ETV Bharat / state

ଏସସିବିରେ ବିରଳ ଘଟଣା, ମାଆ ହେଲେ କିଡନୀ ପ୍ରତିରୋପଣ କରିଥିବା ମହିଳା

author img

By ETV Bharat Odisha Team

Published : Feb 9, 2024, 6:39 PM IST

Updated : Feb 9, 2024, 7:27 PM IST

Etv Bharat
Etv Bharat

SCB Medical: ଏସସିବିରେ କିଡନୀ ପ୍ରତିରୋପଣ କରାଯାଇଥିବା ମହିଳା ମାଆ ହୋଇଛନ୍ତି । ଗତକାଲି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ବାଲେଶ୍ଵର ଅଞ୍ଚଳର ଯାଜ୍ଞସିନୀ ଜେନା । ଅଧିକ ପଢ଼ନ୍ତୁ

ମାଆ ହେଲେ କିଡନୀ ପ୍ରତିରୋପଣ କରାଯାଇଥିବା ମହିଳା

କଟକ: ପୁଣି ଏକ ରେକର୍ଡର ଅଧିକାରୀ ହୋଇଛି କଟକ ଏସସିବି ମେଡିକାଲ କଲେଜ । ଏସସିବିରେ କିଡନୀ ପ୍ରତିରୋପଣ କରାଯାଇଥିବା ମହିଳା ମାଆ ହୋଇଛନ୍ତି । ଗତକାଲି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ବାଲେଶ୍ଵର ଅଞ୍ଚଳର ଯାଜ୍ଞସିନୀ ଜେନା । ୨୦୧୯ ମସିହାରେ ଏସସିବିର ନେଫ୍ରୋଲୋଜି ବିଭାଗରେ ଯାଜ୍ଞସିନୀଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା ।

ତେବେ ବାଲେଶ୍ଵରର ଯାଜ୍ଞସିନୀ ଜେନା ୨୦୧୭ ମସିହାରେ କିଡନୀ ଜନିତ ରୋଗରେ ପୀଡିତ ହେବା ପରେ ଏସସିବିରେ ଭର୍ତ୍ତି ହୋଇଥଲେ । ଏହାପରେ ଡାଇଲେସିସ ହେବା ପରେ ୨୦୧୯ ମସିହାରେ ତାଙ୍କର ସଫଳ କିଡନୀ ପ୍ରତିରୋପଣ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଡ଼ଃ ଅରୁଣା ଆଚାର୍ଯ୍ୟଙ୍କ ଅଧୀନରେ ଗଠନ ହୋଇଥିବା ଏକ ଟିମ ତାଙ୍କର ଅସ୍ତ୍ରୋପଚାର କରାଇବାରେ ସଫଳ କରାଇଥିଲେ । ୨୦୨୧ ମସିହାରେ ବିବାହ କରିବା ପରେ ତାଙ୍କର ଗର୍ଭଧାରଣ କ୍ଷମତା ଆସିଥିଲା ।

ସେପଟେ ପ୍ରସବ ସମୟ ହେବା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏହାପରେ ଏଣ୍ଡୋକ୍ରାଇନ, କାର୍ଡିଓଲୋଜି, ନେଫ୍ରୋଲୋଜି ଓ ଗାଇନାକଲୋଜି ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତର ଟିମ ଗଠନ କରାଯାଇ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି । ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟା ଉଭୟ ସୁସ୍ଥ ରହିଥିବା କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ ଡ଼ଃ ଅଭିନାଶ ରାଉତ । ଅନ୍ୟପଟେ ମେଡିକାଲରେ ଜାଜ୍ଞସିନୀଙ୍କ ଏପରି ଚିକିତ୍ସାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ସ୍ୱାମୀ ।

ଏହା ମଧ୍ୟ ପଢ଼ନ୍ତୁ.....ମୃତ୍ୟୁ ରୋକିପାରିନି ସେବା ମନୋଭାବ, ଶରୀର ଦାନ କରି ଅମର ଜଗଦାନନ୍ଦ

ଏନେଇ ଡ଼ଃ ଅଭିନାଶ ରାଉତ କହିଛନ୍ତି, "ଗତ 2017 ମସିହାରେ ବାଲେଶ୍ବରର ଜଣେ ମହିଳା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆମ ପାଖରେ ଚିକିତ୍ସିତ ହେଉଥିଲେ । 2019ରେ ତାଙ୍କର ଡାଇଲେସିସ ହେବାସହ କିଡନୀ ପ୍ରତିରୋପଣ କରାଯାଇଥିଲା । ଏହା ପରଠାରୁ ସେ ନିୟମିତ ଚିକିତ୍ସିତ ହେଉଥିଲେ । କିଛି ଦିନ ପୂର୍ବରୁ ସେ ଗର୍ଭବତୀ ହୋଇଥିଲେ । ଏହାପରଠାରୁ ନିୟମିତ ଭାବରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ଗତକାଲି ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଡାକ୍ତରମାନଙ୍କ ପ୍ରଚେଷ୍ଟା ଓ ଭଗବାନଙ୍କ ଆଶୀର୍ବାଦରୁ ମାଆ ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି । ଏହା ଏସିସିବି ପାଇଁ ଏକ ଗର୍ବର କଥା । ସମସ୍ତଙ୍କ ପାଇଁ ଏହା ଏକ ଖୁସିର କଥା ।"

ଇଟିଭି ଭାରତ, କଟକ

Last Updated :Feb 9, 2024, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.