ETV Bharat / state

ଆଇନ ମନ୍ତ୍ରୀଙ୍କ ସୂଚନା; ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର !

author img

By ETV Bharat Odisha Team

Published : Feb 8, 2024, 6:09 PM IST

Updated : Feb 8, 2024, 6:15 PM IST

Sri Mandir Ratna Bhandar
Sri Mandir Ratna Bhandar

Opening of Sri Mandir Ratna Bhandar: ବିଧାନସଭାରେ ପୁଣି ଉଠିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ଚଳିତ ବର୍ଷ ରଥଯାତ୍ରା ବେଳେ ରତ୍ନ ଭଣ୍ଡାର ଖୋଲିବ ନେଇ କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଆଜି (ଗୁରୁବାର) ପୁନର୍ବାର ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦାସରଥୀ ଗମାଙ୍ଗ । କେବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲା ହେବ, ଗଚ୍ଛିତ ଥିବା ରତ୍ନ ଅଳଙ୍କାରର ହିସାବ ନିକାଶ କେବେ ହେବ ଓ ରତ୍ନଭଣ୍ଡାର ମରାମତି କେବେ ହେବ ସେନେଇ ପ୍ରଶ୍ନ କରିଥିଲେ ଦାସରଥୀ । ଯାହାର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ ବୋଲି ସେ କହିଛନ୍ତି ।

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିର ଜଗମୋହନ ସହିତ ସଂଲଗ୍ନ । ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ଟିମ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ପଡିବ । ରତ୍ନଭଣ୍ଡାର ମରାମତି କଲେ ଶ୍ରୀଜିଉଙ୍କର ନୀତି ଓ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହେବ । ଏ କଥା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା ହେଇଛି । ଏହି ଆଲୋଚନା ପରେ ରତ୍ନଭଣ୍ଡାର ବାହାର ପାଶ୍ୱର୍ରୁ ଲେଜର ସ୍କାନିଂ କରାଯାଇ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ପାଇଁ କମିଟି ମତ ଦେଇଛି । ଆଉ ଏହାର ଲେଜର ସ୍କାନିଂ ମଧ୍ୟ ଶେଷ ହେଇଛି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ, ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ

ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରାଯାଇପାରିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ଅର୍ଥାତ ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ଖୋଲାଯିବା ସହିତ ଏହାର ମରାମତି କାମ ହେଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ ମହାପ୍ରଭୁଙ୍କର ରତ୍ନଭଣ୍ଡାର ନଖୋଲିବା ଉଚ୍ଚ ନ୍ୟାୟାଳୟ ସମୟ ନେଉଥିବା କଥାକୁ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ।

ସୂଚନା ଥାଉ କି ୧୮୦୫ ମସିହାରେ ଚାର୍ଲସ ଗ୍ରୁମସ ଯେତେବେଳେ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ରତ୍ନଭଣ୍ଡାର ଖୋଲି ଗଣନା କରିବାକୁ କହିଥିଲେ । ସେତେବେଳେ ଜଣାପଡିଥିଲା ରତ୍ନ ଭଣ୍ଡାରରେ ୭୪ ପ୍ରକାରର ହୀରାନୀଳା ମୋତି ମାଣିକ ରହିଛି । ୧୨୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ରହିଛି । ୧୨୨୮ ରୌପ୍ୟ ମୁଦ୍ରା ରହିଛି । ୧୮୯୭ ମସିହାରେ ରତ୍ନ ଭଣ୍ଡାରର ସୁବିସ୍ତୃତ ତାଲିକା ପ୍ରକାଶ ପାଇଲା । ୧୯୨୬ ମସିହାରେ ମଧ୍ୟ ଗଣନା କରାଯାଇ ତାଲିକା ପ୍ରସ୍ତୁତ କରାଗଲା । ୧୯୭୭ ମସିହାରେ କମିଟି ଗଠନ କରାଯାଇ ୧୯୭୮ ମସିହାରେ ଗଣାହେଲା । ୨୦୧୮ ମସିହାରେ ଚାବି ହଜିବା ପ୍ରସଙ୍ଗ ଉଠିଲା । ପୁଣି ଡୁପ୍ଲିକେଟ ଚାବି କଥା ମଧ୍ୟ ଆସିଲା । ହେଲେ ଏଯାଏଁ ରତ୍ନ ଭଣ୍ଡାର ଖୋଲାଯାଇପାରିନାହିଁ । ରତ୍ନ ଭଣ୍ଡାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 8, 2024, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.