ETV Bharat / state

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ, ୨ ଅଭିଯୁକ୍ତ ଗିରଫ - SAMBALPUR DOUBLE MURDER

author img

By ETV Bharat Odisha Team

Published : Mar 31, 2024, 9:35 PM IST

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଡ଼ିଲା ଦୁଇ ମୁଣ୍ଡ, ୨ ଅଭିଯୁକ୍ତ ଗିରଫ
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଡ଼ିଲା ଦୁଇ ମୁଣ୍ଡ, ୨ ଅଭିଯୁକ୍ତ ଗିରଫ

SAMBALPUR DOUBLE MURDER: ଦୁଇଟି ପୃଥକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ମୃତକ ଦୁଇ ଜଣ ହେଲ ନୁଆଁପାଲିର ସବ୍ୟସାଚୀ ସାହୁ ଏବଂ ସହାଜବାହାଲ ଗାଁର ବିପ୍ର ବିଶ୍ବାଳ । ଅଧିକ ପଢନ୍ତୁ

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଡ଼ିଲା ଦୁଇ ମୁଣ୍ଡ, ୨ ଅଭିଯୁକ୍ତ ଗିରଫ

ସମ୍ବଲପୁର: ଅଶାନ୍ତ ସମ୍ବଲପୁର । ଦୁଇଟି ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ । ସମ୍ବଲପୁର ସଦର ଥାନାର କୁଇଲତା ନୁଆଁପାଲି ହତ୍ୟାକାଣ୍ଡ ଘଟଣା ଓ ବୁର୍ଲା ଥାନାର ସହାଜବାହାଲ ଗାଁ ହତ୍ୟାକାଣ୍ଡ ଉପରୁ ଉଠିଛି ପରଦା । ଏହି ଦୁଇଟି ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସମ୍ବଲପୁର ଏସପି ମୁକେଶ ଭାମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉଭୟ ହତ୍ୟାକାଣ୍ଡ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଲତା ନୁଆଁପାଲିଠାରେ ସବ୍ୟସାଚୀ ସାହୁ (46)କୁ ଧାରୁଆ ଅସ୍ତ୍ରରେ ବେକ କଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ସଦର ଥାନା ପୋଲିସ କୁଇଲତା ନୁଆଁପାଲି ଗ୍ରାମର ସୁମନ୍ତ ପ୍ରଧାନ (41)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କଠାରୁ ଗୋଟିଏ ବଡ଼ ଧାରୁଆ ଛୁରୀ, ଦୁଇଟି ଗାଡ଼ି, ଗୋଟିଏ ମୋବାଇଲ ଫୋନ ଏବଂ ମୃତଙ୍କ ଗୋଟିଏ ଡାଏରୀ ଜବତ କରାଯାଇଛି । ଏସପିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 2020/21 ମସିହାରେ ସବ୍ୟସାଚୀ ସାହୁ ଅଭିଯୁକ୍ତ ସୁମନ୍ତ ପ୍ରଧାନଙ୍କଠାରୁ ଏକ ଜମି କିଣିଥିଲେ । ଏହା ବଦଳରେ ସବ୍ୟସାଚୀ ସୁମନ୍ତଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ । ତେବେ ସୁମନ୍ତ ବିକ୍ରି କରିଥିବା ଜମିକୁ ସବ୍ୟସାଚୀଙ୍କ ନାମରେ ରେଜେଷ୍ଟ୍ରି କରିନଥିଲେ ।

