଳରେ ନିର୍ମିତ ଯନ୍ତ୍ରାଂଶ :
ଭାରତୀୟ ସୂର୍ଯ୍ୟାଯାନ ଆଦିତ୍ୟ-ଏଲ୧ରେ ସାତୋଟି ପେଲୋଡ୍ସ ରହିଛି । ଏହି ମିଶନ୍ ସହିତ ଜଡିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପେଲୋଡ୍ସ ହେଉଛି ଭିଜିବଲ୍ ଲାଇନ୍ ଏମିସନ୍ କରୋନାଗ୍ରାଫ୍ (VELC) । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏକ୍ସଟ୍ରୋଫିକ୍କିସ ଦ୍ୱାରା ଏହାକୁ ତିଆରି କରାଯାଇଛି । ଏଥିରେ ବ୍ଯବହୃତ ହେବାକୁ ଥିବା ସୋଲାର ଅଲଟ୍ରାଭାଓଲେଟ୍ ଇମେଜର୍ ପେଲୋଡ୍ ପୁଣେ ସ୍ଥିତ ଅନ୍ତଃ ବିଶ୍ବବିଦ୍ୟାଳୟ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ ସେଣ୍ଟର ପକ୍ଷରୁ ବିକଶିତ କରିଛି । ସେହିପରି ସୌରପୃଷ୍ଠର ବାହାର ପରସ୍ତ ବା (କୋରନା)କୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା ‘କୋରନାଗ୍ରାଫ ପେଲୋଡ’ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIA) ଦ୍ୱାରା ବିକଶିତ ହୋଇଛି । ସୋଲାର ଲୋ–ଏନର୍ଜି ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ସୋଲେକ୍ସ) ଏବଂ ଉଚ୍ଚ ଶକ୍ତି L୧ ଅର୍ବିଟିଂ ଏକ୍ସ ସ୍ପକ୍ଟୋମିଟର ବେଙ୍ଗାଲୁରୁ ସ୍ଥିତ ୟୁଆର ସେହ ସାଟେଲାଇଟ ସେଣ୍ଟର ଦ୍ଵାରା ବିକଶିତ ହୋଇଛି । ସମ୍ପୂର୍ଣ୍ଣ ମିଶନରେ ବ୍ୟବହାର ହୋଇଥିବା ଯନ୍ତ୍ରାଂଶ ବିକଶିତ କରିବାରେ ସ୍ଵଦେଶୀ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦିଆଯାଇଛି ।
ମିଶନର ଫାଇଦା :
ସୂର୍ଯ୍ୟଙ୍କ ବାୟୁମଣ୍ଡଳରୁ ମହାକାଶକୁ ବ୍ୟାପିଥିବା କରୋନାଲ୍ ମାସ ଇଜେକ୍ସନ ଏବଂ ସୌରଝଡ଼ରେ ଅନେକ ରେଡିଓଆକ୍ଟିଭ୍ ଉପାଦାନ ରହିଥାଏ, ଯାହା ପୃଥିବୀ ପାଇଁ କ୍ଷତିକାରକ ହୋଇଥାଏ । ସୌରଝଡ଼ ଏବଂ କରୋନାଲ ମାସ୍ ଅଡେକ୍ସନ ହେତୁ ପୃଥିବୀର ବାହ୍ୟ ବାୟୁମଣ୍ଡଳରେ ପରିକ୍ରମା କରୁଥିବା ଉପଗ୍ରହଗୁଡିକ ତ୍ରୁଟି ହୋଇପାରେ । ଏହା ବ୍ୟତୀତ, ଯଦି କରୋନାଲ୍ ମାସ୍ ଇଜେକସନ ଏବଂ ସୌରଝଡ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରେ ତେବେ ପୃଥିବୀର ସର୍ଟ ୱେବ୍ ଯୋଗାଯୋଗ, ମୋବାଇଲ୍ ସିଗ୍ନାଲ୍, ଇଲେକ୍ଟ୍ରିକ୍ ପାୱାର୍ ଗ୍ରୀଡ୍ ସିଷ୍ଟମ୍ ସମ୍ପୂର୍ଣ ରୂପେ ଠପ ହୋଇଯିବ ବୋଲି ଜଣାପଡିଛି । ଆଦିତ୍ୟ ଏଲ-୧ ସୂର୍ଯ୍ୟର ରଶ୍ମି ସହିତ ସୌର ଝଡ଼, ପୃଥିବୀରେ ସୌର ବିଦ୍ୟୁତ ଚୁମ୍ବକୀୟ ପ୍ରଭାବର ବିପଦ ସହ ପାଣିପାଗର ପ୍ରଭାବ ଉପରେ ନଜର ରଖିବ ।
ଏହା ମଧ୍ୟ ପଢନ୍ତୁ ... ଉପଲବ୍ଧିର ବର୍ଷ 2023: ସ୍ବପ୍ନରେ ଡେଣା ଲଗାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ସଫଳ ଉତକ୍ଷେପଣ :
ଗତ ସେପ୍ଟେମ୍ବର 2 ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L୧ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେକିଲ(PSLV-C୫୭) ରକେଟ୍ ସହୟତାରେ ଏହାକୁ ପ୍ରକ୍ଷେପଣ କରାଯାଇଥିଲା । ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ଏହାର ଗତିପଥ ଓ ଅନ୍ୟ ସମସ୍ତ କାର୍ଯ୍ୟାବଳୀ ମନିଟରିଂ କରାଯାଇଥିଲା ।
