ETV Bharat / state

କେନ୍ଦ୍ରାପଡ଼ାରେ କୁସଂସ୍କାର: ଶେଷ ଠିକଣାରେ ବି ପାତରଅନ୍ତର, ବ୍ରାହ୍ମଣ ଶ୍ମଶାନରେ ଅନ୍ୟ ଜାତିଙ୍କୁ ମୃତଦେହ ସତ୍କାର ମନା

author img

By ETV Bharat Odisha Team

Published : Nov 21, 2023, 7:43 PM IST

Updated : Nov 22, 2023, 1:05 PM IST

ବ୍ରାହ୍ମଣ ଶ୍ମଶାନକୁ ନେଇ ଅସନ୍ତୋଷ: ପୋୖରାଧ୍ୟକ୍ଷା କହିଲେ ନିଆଯିବ ପଦକ୍ଷେପ
ବ୍ରାହ୍ମଣ ଶ୍ମଶାନକୁ ନେଇ ଅସନ୍ତୋଷ: ପୋୖରାଧ୍ୟକ୍ଷା କହିଲେ ନିଆଯିବ ପଦକ୍ଷେପ

Kendrapada Crematorium Controversy: କେନ୍ଦ୍ରପଡାର ବ୍ରାହ୍ମଣ ଶ୍ମଶାନକୁ ନେଇ ବିବାଦ । ବିରୋଧ କଲା ଦଳିତ ସମାଜ । ପୌରଧ୍ୟକ୍ଷା କହିଲେ ଘଟଣା ସମ୍ପର୍କରେ ଅବଗତ ହେଲେ ନେବେ ପଦକ୍ଷେପ । ଅଧିକ ପଢନ୍ତୁ

ବ୍ରାହ୍ମଣ ଶ୍ମଶାନକୁ ନେଇ ଅସନ୍ତୋଷ: ପୋୖରାଧ୍ୟକ୍ଷା କହିଲେ ନିଆଯିବ ପଦକ୍ଷେପ

କେନ୍ଦ୍ରାପଡା: ଦେଶ ସ୍ଵାଧୀନ ହେବା ପରେ ଜାତିପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଥିବା କୁହାଯାଉଥିଲେ ହେଁ ଶିକ୍ଷିତ ଅଞ୍ଚଳରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ ଜାତିବାଦର ପରମ୍ପରା ଏବେ ମଧ୍ୟ ଜୀବିତ । କେନ୍ଦ୍ରାପଡା ଜିଲ୍ଲାରେ ଜାତି ପ୍ରଥାର ଏପରି ଏକ ଅଭିଯୋଗ ସାମ୍ନାକୁ ଆସିଛି । ବିବାଦଟି ଅନ୍ୟ କୌଣସି ସ୍ଥାନକୁ ନେଇ ନୁହେଁ ବରଂ ଏକ ଶ୍ମଶାନକୁ ନେଇଁ । ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ପୌରପାଳିକା ୮ ନଂ ୱାର୍ଡ ଅଧିନ ହଜାରୀବଗିଚାରେ ଏକ ଶ୍ମଶାନ ରହିଛି । ଏହି ଶ୍ମଶାନର ବିଶେଷତ୍ୱ ହେଉଛି ଏଠାରେ କେବଳ ବ୍ରାହ୍ମଣ ଜାତିର ବ୍ୟକ୍ତିବିଶେଷଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥାଏ । ଯାହାକୁ ନେଇ ଏବେ ଦଳିତ ସମାଜ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛି ।

