ETV Bharat / state

କୋକେଇରେ ନାହିଁ ମୃତଦେହ, ବିନା ମୃତଦେହରେ ହେଲା ଅନ୍ତିମ ସଂସ୍କାର

author img

By ETV Bharat Odisha Team

Published : Jan 28, 2024, 7:54 AM IST

Updated : Jan 28, 2024, 9:05 AM IST

Son conducts symbolic funeral
Son conducts symbolic funeral

Son conducts symbolic funeral: ଦୀର୍ଘ 20 ବର୍ଷ ତଳେ ଭଦ୍ରକ ନରିପୁର ଅନ୍ତର୍ଗତ ଅସ୍ତଳ ଗ୍ରାମର ବିଦ୍ୟାଧର ଦାସ ନିଖୋଜ ଥିଲେ । ଆଉ ଘରକୁ ନ ଫେରିବାରୁ ମୃତଦେହ ପ୍ରତିଛବି କରି ମୃତଦେହ ସତ୍କାର କଲେ ପରିବାର ଲୋକ । ଅଧିକ ପଢନ୍ତୁ

Son conducts symbolic funeral

ଭଦ୍ରକ: ମୃତଦେହ ନାହିଁ ହେଲେ ମୃତଦେହ ସତ୍କାର ପାଇଁ ଘର ସାମ୍ନାରେ ଚାଲିଛି କୋକେଇ ବନ୍ଧା । ମଶାଣିକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ । କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକ । ମିଛ କୋକେଇ ମିଛ ମୃତଦେହ କିନ୍ତୁ ସତରେ ଚାଲିଛି ଶୁଦ୍ଧିକ୍ରିୟା । ତେବେ ମୃତଦେହ ସତ୍କାର ପାଇଁ କୋକେଇରେ ବନ୍ଧା ହୋଇଥିବା ମୃତଦେହ ବାସ୍ତବରେ ମୃତଦେହ ନ ଥିଲା ସେ ଥିଲା ମୃତଦେହ ପ୍ରତିଛବି ତଥା ନଡ଼ାରେ ତିଆରି କୁଶ ପୁତ୍ତଳିକା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହର ନିକଟ ନରିପୁର ଅନ୍ତର୍ଗତ ଅସ୍ତଳ ଗ୍ରାମରେ ।

ସୂଚନା ଅନୁଯାୟୀ, ଦୀର୍ଘ 20 ବର୍ଷ ତଳେ ଭଦ୍ରକ ନରିପୁର ଅନ୍ତର୍ଗତ ଅସ୍ତଳ ଗ୍ରାମର ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଗଗନ ଦାସଙ୍କ ବାପା ବିଦ୍ୟାଧର ଦାସ କୌଣସି କାରଣରୁ ଘର ଛାଡ଼ି କେଉଁ ଆଡେ ପଳାଇ ଯାଇଥିଲେ । ହେଲେ 2004 ମସିହାରୁ ଅଦ୍ୟାବଧି ସେ ଆଉ ଘରକୁ ଫେରି ନ ଥିଲେ । ପରେ ପରିବାର ବର୍ଗ, ବନ୍ଧୁ ବାନ୍ଧବ ତାଙ୍କୁ ବିଭିନ୍ନ ସ୍ଥାନରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ ବିଦ୍ୟାଧରଙ୍କର କୌଣସି ଖୋଜ ଖବର ପାଇ ନଥିଲେ । ଏନେଇ ସ୍ଥାନୀୟ ଥାନାରେ ପରିବାର ପକ୍ଷରୁ ଏକ ନିଖୋଜ ମାମଲା ମଧ୍ୟ ଦିଆଯାଇଥିଲା । ଇତି ମଧ୍ୟରେ 20 ବର୍ଷ ବିତି ଯାଇଥିବା ବେଳେ ସମସ୍ତ ପ୍ରକାର ପ୍ରଚେଷ୍ଟା ପରେ ମଧ୍ୟ ଗଗନଙ୍କ ବାପା ବିଦ୍ୟାଧର ଦାସଙ୍କ କୌଣସି ସନ୍ଧାନ ପାଇ ପାରି ନାହାନ୍ତି ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ- କେନ୍ଦ୍ରାପଡ଼ାରେ କୁସଂସ୍କାର: ଶେଷ ଠିକଣାରେ ବି ପାତରଅନ୍ତର, ବ୍ରାହ୍ମଣ ଶ୍ମଶାନରେ ଅନ୍ୟ ଜାତିଙ୍କୁ ମୃତଦେହ ସତ୍କାର ମନା

