ETV Bharat / state

ନବୀନ ସରକାରର ଶେଷ ଅଧିବେଶନ; ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ବିକାଶର ଗୋଲାପୀ ଚିତ୍ର

author img

By ETV Bharat Odisha Team

Published : Feb 5, 2024, 3:33 PM IST

Updated : Feb 5, 2024, 3:52 PM IST

Odisha Assembly
Odisha Assembly

Budget Session of Odisha Assembly: ବିଧାନସଭାରେ ପ୍ରଥମ ଅଭିଭାଷଣ ରଖିି ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଗତ ୧୭ ଜାନୁଆରୀରେ 800 କୋଟି ବ୍ୟୟରେ ହୋଇଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୋ ସରକାର । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ବିକାଶର ଗୋଲାପୀ ଚିତ୍ର

ଭୁବନେଶ୍ୱର: ଷୋଡଶ ବିଧାନସଭାର ଶେଷ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳଙ୍କ ମୁହଁରେ ବିକାଶର ଗୋଲାପୀ ଚିତ୍ର ଚିତ୍ର ପଢ଼ାଇଛନ୍ତି ରାଜ୍ୟ ସରକାର । ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି ରାଜ୍ୟପାଳ । ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲା କଂଗ୍ରେସ ।

ଓଡିଶା ବିଧାନସଭାରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ, ଗତ ୧୭ ଜାନୁଆରୀରେ ୮୦୦ କୋଟି ବ୍ୟୟରେ ହୋଇଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏଥିପାଇଁ ସରକାରଙ୍କୁ ଧନ୍ୟବାଦ । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଶ୍ରୀମନ୍ଦିରରୁ ୭୫ ମିଟର ଯାଏଁ ହୋଇଥିବା ପରିକ୍ରମା ପ୍ରକଳ୍ପ ଦ୍ବାରା ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ହାସଲ କରୁଛନ୍ତି । ପ୍ରକଳ୍ପ ଭକ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ସହ ମନ୍ଦିରର ସୁରକ୍ଷା ଦିଗରେ ବଡ଼ ଭୂମିକା ତୁଲାଇବ । ପୁରୀକୁ ଭକ୍ତଙ୍କ ଆଗମନ ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରୁ ଲକ୍ଷ୍ମୀ ଏକ୍ସପ୍ରେସ ବସ ସେବା ଆରମ୍ଭ କରିଛନ୍ତି । ଦୂରଦୂରାନ୍ତରରୁ ଆସୁଥିବା ଭକ୍ତଙ୍କ ପାଇଁ ଯେପରି କୌଣସି ସମସ୍ୟା ଦେଖା ନଦେବ ସେଥିପାଇଁ ପରିକ୍ରମା ପ୍ରକଳ୍ପ ଭଳି ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରର ଅଭୂତପୂର୍ବ ପରିବର୍ତ୍ତନ ସହ ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ରାଜ୍ୟର ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରଣ କାମକୁ ପ୍ରାଥମିକତା ଦେଇଛନ୍ତି ।

ଅଧିକ ପଢନ୍ତୁ- ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ଫେବୃଆରୀ 8ରେ ଆସିବ କାମଚଳା ବଜେଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟ ସରକାର ମା’ ସମଲେଇ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ୨୦୦ କୋଟି ଟଙ୍କା ଖର୍ଚ୍ଚରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ମନ୍ଦିର ମା’ ସମଲେଇ ମନ୍ଦିରର ନବକଳେବର କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସେହିଭଳି ୨୮୦ କୋଟି ଟଙ୍କା ଖର୍ଚ୍ଚରେ ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ବର୍ର ବିକାଶ କରିଛନ୍ତି । ବିଭିନ୍ନ ଐତିହ୍ୟସ୍ଥଳୀର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଆମ ଓଡ଼ିଶା, ନବୀନ ଓଡ଼ିଶା ଏକ ଅନନ୍ୟ ପଦକ୍ଷେପ । ରାଜ୍ୟ ସରକାର ଗ୍ରାମୀଣ ଓଡ଼ିଶାର ଦ୍ରୁତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ଗ୍ରାମୀଣ ବିକାଶ ସହ ଇଣ୍ଟରନେଟ ସୁବିଧା, ଡିଜିଟାଲ ସୁବିଧା, ସଂସ୍କୃତିର ପ୍ରଚାର ପ୍ରସାର ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ।

ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଅନନ୍ୟ ପଦକ୍ଷେପ । ଗ୍ରାମୀଣ ଓଡ଼ିଶାର ଦୃତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶ ମୂଳକ ପଦକ୍ଷେପ । ନୂଆ - ଓ ଯୁବ ସମ୍ପୃକ୍ତିକରଣ ତଥା ସଶକ୍ତିକରଣ ଲକ୍ଷ୍ୟରେ ଏକ ଯୁଗାନ୍ତକାରୀ ଅଭିଯାନ । ଉତ୍କଳ ସମ୍ମିଳନୀରୁ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଯାହା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ଉନ୍ନତି ସାଧନ ପାଇଁ ପ୍ରକୃଷ୍ଟ ଉଦ୍ୟମ । ଏଥିପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ରାଜ୍ୟପାଳ । ୫ଟି ଓ ମୋ ସରକାର ପ୍ରଶାସନିକ ଦିଗରେ ଏକ ନୂତନ ଯୁଗ ଆରମ୍ଭ କରିଛି । ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟତର କରିଛି । ୨୦୨୨/୨୩ ବର୍ଷରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୨୨.୫ ପ୍ରତିଶତ ଯୋଗଦାନ ଥିଲା । ୨୦୨୨/୨୩ରେ ରାଜ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ ୧୪୧.୩୬ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଯାହା ୨୦୦୦/୦୧ରେ ୫୫.୩୫ ଲକ୍ଷ ମେଟ୍ରିକ ଟନ ।

ରାଜ୍ୟରେ ଆଇନ ଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଥିବା ରାଜ୍ୟପାଳଙ୍କ ଅଭିଭାଷଣରେ ମାଧ୍ୟମରେ କହିଛନ୍ତି ରାଜ୍ୟ ସରକାର । ଶାନ୍ତିପୂର୍ଣ୍ଣ ରାଜ୍ୟରେ ସାମଗ୍ରିକ ଆଇନ ଶୃଙ୍ଖଳ ପରିସ୍ଥିତି ମୋଟାମୋଟି ଭାବେ ସ୍ଥିର ଓ ପୂର୍ଣ୍ଣ ରହିଛି । ମୋ ସରକାରଙ୍କ ସକ୍ରିୟ ସାମରିକ ଏବଂ ପ୍ରଶାସନିକ ପ୍ରତିକ୍ରିୟା ପନ୍ଥୀ ଉଗ୍ରବାଦ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି । ପୋଲିସ କାର୍ଯ୍ୟାନୁଷ୍ଠାନରେ ୪୨ ଜଣ ଉଗ୍ରବାଦୀ ନିଷ୍କ୍ରିୟ ହୋଇଥିବାବେଳେ ୧୪୫ ଜଣଙ୍କୁ ନିଷ୍କ୍ରିୟ କରାଯାଇଛି । ୬୩ ଜଣ ଆତ୍ମସମର୍ପଣ କରିଛନ୍ତି । ଏହା ବ୍ୟତୀତ ମାଓ ବିରୋଧି ଅଭିଯାନ ସମୟରେ ୧୬୨ ବନ୍ଧୁକ, ୪୮୦ ବିସ୍ଫୋରକ ସାମଗ୍ରୀ ଓ ମାଓ କାର୍ଯ୍ୟକଳାପରେ ବ୍ୟବହୃତ ବହୁ ପରିମାଣର ସାମଗ୍ରୀ ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି । ଏକଦା ବାମପନ୍ଥୀ ଉଗ୍ରବାଦର ଗଡ଼ କୁହାଯାଉଥୁବା ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ଅପରେସନ ‘ଘର ୱାପସି’ ମାଧ୍ୟମରେ ୩୨୦୦ରୁ ଅଧୁକ ସକ୍ରିୟ ମାଓବାଦୀ ଓ ମାଓ ସମର୍ଥକ ପୁଣି ଥରେ ସାମାଜିକ ମୁଖ୍ୟସ୍ରୋତକୁ ଫେରିଛନ୍ତି ।

2014-15 ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ ଲକ୍ଷ ୨୪ ହଜାର ପକ୍କା ଘର ରାଜ୍ୟରେ ନିର୍ମାଣ ହୋଇଛି । ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଥିବା ରାଜ୍ୟପାଳଙ୍କ ଅଭିଭାଷଣରେ କହିଛନ୍ତି ରାଜ୍ୟ ସରକାର । ୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ରାଜ୍ୟପାଳଙ୍କ ଅଭିଭାଷଣରେ କହିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬୯ ପ୍ରତିଶତ ଗ୍ରାମୀଣ ପରିବାର, ୬୮ ପ୍ରତିଶତ ବିଦ୍ୟାଳୟ, ୫୯ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ର ଓ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଥିବା କହିଛନ୍ତି ରାଜ୍ୟ ସରକାର । ରାଜ୍ୟର ୧୦ଟି ସହର ବସ୍ତି ମୁକ୍ତ ସହର ମାନ୍ୟତା ଅର୍ଜନ କରିଥିବା ରାଜ୍ୟପାଳଙ୍କ ଅଭିଭାଷଣରେ କହିଛନ୍ତି ସରକାର । ୫ ବର୍ଷ ମଧ୍ୟରେ ୫୦୪ ଶିଶୁ ଓ କିଶୋର ଶ୍ରମିକ ଉଦ୍ଧାର ହୋଇଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ୪୬ ହଜାର ୯୮୬ ଜଣଙ୍କୁ ମିଳିଛି ସରକାରୀ ନିଯୁକ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Feb 5, 2024, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.