ETV Bharat / state

ମେଡିକାଲ କଲେଜରେ ଚାକିରୀ ନାଁରେ ଠକେଇ ମାମଲା, 9ମାସ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ଶିକ୍ଷକ

author img

By ETV Bharat Odisha Team

Published : Jan 26, 2024, 8:31 PM IST

ମେଡିକାଲ କଲେଜରେ ଚାକିରୀ ନାଁରେ ଠକେଇ
ମେଡିକାଲ କଲେଜରେ ଚାକିରୀ ନାଁରେ ଠକେଇ

Teacher Arrested In Connection With Fake Job Racket: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରୀ ଦେବା ନାଁରେ ଠକେଇ ମାମଲା । ପୋଲିସ ହାତରେ ଧରାପଡିଲେ ଲୋକଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ ଲଗାଇଥିବା ମୁଖ୍ୟ ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ମେଡିକାଲ କଲେଜରେ ଚାକିରୀ ନାଁରେ ଠକେଇ

ରାଉରକେଲା: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରୀ ଦେବା ନାଁରେ ଠକେଇ ମାମଲା । ପୋଲିସ ହାତରେ ଧରାପଡିଲେ ଲୋକଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ ଲଗାଇଥିବା ମୁଖ୍ୟ ଅଭିଯୁକ୍ତ । ୯ ମାସ ତଳେ ଚର୍ଚ୍ଚାକୁ ଆସିଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୁନ୍ଦରଗଡ଼ କାଙ୍କେରଜୁରା ସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ ତାଜନ । ତେବେ ଏହି ମାମଲା ରୁଜୁ ପରେ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ପରିଚୟ ବଦଳାଇ ଝାରସୁଗୁଡ଼ାର ଏକ ସ୍ଥାନରେ ରହୁଥିବା ବେଳେ ଗତକାଲି (ଗୁରୁବାର) ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ ।

ସେପଟେ ପୂର୍ବରୁ ୨୦୨୩ ଏପ୍ରିଲ ୧୭ ତାରିଖରେ ଏହି ମାମଲାରେ ଜଡ଼ିତ ମେଡିକାଲ କର୍ମଚାରୀ କାଲୋବାହାଲର ଚୈତନ୍ୟ ତନ୍ତୀ, ଦଲାଲ ତସଲାଡିହିର ସୁଶାନ୍ତ ମାଝୀ, ମହୁଲପାଲିର ମଦନ ଗର୍ଡିଆ, ଜେରକ୍ସ ଦୋକାନୀ ସୁନ୍ଦରଗଡ଼ ମିସନ ରୋଡ଼ର ଆଶିଷ ନାଏକ ଓ ହେମଗିର ବସୁନ୍ଧରା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗିରିଙ୍ଗକେଲାର ସୋମନାଥ ପୃଷ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହାର ୫ ମାସ ପରେ ଅନ୍ୟତମ ମାଷ୍ଟର ମାଇଣ୍ଡ ହେମନ୍ତ ନାୟକଙ୍କୁ ମଧ୍ୟ ଧରିଥିଲା ପୋଲିସ । ଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପରେ ଯୋଗ୍ୟତା ଅନୁସାରେ, ବିଭିନ୍ନ ପଦରେ ଚାକିରି କରାଇଦେବା ନାଁରେ ଏକ ରାକେଟ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କୁ ଠକିଥିଲେ ।

ତେବେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଏକ ବଡ଼ ରାକେଟ କାମ କରୁଥିଲା । ଏହି ରାକେଟ ଗ୍ରାମାଞ୍ଚଳରେ କାର୍ଯ୍ୟରତ କିଛି ଶିକ୍ଷକ ଓ ଡାକ ବିଭାଗ କର୍ମଚାରୀମାନଙ୍କ ଜରିଆରେ ବେରୋଜଗାର ଯୁବକଯୁବତୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ ଚାକିରି ନାଁରେ ଚୂନ ଲଗାଉଥିଲା । ଚତୁରତାର ସହ ଆଶାୟୀମାନଙ୍କ ଠାରୁ ନିଯୁକ୍ତି ଦେବା ନାଁରେ ୪୦ ହଜାରରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିଲେ । ୫୬ ଜଣ ଆଶାୟୀଙ୍କ ଠାରୁ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପୋଲିସ ତଦନ୍ତରେ ଜଣାପଡିଥିଲା । ସେହିପରି ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ବସନ୍ତ ତାଜନ କାଙ୍କେରଜୁରା, ରାଇଡିହି ଓ କିରେଇ ଗାଁର ୧୬ ଜଣ ଯୁବକ, ଯୁବତୀଙ୍କୁ ଚାକିରି କରାଇଦେବି କହି ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ସେହି ସମୟରେ ପୋଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିବାବେଳେ ଯୁବକ ଯୁବତୀଙ୍କ ଠାରୁ ଅର୍ଥ ଆଦାୟ କରିଥିବା ଅଭିଯୋଗକୁ ସେ କୁଆଡ଼େ ସ୍ଵୀକାର କରିଥିଲେ । କିନ୍ତୁ ସେତେବେଳେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ: ୫ ଅଭିଯୁକ୍ତ ଗିରଫ

ଏହାପରେ ଶିକ୍ଷକ ଫେରାର ହୋଇ ଯାଇଥିବା କଥା ସାମ୍ନାକୁ ଆସିଥିଲା କିନ୍ତୁ ଶିକ୍ଷା ବିଭାଗ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଏହା ମଧ୍ୟରେ ପୁଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଝାରସୁଗୁଡ଼ାରେ ଛଦ୍ମବେଶରେ ରହୁଥିବା ଜାଣିବାକୁ ପାଇଚଢ଼ଉ କରିଥିଲା । ତେବେ ଝାରସୁଗୁଡ଼ାରୁ ଗିରଫ କରିବା ପରେ ବର୍ତ୍ତମାନ ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.