୪ ଡେସିମଲ ବ୍ୟାପ୍ତ ଏହି ଶ୍ମଶାନ ବର୍ଷ ସାରା ତାଲା ପଡିଥାଏ । ଏହାର ଚାବି ବ୍ରାହ୍ମଣ ଜାତିର ମୁରବୀଙ୍କ ନିକଟରେ ରହିଥାଏ । ବ୍ରାହ୍ମଣ ସମାଜରେ କାହାର ମୃତ୍ୟୁ ହେଲେ, ତାଲା ଖୋଲାଯାଇ ମୃତଦେହ ସତ୍କାର କରାଯାଇ, ପୁଣି ଏଠାରେ ତାଲା ପଡିଥାଏ । ଯାହାକୁ ନେଇ ଦଳିତ ସମାଜର ଲୋକେ ଏକ ଅଭିଯୋଗ ପତ୍ର ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଦେଇଥିବା କହିଛନ୍ତି ଜିଲ୍ଲା ଭୀମ ଆର୍ମି ସଭାପତି । ସ୍ଥାନୀୟ ଅନ୍ୟ ବର୍ଗର ଲୋକଙ୍କ କହିବା ଅନୁସାରେ,ପୁର୍ବରୁ ଏଠାରେ ସମସ୍ତ ଜାତିର ଲୋକଙ୍କ ମୃତଦେହକୁ ଏଠାରେ ଦାହ ସଂସ୍କାର କରାଯାଉଥିଲା । ଗତ କିଛିବର୍ଷ ହେବ ଏହି ଶ୍ମଶାନରେ କେବଳ ବ୍ରାହ୍ମଣ ଲୋକଙ୍କ ମୃତଦେହ ସଂସ୍କାର ହୋଇଆସୁଛି ।

ସେହିପରି ଏହି ଶ୍ମଶାନ କେବଳ ବ୍ରାହ୍ମଣ ସମାଜର, ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଏପରି ବ୍ରାହ୍ମଣଙ୍କ ପାଇଁ ଶ୍ମଶାନ ଉଦ୍ଦିଷ୍ଟ ନଥିବା କହିଛନ୍ତି ସୁନାଇଲୋ ବ୍ରାହ୍ମଣ ସମାଜର ଜଣେ ସଦସ୍ଯ । ଏହି ଶ୍ମଶାନର ସୁନାଇଲୋ, ହଜାରୀ ବଗିଚା ଓ ଖଡ଼ିଅଙ୍ଗ ଗାଁର ବ୍ରାହ୍ମଣ ଲୋକଙ୍କର ମୃତଦେହ ଦାହ କରାଯାଏ । ଏମାନଙ୍କ ଭିନ୍ନ ଅନ୍ୟ ଜାତିର ଲୋକେ ନିକଟସ୍ଥ ଅନ୍ୟ ଏକ ଶ୍ମଶାନରେ ସେମାନଙ୍କ ସଂସ୍କାର କରନ୍ତି ବୋଲି କହିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ କୌଣସି ଜାତିର ଲୋକେ ଏହାକୁ ବିରୋଧ କରିନାହାନ୍ତି ଓ ଏହି ଶ୍ମଶାନ ପାଇଁ ଜମିକୁ ବ୍ରାହ୍ମଣ ଜାତିର ଜନୈକ ବ୍ୟକ୍ତି ସରକାରଙ୍କୁ ଦାନ କରିଥିବାରୁ ଏଠାରେ ଅନ୍ୟ ଜାତିର ଲୋକଙ୍କ ଦାହ ସଂସ୍କାରକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ କଥା କହିଛନ୍ତି ତାହା ଗ୍ରହଣୀୟ ନୁହଁ: ଭର୍ତ୍ତୃହରି

ଉକ୍ତ ଶ୍ମଶାନଟି ୧୯୨୮ ମସିହାରେ ପ୍ରତିଷ୍ଠା ହୋଇଥିବା ଫଳକରେ ଲେଖା ଯାଇଥିବା ବେଳେ କୋଭିଡ ସମୟରେ ଏହି ଶ୍ମଶାନର ଉନ୍ନତିକରଣ ପାଇଁ ଲକ୍ଷାଧିକ ସରକାରୀ ଟଙ୍କା ବିନିଯୋଗ ହୋଇଛି । ଏନେଇ ମ୍ୟୁନିସିପାଲିଟି ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏନେଇ ପୋୖରାଧ୍ୟକ୍ଷା ସରିତା ସାହୁ, ଏହା ତାଙ୍କ ସମୟର କାମ ନୁହେଁ ବୋଲି କହିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Nov 22, 2023, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.