ETV Bharat / state

ବିଧାନସଭା ବେଦାନ୍ତ ତାତି; ଧାରଣାରେ ବସିଲେ ନରସିଂହ ଗୃହ ମୁଲତବୀ

author img

By ETV Bharat Odisha Team

Published : Feb 6, 2024, 5:51 PM IST

Narasingha Mishra
Narasingha Mishra

Narasingha Mishra stages Dharna in Assembly: ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ଦିନରେ ଆଜି ଦେଖିବାକୁ ମିଳିଛି ବେଦାନ୍ତ ତାତି । ନରସିଂହ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାରଙ୍କର ବେଦାନ୍ତ ପ୍ରୀତି କମୁନାହିଁ । ଆଇନକୁ ଜଳାଞ୍ଜଳି ଦେଇ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ବିଧାନସଭା ବେଦାନ୍ତ ତାତି; ଧାରଣାରେ ବସିଲେ ନରସିଂହ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ଦିନରେ ଆଜି ଦେଖିବାକୁ ମିଳିଛି ବେଦାନ୍ତ ତାତି । ଶୂନ୍ୟକାଳରେ ବେଦାନ୍ତ ଜମି ହଡପ ପ୍ରସଙ୍ଗ ଉଠାଇ ଗୃହରେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଗୃହ ସ୍ୱାଭାବିକ ନହେବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ବଜେଟ ଅଧିବେଶନ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ଵାଭାବିକ ଥିଲା । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିଲା । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ହେଲେ ଶୂନ୍ୟକାଳରେ ବେଦାନ୍ତ ଜମି ହଡପ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ବାଚସ୍ପତିଙ୍କ ରୁଲିଂ ଦାବି ସହ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ନରସିଂହ । ଅନୁଧ୍ୟାନ କରିବେ ବୋଲି ବାଚସ୍ପତି କହିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ନରସିଂହ । ଗୃହ ମଧ୍ୟକୁ ଆସି ଏକାକୀ ଧାରଣା ଦେଇଥିଲେ ନରସିଂହ । କାରଣ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ଗୃହରେ ଉପସ୍ଥିତ ନଥିଲେ । ଯାହା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ- Budget Session: ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡି଼ଶା ଆଗରେ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

ନରସିଂହ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାରଙ୍କର ବେଦାନ୍ତ ପ୍ରୀତି କମୁନାହିଁ । ଆଇନକୁ ଜଳାଞ୍ଜଳି ଦେଇ ଦେଇଛନ୍ତି ରାଜ୍ୟ ସରକାର । ବେଦାନ୍ତକୁ ରାଜ୍ୟ ସରକାର ସବୁ ସହାୟକ ଯୋଗାଇ ଦେଉଛନ୍ତି । ସରକାର ନିଜ ଖର୍ଚ୍ଚରେ ରାସ୍ତା ମଧ୍ୟ କରିଦେଲେ । ତାକୁ କେବଳ ବେଦାନ୍ତ ବ୍ୟବହାର କରି ପାରିବ । ଚୁକ୍ତି ସ୍ୱାକ୍ଷର ମଧ୍ୟ କଲେ ସରକାର । ବେଦାନ୍ତ ପାଇଁ ସବୁ ଛାଡ । ସୁପ୍ରିମକୋର୍ଟ ମଧ୍ୟ କହୁଛନ୍ତି ଅହେତୁକ ଅନୁକମ୍ପା ପାଇଁ ଦଣ୍ଡ ବିଧାନ ହେବା ଦରକାର । ଲୋକାୟୁକ୍ତ ମଧ୍ୟ ପୂର୍ବରୁ ସେହି କଥା କହି ସାରିଛନ୍ତି । ଓଡିଶା ହାଇକୋର୍ଟ ମଧ୍ୟ ସେହି କଥା କହିଛନ୍ତି । କିନ୍ତୁ ସରକାରଙ୍କ ନିଦା ଭାଙ୍ଗୁନାହିଁ । ଯେଉଁ ସରକାର କହୁଛନ୍ତି ଦୁର୍ନୀତିକୁ ପ୍ରସାରିତ ହେବାକୁ ଦିଆଯିବନାହିଁ । ମୁଁ ସେହି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛି ଏ କଣ ? ମୁଖ୍ୟମନ୍ତ୍ରୀ ଚୁପ । ମୁଖ୍ୟମନ୍ତ୍ରୀ ଦୁର୍ନୀତି ଗ୍ରସ୍ତ । ବେଦାନ୍ତ ସଂସ୍ଥା, ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନେ ବି ସାମିଲ ।

