ETV Bharat / state

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ଫେବୃଆରୀ 8ରେ ଆସିବ କାମଚଳା ବଜେଟ

author img

By ETV Bharat Odisha Team

Published : Feb 5, 2024, 6:57 AM IST

Budget Session: ଷୋଡ଼ଶ ବିଧାନସଭାର ଆଜି ଶେଷ ବଜେଟ ଅଧିବେଶନ । ଫେବୃଆରୀ 8ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ବଜେଟ ଅଧିବେଶନ
Budget Session

ଭୁବନେଶ୍ବର: ଆଜିଠୁ ବିଧାନସଭାରେ ଆରମ୍ଭ ହେବ ବଜେଟ ଅଧିବେଶନ । 2024-25 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ଚଳିତ ଅଧିବେଶନରେ ରହିଛି 7 କାର୍ଯ୍ୟ ଦିବସ । ଆଜି ପୂର୍ବାହ୍ନ 11ଟାରେ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ରଖିବେ । ଏହାପରେ ଉପରେ ଦୁଇ ଦିନ ଧରି ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଫେବୃଆରୀ 8 ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଏବେ କାମଚଳା ବଜେଟ ଆଗତ ହେବ । ଫେବୃଆରୀ 13 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।

ରାଜ୍ୟ ସରକାରଙ୍କୁ ଘେରିବେ ବିରୋଧି: ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧି । ବିରୋଧିଙ୍କ ପ୍ରଶ୍ନରେ କମ୍ପିବ ବିଧାନସଭା । ହାତରେ ମାଳମାଳ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ପ୍ରତି ଆକ୍ରମଣ ପାଇଁ ମଧ୍ୟ ସରକାର ତୟାର ଅଛନ୍ତି । ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ସ୍ବଳ୍ପ ସମୟ ମଧ୍ୟରେ ଚେଷ୍ଟା କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଞ୍ଚଳିକ ବୈଷମ୍ୟତା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଉପରେ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିବ ।

ଏହା ମଧ୍ୟ ପଢନ୍ତୁ-ବିଧାନସଭା ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସଙ୍ଗର ଲମ୍ବା ତାଲିକା ଦେଖାଇଲେ ନରସିଂହ

ବିଧାନସଭାର ସର୍ବଦଳୀୟ ବୈଠକ: ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ବିଧାନସଭାର ସର୍ବଦଳୀୟ ବୈଠକ । ବୈଠକର ଅଧ୍ୟକ୍ଷତା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତଙ୍କ ସହ ସହଯୋଗ ଲୋଡିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବୈଠକରେ ସାମିଲ ହୋଇଥିଲେ ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସବା ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଧାନସଭା ବାହାରେ ଓ ଭିତରେ ଅଘଟଣ ରୋକିବା ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରବିବାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ । ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଗୁଇନ୍ଦା ଆଇଜି, ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ଆଣ୍ଟି ସାବୋଟେଜ ଏଡ଼ାଇବାକୁ ତୟାର ରହିଛନ୍ତି ଟିମ । 28 ପ୍ଲାଟୁନ ଫୋର୍ସ ମୁତୟନ ସହ ସୁରକ୍ଷା ପରିଚାଳନା ପାଇ 6 ଜଣ ଅତିରିକ୍ତ ଡିସିପିଙ୍କ ସହ 27 ଜଣ ଇନ୍ସପେକ୍ଟର ଓ ଏଏସଆଇ ଦାୟିତ୍ୱରେ ରହିଛନ୍ତି । ଏଥିସହ 2ଶହ ଜଣ କନଷ୍ଟେବଳ ମଧ୍ୟ ବିଧାନସଭା ବାହାରେ ଓ ଭିତରେ ଜଗିବେ । ବନ୍ଧୁକଧାରୀ ପୋଲିସ ମୁତୟନ ହେବାକୁ ଥିବାବେଳେ 14 ରୁ 15 ଜଣିଆ କୁଇକ ରେସ୍ପନ୍ସ ଟିମ୍, 2ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ମଧ୍ୟ ନିୟୋଜିତ । ବମ ସ୍କ୍ୱାଡ ଓ ଡଗ ସ୍କ୍ୱାଡ ମଧ୍ୟ ଉପସ୍ଥିତ ରହିବେ । ବିଧାନସଭାରେ ସିସିଟିଭି ସର୍ଭିଲାନ୍ସ ସହ କଣ୍ଟ୍ରୋଲ ରୁମରୁ ନଜର ରଖାଯିବ ।

ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ସାଧାରଣ ନିର୍ବାଚନ ହେବା ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବଜେଟରେ ଗୁରୁତ୍ୱ ଦିଆଯିବ । କାମଚଳା ବଜେଟରେ ସବୁ ବର୍ଗଙ୍କୁ ଖୁସି କରିବାକୁ ସରକାର ଚେଷ୍ଟା କରିପାରନ୍ତି । ରାଜ୍ୟବାସୀ ବଜେଟର ବିଭିନ୍ନ ଦିଗ ଓ ପାଣ୍ଠି ବରାଦ ସମ୍ପର୍କରେ ଜାଣିବା ପାଇଁ ଚାହିଁ ରହିଛନ୍ତି । ଫେବୃଆରୀ 10 ଓ 11 ଶନିବାର ଓ ରବିବାର ଛୁଟି ରହିଛି । 13 ତାରିଖ ଚଳିତ ଅଧିବେଶନର ଶେଷ ଦିବସ ରହିଛି । ସେହିଦିନ ଫଟୋ ସେସନ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.