ETV Bharat / state

ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ: ୫ ଅଭିଯୁକ୍ତ ଗିରଫ

author img

By

Published : Apr 18, 2023, 9:34 AM IST

ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ଚାକିରି ନାଁରେ ଠକେଇ ମାମଲାର ପର୍ଦ୍ଦାଫାସ । ୫ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ
ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ

ରାଉରକେଲା: ସୁନ୍ଦରଗଡରେ ଚାକିରି ନାଁରେ ଠକେଇ ମାମଲା । ପୋଲିସ ହାତରେ ଧରାପଡିଲେ ଲୋକଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୁକ୍ତ । ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ଦେବା ନାଁରେ ଠକେଇ ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମେଡିକାଲ କର୍ମଚାରୀ କାଦୋବାହାଲର ଚୈତନ୍ଯ ତନ୍ତୀ, ମୁଖ୍ୟ ଦଲାଲ ତସଲାଡିହିର ସୁଶାନ୍ତ ମାଝୀ, ମହୁଲପାଲିର ମଦନ ଗର୍ଡିଆ, ମିଶନ ରୋଡର ଆଶିଷ ନାଏକ ଓ ସୋମନାଥ ପୃଷ୍ଟି ରହିଛନ୍ତି । ଏହାସହିତ ମଶିନ ରୋଡରେ ଥିବା ଆଶିଷର ଜେରକ୍ସ ଦୋକାନରୁ କମ୍ପ୍ୟୁଟର, ପ୍ରିଣ୍ଟର ଓ ବହୁ ଜାଲି ଦସ୍ତାବିଜ ଜବତ ହୋଇଛି । ଏହିଠାରେ ହିଁ ସବୁ ଜାଲି ଦସ୍ତାବିଜ ତିଆରି ହେଉଥିଲା । ପୋଲିସ ସମସ୍ତ ୫ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଏକ ବଡ଼ ରାକେଟ କାମ କରୁଥିଲା । ଏହି ରାକେଟ ଗ୍ରାମାଞ୍ଚଳରେ କାର୍ଯ୍ୟରତ କିଛି ଶିକ୍ଷକ ଓ ଡାକ ବିଭାଗ କର୍ମଚାରୀମାନଙ୍କ ଜରିଆରେ ବେରୋଜଗାର ଯୁବକଯୁବତୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ ଚାକିରି ନାଁରେ ଚୂନ ଲଗାଉଥିଲା । କାହାକୁ ମେଡିକାଲ ସହାୟକ ପଦ, ପରିଦର୍ଶକ, ସୁରକ୍ଷାକର୍ମୀ ପଦ ତ ଆଉ କାହାକୁ ଅଭ୍ୟର୍ଥନାକାରୀ ପଦରେ ନିଯୁକ୍ତି ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଠକାମି କରୁଥିଲା । ଏଥିପାଇଁ ଅଭିଯୁକ୍ତମାନେ ଓଡ଼ିଶା ସରକାରଙ୍କ ଲୋଗୋ, ମେଡିକାଲ କଲେଜର ନାଁ ଓ ଡିନ ଡ଼ଃ. ଦୈତାରୀ ରାଉତରାୟଙ୍କ ଜାଲ୍‌ ଦସ୍ତଖତ ଏବଂ ସିଲ୍ ମୋହର ବ୍ୟବହାର କରି ଆଶାୟୀମାନଙ୍କୁ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ପ୍ରଦାନ କରୁଥିଲେ ।

ଏ ସମ୍ପର୍କରେ ଅଭିଯୋଗ ପରେ ଏସପି ପ୍ରତ୍ୟୁଷ ଦିବାକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ଜାରି ରହିଥିବାବେଳେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଏହାପରେ ରବିବାର ସୁନ୍ଦରଗଡ଼ ପୋଲିସ ମିଶନ ରୋଡସ୍ଥିତ ଜେରକ୍ସ ଦୋକାନୀ ଆଶିଷ ନାଏକଙ୍କୁ ଉଠାଇ ନେଇଥିଲା । ଆଶିଷର ଜେରକ୍ସ ଦୋକାନରୁ ହିଁ ଜାଲ୍ ନିଯୁକ୍ତିପତ୍ର, ପରିଚୟପତ୍ର ଓ ନିଯୁକ୍ତି ସମ୍ବନ୍ଧିତ କାଗଜପତ୍ର ତିଆରି ହେଉଥିବା ଜଣାପଡିଥିଲା । ଏହି ଠକେଇ ଘଟଣାରେ ପୋଲିସ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଏହି ବଡ ଧରଣର ଠକେଇ ମାମଲାରେ ଆହୁରି ଅନେକ କର୍ମଚାରୀ, ଶିକ୍ଷକ, ଜଣେ ରାଜନେତା ଓ ତାଙ୍କ ଘନିଷ୍ଠ ସହଯୋଗୀ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଥିବାବେଳେ ପୋଲିସ ପୁରା ରାକେଟକୁ ଧରିବ ନା କେବଳ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଠକେଇ ଫାଇଲ୍ ବନ୍ଦ କରିଦେବ ତାକୁ ନେଇ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.