ସେହି ସମୟରେ ମିଳିତ ସରକାର ବିଜେପି ଓ ବିଜେଡ଼ି ଥିଲା । ବିଜେପି ମଧ୍ୟ ଦୋଷୀ । ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇ ଜମି ଯୋଗଦେଲେ । ସମସ୍ତ ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ । ଯେଉଁମାନେ ମହାପ୍ରଭୁଙ୍କୁ ନେଇ ଅନେକ କଥା କହୁଛନ୍ତି । ତାଙ୍କୁ ଭିକାରୀ ସଜାଇ ସାରିଲେଣି । ଗାଁ ଗାଁ ବୁଲେଇଲେ । ମନ୍ତ୍ରୀ ଓ ନେତା ବାହା ବାହା ନେଲେ । କିନ୍ତୁ ମହାପ୍ରଭୁଙ୍କ ଜମି ନ ଫେରେଇବାଠୁ ସ୍ପଷ୍ଟ ସରକାରଙ୍କ ମହାପ୍ରଭୁଙ୍କ ପ୍ରତି କେତେ ଭକ୍ତି । ସୁପ୍ରିମକୋର୍ଟରେ ସରକାର କହିଥିଲେ କିଛି ଜମି ରଖି ବାକି ଜମି ଫେରାଇ ଦେବୁ । କିନ୍ତୁ କାହିଁକି ଫେରାଉ ନାହାନ୍ତି । ଜଗନ୍ନାଥ ମହାପ୍ରଭୁଙ୍କର ଓ ଚାଷୀ ମାନଙ୍କ ଜମି ତୁରନ୍ତ ଫେରାଇବା ପାଇଁ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତଥାପି କାହିଁକି ଫେରାଉ ନାହାନ୍ତି । ଏଠୁ ସ୍ପଷ୍ଟ ସରକାର କେତେ ଦୁର୍ନୀତି ଗ୍ରସ୍ତ । ଏ ସରକାର ଦୁର୍ନୀତିର ଗନ୍ତା ଘର । ଖଣି, ଜମି, ପାଣି ଓ ନିଯୁକ୍ତିର ଭଳି ସବୁଥିରେ ଦୁର୍ନୀତି ଭରି ରହିଛନ୍ତି ସରକାର । ଫୌଜଦାରୀ ମାମଲା ରୁଜୁ ହେଉ । ଭିଜିଲାନ୍ସ ଭଳି ତଦନ୍ତ ହେଉ । ସବୁ ଠି କହିଲୁ କିନ୍ତୁ କେହି ଶୁଣିଲେନି । ଏବେ ଏଠି କହିବୁନି ତ ଆଉ କେଉଁଠି କହିବୁ ? ବାଚସ୍ପତି ରୁଲିଂ ଦିଅନ୍ତୁ । ରାଜ୍ୟ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ କଲେ ଦାବି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଉ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି । ଏହା ପରେ ଗୃହ ମଧ୍ୟ ଭାଗରେ ଆସି ପ୍ରତିବାଦ କରିଥିଲେ ନରସିଂହ । ଯଦି ରୁଲିଙ୍ଗ ନ ଦେବେ ମୁଁ ଧାରଣା ଦେବି । ଏହା ପରେ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଅଧିକ ପଢନ୍ତୁ- ୨୦୨୪ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି: ପ୍ରଦୀପ ଅମାତ

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ପ୍ରଭୁ ଶ୍ରୀଜଗନ୍ନାଙ୍କର ଜମିକୁ ମଧ୍ୟ ସରକାର ପ୍ରକଳ୍ପ କରିବା ପାଇଁ ନିଷ୍ପତି ନେଇଥିଲେ । ତାକୁ ଆଧାର କରି କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଏହି କଥା ଉଠେଇଥିଲେ । ତର୍ଜମା ଚାଲିଛି, ରିପୋର୍ଟ ଆସିଲେ ଜଣେଇଦେବେ ବୋଲି ବାଚସ୍ପତି କହିଲେ । ଏହି କଥାରେ କଂଗ୍ରେସ ନେତା ଗୃହରେ ଧାରଣାରେ ବସିଥିଲେ । ଏଠାରେ ଯେଉଁ ଜମି କଥା ଉଠିଲା ସେଇ କଥାରେ ବାଚସ୍ପତି ତାଙ୍କର ରୁଲିଂ ମଧ୍ୟ ଦେବାର ଥିଲା । ଏହା ନ କରି ଆଲୋଚନାକୁ ନେବା ଏବଂ ଆମ ଓଡିଶା ନବୀନ ଓଡିଶା ଦୁର୍ନୀତି କଥା ମଧ୍ୟ ଉଠିଥିଲା ଏକଥାର ଆଲୋଚନା ମଧ୍ୟ ଆସି ପାରିଲା ନାହିଁ । କେଉଁଠି ନା କେଉଁଠି ଏଥିରୁ ସ୍ପଷ୍ଟ କି କଂଗ୍ରେସ ଓ ବିଜେଡି ମଧ୍ୟରେ ଆପୋଷ ବୁଝାମଣା ଥିଲା । ପ୍ରତ୍ୟେକ ସମୟରେ କଂଗ୍ରେସ ଦଳ ସରକାରୀ ଦଳକୁ ସାହାଯ୍ୟ କରି ଆସୁଛି । ରାଜ୍ୟ ସରକାର କିଭଳି ଦୁର୍ନୀତି କରିଛନ୍ତି ତାକୁ ଲୁଚାଇବା ପାଇଁ ସରକାର ବାଚସ୍ପତିଙ୍କ ସାହାଯ୍ୟ ନେଇଛନ୍ତି ।

ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ମୁଲତବୀ ପ୍ରସ୍ତାବ କଂଗ୍ରେସ ତରଫରୁ ଆସିଥିଲା । କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଆଣିଥିବା ପ୍ରସଙ୍ଗ ତଥା ବେଦାନ୍ତ ଜମି ଉପରେ ବାଚସ୍ପତି ଅନୁଧ୍ୟାନ କରିବେ ବୋଲି ବି ମଧ୍ୟ କହିଛନ୍ତି । କିନ୍ତୁ ସ୍ଥିତି ଠିକ ନଥିବାରୁ ଶୂନ୍ୟ କାଳରୁ ମୁଲତବୀ ରହିଛି । ଦାୟୀ କେହି ନୁହନ୍ତି । ଆଲୋଚନା ପାର୍ଯ୍ୟାଲୋଚନା ପାଇଁ ଅଛି । ଯାହା ନିଷ୍ପତ୍ତି ଆସିବ । ତା ପୂର୍ବରୁ କହିବା ଠିକ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.