ଅନ୍ୟପଟେ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ 2013 ମସିହାରେ ଶେଷରେ ଆଖି ବୁଝି ଦେଇଥିଲେ ଗଗନଙ୍କ ମା’ ଅର୍ଥାତ ବିଦ୍ୟାଧରଙ୍କ ସ୍ତ୍ରୀ । ତେବେ ବିଦ୍ୟାଧର ନିଖୋଜ ହୋଇଥିବା ବେଳେ ତାଙ୍କର ବୟସ 85 ବର୍ଷ ହୋଇଥିଲା ବୋଲି କୁହାଯାଉଛି। ତେଣୁ ଦୀର୍ଘ ବର୍ଷ ଧରି ବିଦ୍ୟାଧରଙ୍କ ଫେରିବା ବାଟକୁ ଅପେକ୍ଷା କଲାପରେ, ଶେଷରେ ହିନ୍ଦୁ ରୀତିନୀତି ଅନୁଯାଇ ବାପାଙ୍କ ମୃତ କର୍ମ କରିବାକୁ ଇଚ୍ଛା କରି ପୁଅ ଗଗନ ଯାଜପୁର ବିରଜା ପଣ୍ଡିତ ବିଧାନ ମଣ୍ଡଳୀଙ୍କ ପାଖରୁ ନିର୍ଦେଶ ଆଣି କରିଛନ୍ତି ଏମିତି ନିଆରା କର୍ମ ।

ଜ୍ୟୋତିର୍ବିଦଙ୍କ ପରାମର୍ଶ କ୍ରମେ ବିଦ୍ୟାଧରଙ୍କ ମୃତଦେହ ସତ୍କାର ପାଇଁ ଆୟୋଜନ କରଯାଇଥିଲା । ସାହି ପଡିଶା ସହ ପରିବାର ବର୍ଗଙ୍କ ଉପସ୍ଥିତିରେ କୋକେଇରେ କୁଟା ତିଆରି ବିଦ୍ୟାଧରଙ୍କ ଏକ କୁଶ ପୁତ୍ତଳିକା ମୃତଦେହ କରି, ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ ସହିତ ହରିବୋଲ ପକାଇ ସ୍ଥାନୀୟ ଶ୍ମଶାନକୁ ନେଇଥିଲେ । ସେଠାରେ ହିନ୍ଦୁ ରୀତି ଅନୁସାରେ ମୃତଦେହ ସତ୍କାର କରଯାଇଥିଲା । ତେବ ଏଭଳି ମୃତଦେହ ସତ୍କାର କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବାପାଙ୍କୁ ମୁଖାଗ୍ନୀ ଦେଇ, ହିନ୍ଦୁ ରୀତିନୀତି ପରମ୍ପରା ଅନୁଯାୟୀ ଦଶାହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ବୋଲି ପୁଅ କହିଥିଲେ। ସେହିପରି ବିଦ୍ୟାଧରଙ୍କ ବୟସ 85 ବର୍ଷ ହୋଇଥିବା ବେଳେ ଘରୁ ଯାଇ ସେ ନ ଫେରିବାରୁ ବାଧ୍ୟ ହୋଇ ପଣ୍ଡିତଙ୍କ ପରାମର୍ଶ କ୍ରମେ ଏଭଳି ମୃତଦେହ ସତ୍କାର କରାଯିବା ସହ ତାଙ୍କ ଆତ୍ମାର ସଦଗତି ହେଉ ବୋଲି ଗ୍ରାମବାସୀ କହିଥିଲେ।

ଇଟିଭି ଭାରତ, ଭଦ୍ରକ

Last Updated :Jan 28, 2024, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.