ଅନ୍ୟପଟେ ସୁମନ୍ତ ମଝି ମଝିରେ ସବ୍ୟସାଚୀ ସାହୁଙ୍କ ଠାରୁ କିଛି କିଛି ଟଙ୍କା ନେଉଥିଲେ । ତେବେ ସବ୍ୟସାଚୀ କିଛି ଦିନତଳେ ସୁମନ୍ତଙ୍କୁ ଜମି ରେଜେଷ୍ଟ୍ରି କରିବାକୁ କହିଥିବା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ସମୟରେ ସବ୍ୟସାଚୀ ସୁମନ୍ତଙ୍କୁ କୁଆଡେ ଧମକ ଦେଇଥିଲେ ଯେ ସୁମନ୍ତ ଯଦି ରେଜେଷ୍ଟ୍ରି ନ କରୁଛନ୍ତି । ତାହେଲେ ତାଙ୍କ ସ୍ତ୍ରୀ ପିଲା ଛୁଆଙ୍କୁ ଉଠେଇ ନେବେ ବୋଲି । ଏହାପରେ ସୁମନ୍ତ ସବ୍ୟସାଚୀଙ୍କୁ ରାସ୍ତାରୁ ସମ୍ପୂର୍ଣ୍ଣ ହଟେଇ ଦେବା ପାଇଁ ଯୋଜନା କରିଥିଲେ । ଆଉ ଗତକାଲି ସବ୍ୟସାଚୀଙ୍କୁ ଜମି ପାଖକୁ ଡାକି ଟଙ୍କା ହିସାବ କିତାବ କରିବାକୁ କହିଥିଲେ । ସବ୍ୟସାଚୀ ଘଟଣା ସ୍ଥଳକୁ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପୁଣି କଥା କଟାକଟି ଓ ଯୁକ୍ତିତର୍କ ବଢ଼ିବାରେ ଲାଗିଥିଲା ।
ଏହା ମଧ୍ୟ ପଢନ୍ତୁ... ଆକ୍ସନ ମୁଡ଼ରେ ଢେଙ୍କାନାଳ ପୋଲିସ, ଡକାୟତି ଅଭିଯୋଗରେ ୯ଜଣ ଗିରଫ - Police Arrested Dacoits

ଏହିପରି ସ୍ଥିତିରେ ସବ୍ୟସାଚୀ ଉତ୍ତ୍ୟକ୍ତ ହୋଇ ଏକ ଶକ୍ତ ଚାପୁଡ଼ା ସୁମନ୍ତଙ୍କୁ ମାରିଥିଲେ । ତେବେ ଦୀର୍ଘ ଦିନରୁ ପ୍ରତିଶୋଧର ଅଗ୍ନିରେ ଜଳି ଆସୁଥିବା ସୁମନ୍ତ ହଠାତ ନିଜ ବାଇକ ଡିକ୍କିରୁ ଏକ ଛୁରୀ ବାହାର କରି ଅତର୍କିତ ଭାବେ ସବ୍ୟସାଚୀଙ୍କ ଉପରେ ଆକ୍ରମଣ କରିଥିଲେ । ପରେ ସବ୍ୟସାଚୀଙ୍କ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଅଭିଯୁକ୍ତ ସୁମନ୍ତ ପ୍ରଧାନ ହତ୍ୟା କରିଥିବା ଛୁରୀକୁ ଗଛ ବୁଦାରେ ଲୁଚାଇ ଦେଇଥିଲା । ଏହାପରେ ପୋଲିସ ପାଖଙ୍କୁ ଯାଇ କିଛି ଜାଣି ନଥିବାର ନାଟକ କରୁଥିଲା । ଯେହେତୁ ସେ ପୋଲିସ ଇଆରଭି ଭ୍ୟାନରେ ପୂର୍ବରୁ କାମ କରୁଥିଲା ପ୍ରଥମେ ପୋଲିସ ତା ଉପରେ ସନ୍ଦେହ କରିନଥିଲା । ପୋଲିସ ବାରମ୍ବାର ପଚରାଉଚରା କରିବା ପରେ ତାର ଚତୁରତା ଧରା ପଡି ଯାଇଥିଲା । ଏହାପରେ ସେ ନିଜେ ହତ୍ୟା କରିବାର ସ୍ବୀକାର କରିଥିଲା ।

ସେହିପରି ଗତକାଲି ବୁର୍ଲା ଥାନା ଅନ୍ତର୍ଗତ ସହାଜବାହାଲ ଗ୍ରାମରେ ସାନ ଭାଇ ବଡ଼ ଭାଇଙ୍କୁ ହତ୍ୟା କରିଥିବା ଘଟଣାର ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଯୋଗ୍ୟ ସାନ ଭାଇ ସଞ୍ଜୟ ବିଶ୍ବାଳ (36) ନିଜ ବଡ଼ ଭାଇ ବିପ୍ର ବିଶ୍ବାଳଙ୍କୁ ଦୀର୍ଘ ଦିନରୁ ଲାଗି ରହିଥିବା ଜମିବାଡ଼ି ବିବାଦ ଯୋଗୁଁ ତାୱାରେ ପିଟି ପିଟି ହତ୍ୟା କରିଥିଲା । ଏହି ଅଭିଯୋଗରେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.