ETV Bharat / state

ଥମୁନି ହାତୀ ଆତଙ୍କ, 3 ଦିନରେ ଗଲାଣି 3 ଜଣଙ୍କ ଜୀବନ - Elephant Attack

author img

By ETV Bharat Odisha Team

Published : Apr 14, 2024, 2:17 PM IST

ELEPHANT ATTACK
ELEPHANT ATTACK

Elephant Attack: ଢେଙ୍କାନାଳରେ ଥମୁନି ହାତୀ ଆତଙ୍କ । 3 ଦିନରେ 3 ଜଣଙ୍କୁ କଚାଡି ମାରିଲା ହାତୀ । ଚୁପ ବସିଛି ବନ ବିଭାଗ । ଅଧିକ ପଢନ୍ତୁ

ELEPHANT ATTACK

ଢେଙ୍କାନାଳ: ଜିଲ୍ଲାରେ ଉତ୍ପାତ ମଚାଇଛନ୍ତି ହାତୀ । ଦିନକୁ ଦିନ ଘଟାଇ ଚାଲିଛନ୍ତି ଉପଦ୍ରବ । ଜଣଙ୍କ ପରେ ଜଣଙ୍କ ଜୀବନ ନେଇ ଚାଲିଛନ୍ତି ହାତୀ ପଲ । 3 ଦିନ ମଧ୍ୟରେ ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହେଲାଣି । ତଥାପି ଏନେଇ ବନ ବିଭାଗର ନିଦ ଭାଙ୍ଗୁନି । ଫଳରେ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାର ପଡିଯାଇଛନ୍ତି ଢେଙ୍କାନାଳ ବାସୀ । ତିନି ମୃତକ ହେଉଛନ୍ତି ମହାବିରୋଡ଼ ଗୋବରୀ ଗ୍ରାମର ସୁରୁ ମୁଣ୍ଡା, ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମର 75 ବର୍ଷୀୟ ଯାଇଗ ନାଏକ ଓ ହିନ୍ଦୋଳ ଥାନା କଂସରା ଆମ୍ବିଠି ଗ୍ରାମର ପ୍ରସନ୍ନ ବେହେରା ।

ମିଳିଥିବା ସୂଚନା ମୁତାବକ, ବୃଦ୍ଧା ସୁରୁ ମୁଣ୍ଡା ମହୁଲ ଗୋଟାଇବାକୁ ଯାଇଥବା ବେଳେ ହାତୀ ତାଙ୍କୁ କଚାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର ପଶ୍ଚିମାଞ୍ଚଳରରେ ଏହି ଘଟଣା ଘଟିଛି । ଗତକାଲି ବୃଦ୍ଧା ଜଣଙ୍କ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଫଳରେ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ଗତ ରାତିରେ ଜଙ୍ଗଲରୁ ପାଇଥିଲେ । ଅନୁରୂପ ଭାବେ ଆଜି ସକାଳେ ହିନ୍ଦୋଳ ବନାଞ୍ଚଳରେ ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମର ଯାଇଗ ନାଏକଙ୍କୁ ହାତୀ କଚାଡି ମାରି ଦେଇଛି । ଆଜି ଭୋର ସମୟରେ ଯାଇଗ ଶୌଚ ହେବାକୁ ଗାଁ ପାଖ ପୋଖରୀକୁ ଯାଇଥିଲେ । ସେହି ସମୟରେ ସେ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ଏହା ମଧ୍ୟ ପଢନ୍ତୁ-ପୁଣି ହାତୀ ଓ ମଣିଷ ମୁହାଁମୁହିଁ, ହାତୀ କଚଡ଼ାରେ ବ୍ୟକ୍ତିଙ୍କ ମୃତ୍ୟୁ - Man killed in elephant attack

ସେହିପରି ଶୁକ୍ରବାର ଭୋର ସମୟରେ ହିନ୍ଦୋଳ ବନାଞ୍ଚଳର କଂସରା ଗ୍ରାମ ନିକଟରେ ପ୍ରସନ୍ନ ବେହେରା ନାମ ଜଣେ ବ୍ୟକ୍ତିଙ୍କୁ ହାତୀ ପାଦରେ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହିନ୍ଦୋଳ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ପୂର୍ବରୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ଗୁରୁବାର ପ୍ରସନ୍ନ ଘର ପଛ ଆଡକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ପାଦରେ ଦଳି ଦେବାରୁ ସେ ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବାକୁ ହାତୀଟି ପଳାଇଥିଲା । ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ କେହି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.