ETV Bharat / state

ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ବିକ୍ଷୋଭ

author img

By ETV Bharat Odisha Team

Published : Feb 8, 2024, 1:51 PM IST

SHG Women Protest: ୨୨ ଦିନ ଧରି ପ୍ରାଣୀ ଚିକିତ୍ସକଙ୍କ ଜାରି ରହିଛି ଆନ୍ଦୋଳନ । ସେପଟେ ଚିକିତ୍ସା ଅଭାବରୁ ଶତାଧିକ ପଶୁପକ୍ଷୀଙ୍କ ମୃତ୍ୟୁ ହେଉଥିବାରୁ ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା । ଅଧିକ ପଢନ୍ତୁ

SHG Women Protest
ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

ମାଲକାନଗିରି: ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବା ବାଧାପ୍ରାପ୍ତ । କାରଣ ୨୨ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଜାରି ରଖିଛନ୍ତି ଆନ୍ଦୋଳନ । ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ରୂପାନ୍ତରୀକରଣ, ପ୍ରାଣୀମାନଙ୍କୁ ନିଶୁଳ୍କ ସେବା, ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାରଙ୍କ ଭଳି ଡିଏସିପି ଓ ଏନପିଏ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । ଏଥିସହ ଡାକ୍ତର ପଦବୀ ସୃଷ୍ଟି, ନିଯୁକ୍ତି ଓ କ୍ୟାଡ଼ର ପୁନଃଗଠନ ଦାବିରେ ଗତ ମାସ 18 ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ । ଯାହାଫଳରେ ଚିକିତ୍ସା ଅଭାବରୁ ଶତାଧିକ ପଶୁପକ୍ଷୀଙ୍କ ମୃତ୍ୟୁ ଘଟୁଛି । ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା ।

ଗତ ୧୮ ତାରିଖରୁ ବିଭିନ୍ନ ଦାବି ନେଇ ସମୂହ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକମାନେ । ଗତ ୨୨ ଦିନ ହେଲା ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି ଶତାଧିକ ନିରୀହ ପଶୁପକ୍ଷୀ । ବିଶେଷ କରି ସରକାରଙ୍କ ପକ୍ଷରୁ ବିଭିନ୍ନ ଏସଏଚଜି ମହିଳା ଗ୍ରୁପଙ୍କୁ ଗାଈ, ଛେଳି, ବତକ, କୁକୁଡ଼ା ଫାର୍ମ ପାଇଁ ଋଣ ଦିଆଯାଇଥିଲା । ଏବେ ସେହି ପ୍ରାଣୀଗୁଡିକର ଚିକିତ୍ସା ଅଭାବରୁ ମୃତ୍ୟୁ ହେଉଛି । ଏନେଇ ଗତକାଲି(ବୁଧବାର) ଜିଲ୍ଲାର ପ୍ରାଣୀ ମାଲିକ ଓ ଏସଏଚଜି ଗ୍ରୁପ ମହିଳାମାନେ ଉତ୍ୟକ୍ତ ହୋଇ ମଲା ବତକ କୁକୁଡ଼ାଙ୍କୁ ଧରି ପଶୁ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହିତ ଏହି ସମସ୍ୟାର ତୁରନ୍ତ ପ୍ରତିକାର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କିଛି ସମୟ ଧରି ଆନ୍ଦୋଳନ କରିଥିଲେ ।

ଏହି ଘଟଣା ଜାଣିବା ପରେ ଜିଲ୍ଲା କଂଗ୍ରେସ କମିଟିର କଂଗ୍ରେସ ନେତା ଜି. ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, ପି କେଶୁରାଓ, ପଦ୍ମପାଙ୍ଗି ପ୍ରମୁଖ କଂଗ୍ରେସ ନେତାମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ । ଏଥିସହ ରାଜ୍ୟ ସରକାର ଓ 5T ଅଧ୍ୟକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଗତ ୩୧ ତାରିଖ ଦିନ ମୃତ ବାଛୁରୀ, ଛେଳି ଧରି ସହରବାସୀ ପଶୁ ଚିକିତ୍ସାଳୟ ଓ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଦାବିପତ୍ର ଦେଲେ ପ୍ରାଣୀ ଚିକିତ୍ସକ, କେବେ ଶୁଣିବେ ସରକାର

ଏନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ କମିଟି ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ । ଏହାପରେ ଆସନ୍ତା ତିନି ଦିନ ମଧ୍ୟରେ କିଛି ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଖୁବଶୀଘ୍ର ପ୍ରାଣୀଙ୍କ ଚିକିତ୍ସା ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.