ETV Bharat / state

୨୦୨୪ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି: ପ୍ରଦୀପ ଅମାତ

author img

By ETV Bharat Odisha Team

Published : Feb 6, 2024, 1:15 PM IST

Updated : Feb 6, 2024, 2:33 PM IST

Budget Session of Odisha Assembly
Budget Session of Odisha Assembly

Budget Session of Odisha Assembly: ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା । ୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ । ଅଧିକ ପଢନ୍ତୁ

Budget Session of Odisha Assembly

ଭୁବନେଶ୍ବର: ରାଜ୍ୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । ସୁରୁଖୁରରେ ଚାଲିଥିବା ପ୍ରଶ୍ନକାଳରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରଗରମ ଆଲୋଚନା ହୋଇଛି । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।

ବିଧାନସଭାର ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେହିପରି ପାନୀୟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଖୋଦ ବିଭାଗୀୟ ମନ୍ତ୍ରୀଙ୍କ ଅଞ୍ଚଳରେ ବି ଲୋକେ ପାନୀୟ ଜଳରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି । ନରସିଂହ ମିଶ୍ର ଏବଂ ମୋହନ ମାଝୀ ତଥା ଗୃହର ଅନ୍ୟ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ । ମନ୍ତ୍ରୀ କହିଛନ୍ତି ଯେ,"ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି । ତେବେ ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି ସେଠାରେ ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ ।"

ଏହା ମଧ୍ୟ ପଢନ୍ତୁ: ନବୀନ ସରକାରର ଶେଷ ଅଧିବେଶନ; ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ବିକାଶର ଗୋଲାପୀ ଚିତ୍ର

ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖି ଆହୁରି ମଧ୍ୟ କହିଛନ୍ତି,"ମାର୍ଚ୍ଚ ୨୦୨୩ ସୁଦ୍ଧା ୫୮ ପ୍ରତିଶତ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି । ଯେଉଁଠି ପାଇପ ନାହିଁ କି କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନୂଆ ଟ୍ୟୁବୱେଲ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଜନବସତିରେ ଅତିରିକ୍ତ ଟ୍ୟୁୱେଲ ଲଗାଯିବ । ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ ଟ୍ୟୁବୱେଲ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ଟ୍ୟୁବୱେଲ ଲଗାଯିବ । ହେଲେ ଯେଉଁଠି ଘରୋଇ ଟ୍ୟୁବୱେଲ କି ପାଇପ ଅଛି, ସେଠାରେ ଟ୍ୟୁବୱେଲ ଲଗାଯିବାର କୌଣସି ଯୋଜନା ନାହିଁ । ପାନୀୟ ଜଳ ସମସ୍ୟା ଥିଲେ, ୧୯୧୬ ହେଲ୍ପଲାଇନ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାର ବ୍ୟବସ୍ଥା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 6, 2024, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.