ଉତକ୍ଷେପଣ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ସମେତ ଏକ ବୈଜ୍ଞାନିକ ଟିମ୍ ତିରୁପତି ସ୍ଥିତ ଚେଙ୍ଗ ଚେଙ୍ଗାଲାମା ପରମେଶ୍ଵରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ସହିତ ଆଦିତ୍ୟ ଏଲ୍-୧ର ଏକ ମଡେଲ୍ ନେଇ ଇସ୍ରୋ ବୈଜ୍ଞାନିକମାନେ ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।
ଛୁଟିଲା ସଫଳତାର ସୁଅ :
ଆଦିତ୍ୟ L୧ର ସଫଳ ଉତକ୍ଷେପଣ ପରେ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ଵିଟ କରି କହିଥିଲେ, "ଭାରତର ପ୍ରଥମ ସୌର ମିଶନ ସଫଳତାର ସହ ଲଞ୍ଚ ହୋଇସାରିଛି ଆଦିତ୍ୟ L୧ର ଶୁଭାରମ୍ଭ ହେଉଛି ଏକ ଐତିହାସିକ ସଫଳତା ଯାହା ଭାରତକୁ ମହାକାଶ କ୍ଷେତ୍ରରେ ନୂଆ ଦିଗ ଦେଖାଇବା ଏହା ଆମକୁ ମହାକାଶ ଏବଂ ଜ୍ୟୋତିର୍ବିଜ୍ଞାନ ଘଟଣାବଳୀକୁ ବୁଝିବାରେ ସାହାଯ୍ୟ କରିବା ଏହି ସଫଳତା ପାଇଁ ମୁଁ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ମିଶନ ପାଇଁ ସମସ୍ତଙ୍କୁ ମୋର ଅଭିନନ୍ଦନ ।"
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ,"ଚନ୍ଦ୍ରଯାନ–୩ ର ସଫଳତା ପରେ ଭାରତ ମହାକାଶ ଯାତ୍ରା ଜାରି ରଖିଛି ଆମର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି| ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L୧ ର ସଫଳ ଉତକ୍ଷେପଣ ପାଇଁ ISROକୁ ଅନେକ ଶୁଭେଚ୍ଛା | ମାନବ ଜାତିର କଲ୍ୟାଣ ପାଇଁ ବ୍ରହ୍ମାଣ୍ଡକୁ ବୁଝିବା ପାଇଁ ଆମର ବୈଜ୍ଞାନିକମାନେ ପ୍ରୟାସ ଜାରି ରହିବ ।"
ପ୍ରଥମ ଫୋଟୋ ପଠାଇଲା ଆଦିତ୍ୟ:
ନଭେମ୍ବର ୨୦ ତାରିଖରେ ଆଦିତ୍ୟ L୧ର ସୁଟ୍ ପେଲୋଡକୁ ଅନ୍ କରାଯାଇଥିଲା । ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ଫୋଟୋସ୍ପିୟର ଏବଂ କ୍ରୋମୋସ୍ଫିୟର ଫଟୋ ଉତ୍ତୋଳନ କରିଥିଲା । ଡିସେମ୍ବର ୬ ତାରିଖରେ ସୂର୍ଯ୍ୟର ଫଟୋ ଉତ୍ତୋଳନ ହୋଇଥିଲା । ହେଲେ ତାହା ପ୍ରଥମ ଲାଇଟ୍ ସାଇନ୍ସ ଇମୋଜୀ ଥିଲା । ହେଲେ ଡିସେମ୍ବର ୮ ତାରିଖରେ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L୧ରେ ବଡ ସଫଳତା ମିଳିଥିଲା । ପ୍ରଥମ ଥର ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ପଠାଇଥିଲା ଆଦିତ୍ୟ-L୧ । ଏଥିରେ ଲାଗିଥିବା ସୋଲାର ଆଲଟ୍ରାଭାଓଲେଟ ଇମୋଜିଂ ଟେଲିସ୍କୋପ ସୂର୍ଯ୍ୟର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉତ୍ତୋଳନ କରିଥିଲା । ଫଟୋରେ ସୂର୍ଯ୍ୟକୁ 11ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯାଇଥିଲା । ଏହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇ ଥିଲା ।
ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅପେକ୍ଷା:
ଇସ୍ରୋ ମୁଖ୍ୟ ଏସ ସୋମନାଥ ଆସନ୍ତା ଜାନୁଆରୀ ୬ ତାରିଖରେ ଆଦିତ୍ୟ ଲାଗ୍ରାଙ୍ଗିଆନ୍ ପଏଣ୍ଟରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେତେ ବେଳେ ଏହା ଏଲ ୧ ପଏଣ୍ଟରେ ପହଞ୍ଚିବ, ସେତେବେଳେ ପୁଣି ଥରେ ଇଞ୍ଜିନକୁ ଷ୍ଟାର୍ଟ କରିବାକୁ ପଡ଼ିବ । ଯାହା ଦ୍ବାରା ଏହା ଆଉ ଆଗକୁ ଅଗ୍ରସର ହେବ ନାହିଁ । ଏହା ଏଲ ୧ ପଏଣ୍ଟ ରେ ପହଞ୍ଚିବା ପରେ ସେଠାରେ ଅଟକି ଚାରି ପାଖେ ଘୂରି ବୁଲିବ ଏବଂ ସେବେଠାରୁ ଆସନ୍ତା ୫ ବର୍ଷ ଯାଏଁ ସୂର୍ଯ୍ୟର ପ୍ରତିଟି ଗତିବିଧିକୁ ଅନୁଧ୍ୟାନ କରିବ ।