ହକି ପ୍ରୋ ଲିଗ୍‌: କାଲି ଚାଇନା ବିପକ୍ଷରେ ଲଢ଼ିବ ଭାରତ, ଉତ୍ସାହିତ ଦର୍ଶକ

By ETV Bharat Odisha Team

Published : Feb 11, 2024, 4:11 PM IST

thumbnail

FIH Pro League India vs China: ରାଉରକେଲା: କାଲିଠାରୁ ପୁଣି ଚଳଚଞ୍ଚଳ ହେବ ରାଉରକେଲା ସହର । ପୁଣି ଥରେ 'ହକି ଗଡ଼'ରେ ହେବାକୁ ଯାଉଛି ହକିର ମହାଲଢ଼େଇ । ସୋମବାର (ଫେବୃଆରୀ 12) ତାରିଖରୁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆରମ୍ଭ ହେଉଛି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ । ପ୍ରଥମ କରି ଭାରତୀୟ ମହିଳା ଦଳ ରାଉରକେଲା ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବେ । ଭାରତ ସମେତ ଅଷ୍ଟ୍ରେଲିଆ, ଚାଇନା ଓ ନେଦରଲ୍ୟାଣ୍ଡ ମହିଳା ଦଳ ମଧ୍ୟରେ ଖେଳାଯିବ ହକି ପ୍ରୋ ଲିଗ୍‌ । ଏହାପରେ ପୁଣି 19 ଫେବୃଆରୀରୁ ଭାରତୀୟ ପୁରୁଷ ଦଳ ମୈଦାନକୁ ଓହ୍ଲାଇବ ଏବଂ ଅଷ୍ଟ୍ରେଲିଆ, ସ୍ପେନ, ନେଦରଲ୍ୟାଣ୍ଡ, ଆୟରଲ୍ୟାଣ୍ଡ ଭଳି ଦଳ ସହ ଟକ୍କର ଦେବ ।

ଆସନ୍ତାକାଲି(ସୋମବାର) ପ୍ରଥମ ମ୍ୟାଚ୍‌ USA ଏବଂ ନେଦରଲ୍ୟାଣ୍ଡ ମହିଳା ଦଳ ମଧ୍ୟରେ ହେବ । USA ପୂର୍ବ 4ଟି ମ୍ୟାଚ ଭୁବନେଶ୍ବରରେ ହାରିଥିବା ବେଳେ ନେଦରଲ୍ୟାଣ୍ଡ ପୂର୍ବ 4ଟି ମ୍ୟାଚ ବିଜୟୀ ହୋଇଛି । ତେବେ ସବୁଠୁ ବଡ଼କଥା ହେଉଛି, ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନାହିଁ । ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି ଦଳ । ଶେଷ 4ଟି ମ୍ୟାଚ୍‌ ମଧ୍ୟରେ ପ୍ରଥମ ମ୍ୟାଚ୍‌ରେ ଚାଇନା ଠାରୁ 2-1 ଗୋଲରେ ପରାସ୍ତ ହୋଇଥିଲା ମହିଳା ଦଳ । ଏହାପରେ ଆରମ୍ଭ ହେଲା ବିପର୍ଯ୍ୟୟ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଏକ ପାଖିଆ 3-1 ଗୋଲରେ ପରାସ୍ତ ହୋଇଥିଲା ଭାରତ । ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଗୋଲ କରିନଥିଲା ଭାରତୀୟ ମହିଳା ଦଳ । ସେହି ମ୍ୟାଚ୍‌କୁ ଏକପାଖିଆ ଭାବେ 3-0 ଗୋଲରେ ଜିତିନେଲେ ଅଷ୍ଟ୍ରେଲିଆ ମହିଳା । ତେବେ ଚତୁର୍ଥ ମ୍ୟାଚରେ USA ବିପକ୍ଷରେ ଟିମ 3-1 ଗୋଲରେ ବିଜୟୀ ହୋଇ ଟ୍ରାକ୍‌କୁ ଫେରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀ 12ରୁ ହକି ପ୍ରୋ ଲିଗ୍‌; ପୁଣି ଝଲସିବ ବିର୍ସା ମୁଣ୍ଡା ଷ୍ଟାଡିୟମ

ଆସନ୍ତାକାଲି ରାଉରକେଲାରେ ପ୍ରୋ ଲିଗ୍‌ର ଦ୍ବିତୀୟ ଫେଜ୍‌ରେ ପୁଣି ଚାଇନା ସହ ମୁହାଁମୁହିଁ ହେବ ଘରୋଇ ଦଳ । ତେବେ ଭାରତକୁ ଜିତିବାକୁ ହେଲେ ପ୍ରଥମ କ୍ବାର୍ଟରରୁ ହିଁ ଆଟାକ୍‌ କରି ଖେଳିବାକୁ ପଡିବ । ସେଫ୍‌ ମୋଡ଼ରେ ଆକ୍ରମଣାତ୍ମକ ଖେଳି ବିଜୟୀ ହେବାକୁ ପଡିବ । ସେପଟେ ଚାଇନା ମଧ୍ୟ ଗୋଟିଏ ମ୍ୟାଚ୍‌ ହାରିଥିବା ବେଳେ 3ଟିରେ ବିଜୟୀ ହୋଇ ଭାରତୀୟ ମହିଳା ଦଳ ଠାରୁ ଭଲ ସ୍ଥିତିରେ ରହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.