ମହିଳା ଏଫ୍‌ଆଇଏଚ୍‌ ପ୍ରୋ ଲିଗ: ଭାରତକୁ ସମର୍ଥନ ଲାଗି ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

By ETV Bharat Odisha Team

Published : Feb 14, 2024, 8:46 PM IST

thumbnail

FIH Pro League 2024: ରାଉରକେଲା: ଆଜି ମହିଳା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ବନାମ ନେଦରଲ୍ୟାଣ୍ଡ ଲଢେଇ । ଏହାକୁ ନେଇ ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ରାଉରକେଲାରେ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ଚାଇନା ମଧ୍ୟରେ ଏବଂ ଦ୍ବିତୀୟ ମ୍ୟାଚ୍‌ ହୋମ ଟିମ୍‌ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ରାଉରକେଲା ସହର ସମେତ ସାରା ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସମର୍ଥକ ଆସି ଭାରତୀୟ ମହିଳା ଦଳ ସମେତ ଅନ୍ୟ ଦଳର ମ୍ୟାଚ୍‌ ଉପଭୋଗ କରିବାକୁ ଲାଇନ୍‌ ଲଗାଇଛନ୍ତି ।

କଥାରେ ଅଛି, ସମର୍ଥକ ବା କ୍ରାଉଡ୍‌ ମ୍ୟାଚ୍‌ରେ ଟ୍ବେଲ୍‌ଥ୍‌ ମ୍ୟାନ୍‌ ଭାବରେ କାମ କରିଥାନ୍ତି । ବାସ୍ତବିକ ଷ୍ଟାଡିୟମରେ ଯେଉଁ ସମର୍ଥକ ରହିଥାନ୍ତି, ସେମାନେ ନିଜ ଦଳକୁ ବାହାରୁ ସାହସ ଓ ଖେଳିବାର ଦୃଢ଼ ମନୋବଳ ଯୋଗାଇଥାଆନ୍ତି । ତେଣୁ ନିଜ ପ୍ରିୟ ଦଳକୁ ସମର୍ଥନ ଯୋଗାଇବାକୁ ରାଉରକେଲାକୁ ଛୁଟି ଆସିଛନ୍ତି ହକି ପ୍ରେମୀ । ଗତ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଚାଇନା ବର୍ତ୍ତମାନ ଅଷ୍ଟ୍ରେଲିଆ ସହ ଲଢେଇ ଜାରି ରଖିଛି । ଏହାର ପରବର୍ତ୍ତୀ ମ୍ୟାଚ୍‌ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହେବ । ତେବେ ରାଉରକେଲାରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍‌ ଚାଇନା ଠାରୁ ପରାସ୍ତ ହୋଇଥିବାବେଳେ ଆଜି ଦ୍ବିତୀୟ ମ୍ୟାଚ୍‌ରେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛନ୍ତି ପ୍ରଶଂସକ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.