ETV Bharat / state

ସରକାର ଶୁଣିଲେଣି ବିସ୍ଥାପିତଙ୍କ ଦୁଃଖ, 14 ଗାଁର ସାମୂହିକ ଭୋଟ ବର୍ଜନ ନିଷ୍ପତ୍ତି - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 21, 2024, 3:58 PM IST

Vote boycott Sundargarh
Vote boycott Sundargarh

Vote boycott Sundargarh: ସୁନ୍ଦରଗଡରେ ଏମସିଏଲ ବସୁନ୍ଧରା ଏବଂ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ୧୪ ଟି ଗାଁ କରିବେ ଭୋଟ ବର୍ଜନ । ସରକାର ଶୁଣିଲେନି ସେମାନଙ୍କ ଦୁଃଖ । ଏଭଳି ନିଷ୍ପତ୍ତି ନେଇଛନ୍ତି 14ଟି ଗାଁର ଲୋକ । ଅଧିକ ପଢନ୍ତୁ

Vote boycott Sundargarh

ରାଉରକେଲା: ବିସ୍ଥାପିତଙ୍କ ଦୁଃଖ ଶୁଣିଲେଣି ସରକାର ! ଏଥର ସୁନ୍ଦରଗଡ଼ ଜିଲ୍ଲାରେ ସାମୁହିକ ଭୋଟ ବର୍ଜନ କରିବେ ସମ୍ପୂର୍ଣ୍ଣ ୧୪ ଗାଁ । ଦାବି ପୂରଣ ନହେଲେ ଏମସିଏଲ ବସୁନ୍ଧରା ଏବଂ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ୧୪ଟି ଗାଁର ହଜାର ହଜାର ଲୋକେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡ ଜିଲ୍ଲାର ଏମ୍‌ସିଏଲ୍ ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ୧୪ ଗାଁ ତୁମୁଲିଆ, ଝୁପୁରୁଙ୍ଗା, କିରପସିରା, ରତନସରା, ଗୋପାଳପୁର, ସରଡେଗା, ଟିକିଲିପଡ଼ା, ଗର୍ଜନବାହାଲ, ବାଙ୍ଗୁରକେଲା, କରଲିକଛାର, ସିଆରମାଲ, କୁଲଡା, ବଲିଙ୍ଗା, ବାଙ୍କିବାହାଲ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି । ସୁନ୍ଦରଗଡ଼ ସହରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚ ଏନେଇ ଘୋଷଣା କରିଛି । କୋର୍ଟଙ୍କ ଆଦେଶ ସତ୍ତ୍ବେ ୨୦୧୩ ଆଇନରେ କ୍ଷତିପୂରଣ, ଥଇଥାନ, ପୁନର୍ବାସ ଓ ନିଯୁକ୍ତିକୁ ଏମ୍‌ସିଏଲ, ଜିଲ୍ଲା ପ୍ରଶାସନ ଓ ସରକାର ଦୀର୍ଘ ଦିନ ଧରି ଗଡ଼ାଇ ଚାଲିଥିବା ବେଳେ ସମସ୍ତେ ଏ ଦିଗରେ ଚୁପ ରହୁଥିବା ନେଇ ଅଭିଯୋଗ ଆଣିଛି ମଞ୍ଚ ।

ଏହାମଧ୍ୟ ପଢନ୍ତୁ..ରାସ୍ତା ଦୁଃଖ ବୁଝିଲେନି ନେତା, ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଲୋକେ - Boycott Election

ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚର ଅଭିଯୋଗ ଅନୁଯାୟୀ, ୩୦ ବର୍ଷର ସଂଘର୍ଷ ସତ୍ତ୍ବେ ଏମ୍‌ସିଏଲ କର୍ତ୍ତୃପକ୍ଷ କି ପ୍ରଶାସନ ବିସ୍ଥାପିତ ୧୪ ଖଣ୍ଡ ଗାଁ ମଧ୍ୟରୁ କୌଣସି ଗୋଟିଏ ବି ଗାଁକୁ ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ପୁନର୍ବାସ ଓ ଥଇଥାନ କରିନାହାନ୍ତି । ପ୍ରତିବାଦରେ ଲୋକେ ବହୁବାର ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବଳ ପ୍ରତିଶ୍ରୁତି ଦିଆଯାଇଛି । ଏଭଳିକି ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । କୋର୍ଟଙ୍କ ଆଦେଶକୁ ବି କମ୍ପାନି ମାନି ନଥିବା ଅଭିଯୋଗ କରିଛି ମଞ୍ଚ ।

ଗତ ୨୦୨୨ ନଭେମ୍ବର ୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏମସିଏଲ ବିସ୍ଥାପିତଙ୍କୁ ଗୋଟିଏ ବର୍ଷ ମଧ୍ୟରେ ପୁନର୍ବାସ, ଥଇଥାନ ଓ ୬ ମାସ ମଧ୍ୟରେ ନିଯୁକ୍ତି ଦେବାକୁ ଆଦେଶ ଦେଇଥିଲେ । କିନ୍ତୁ ଦେଢ଼ ବର୍ଷ ବିତିଯିବା ପରେ ବି ଏମ୍‌ସିଏଲ୍ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଏହାର ପ୍ରତିବାଦରେ ମାର୍ଚ୍ଚ ୧୪ ତାରିଖରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ବରେ ୧୪ଟି ବିସ୍ଥାପିତ ଗାଁର ଲୋକେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୋଟ ବର୍ଜନ ପତ୍ର ମଧ୍ୟ ଦେଇଥିଲେ । ହେଲେ ପ୍ରତିବାଦକୁ ମାସେ ଅତିକ୍ରମ କରିବା ପରେ ବି ଏମସିଏଲ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯେଉଁଥିପାଇଁ ଭୋଟ ବର୍ଜନ ପାଇଁ ଘୋଷଣା କରାଯାଇଛି । ସମ୍ପୂର୍ଣ୍ଣ ୧୪ ଗାଁ ର ହଜାର ହଜାର ଲୋକେ ଭୋଟ ବର୍ଜନ କରିବେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.