ETV Bharat / state

ଅବହେଳିତ ରାଉରକେଲା ସରକାରୀ ହସ୍ପିଟାଲ, ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର

author img

By ETV Bharat Odisha Team

Published : Jan 28, 2024, 1:20 PM IST

Various problem in Rourkela Government Hospital: ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ହସ୍ପିଟାଲ । ଡାକ୍ତର ଅଭାବରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ । ଅଧିକ ପଢନ୍ତୁ

Rourkela Government Hospital
Rourkela Government Hospital

Rourkela Government Hospital

ରାଉରକେଲା: ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ତଥା ମିନି ଇଣ୍ଡିଆର ସ୍ବାସ୍ଥ୍ୟବସ୍ଥା କେମିତି ଅଛି ? ଏଠାକାର ଲୋକେ ଠିକ ଭାବେ ସ୍ବାସ୍ଥ୍ୟସେବା ପାଉଛନ୍ତି ତ ? ରାଉରକେଲା ସରକାରୀ ହସ୍ପିଟାଲକୁ ଦେଖିଲେ ଏଭଳି ପ୍ରଶ୍ନ ମନରେ ଆସିବା ସ୍ବାଭାବିକ । କିନ୍ତୁ ରାଜ୍ୟ ସରକାରଙ୍କ ମନରେ ଏହାକୁ ନେଇ ଆଉ ଇଚ୍ଛା ଶକ୍ତି ନଥିବା ନେଇ ଜଣା ପଡୁଛି । ଗତ ୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ RGHକୁ ୪ ଶହ ବେଡ୍ ବିଶିଷ୍ଟ କରିବାକୁ ଘୋଷଣା କରିଥିଲେ । ମାତ୍ର ସେ ଘୋଷଣା ଏବେ ବି ଫାଇଲ ତଳେ ପଡି ରହିଛି । ତଳେ ଶୋଇ ଚିକିତ୍ସା ହେଉଛନ୍ତି ରୋଗୀ । ନା ସରକାର ନା ଜିଲ୍ଲା ପ୍ରଶାସନ କାହାରି ଏହା ପ୍ରତି ନିଘା ନାହିଁ ।

ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ହସ୍ପିଟାଲ । ଏଠାକାର ଆଉଟ ଡୋରରେ ପ୍ରତିଦିନ ଏକ ହଜାରରୁ ଅଧିକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି । ହେଲେ ଡାକ୍ତର ଅଭାବରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ । ଜେନେରାଲ ୱାର୍ଡ ଠାରୁ ଆରମ୍ଭ କରି ମାତୃ ଓ ଶିଶୁ ବିଭାଗ ସବୁଠାରେ ଏହି ବିକଳ ଚିତ୍ର । ତେବେ ରାଉରକେଲା ସରକାରୀ ହସ୍ପିଟାଲରେ ବହୁ ବର୍ଷ ଧରି ଏହିଭଳି ସମାନ ଚିତ୍ର ଦେଖିବାକୁ ମିଳିଛି । ଖରା, ବର୍ଷା ଶୀତ ସବୁବେଳେ ଏଭଳି ତଳେ ପଡି ରହି ଚିକିତ୍ସା ହେବାକୁ ବାଧ୍ୟ ହେଉଛନ୍ତି ରୋଗୀ । ଶହ ଶହ ରୋଗୀ ଏଭଳି ଭାବରେ ବେଡ ଅଭାବ ଯୋଗୁଁ ଭୋଗୁଛନ୍ତି ସମାନ ଅବସ୍ଥା । ବାରମ୍ବାର ରୋଗୀ ଅଭିଯୋଗ କଲେ ମଧ୍ୟ ସମାନ ଅବସ୍ଥା ।

ଏହା ମଧ୍ୟ ପଢନ୍ତୁ- କଣ୍ଟାମାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ନାହାନ୍ତି ଜଣେବି ବିଶେଷଜ୍ଞ ଡାକ୍ତର

ଗତ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ RGHକୁ ୪ ଶହ ବେଡ ବିଶିଷ୍ଟ ହସ୍ପିଟାଲ ମାନ୍ୟତା ପ୍ରଦାନ କରିଥିଲେ । ହେଲେ ଆଜି ବି ତାହା ଘୋଷଣାରେ ସୀମିତ । ଏହି ରାଉରକେଲା ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଇଡା, ଟେନସା, କାଲଟା, ରକ୍ସି, ଲହୁଣୀପଡା, ଗୁରୁଣ୍ଡିଆ, ଲାଠିକଟା, କୁଆରମୁଣ୍ଡା ସମେତ ରାଜଗାଙ୍ଗପୁର ଏବଂ ବିରମିତ୍ରପୁର, ସବଡେଗା, ସମେତ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡରୁ ମଧ୍ୟ ରୋଗୀ ପ୍ରତିଦିନ ଏଠାକୁ ଆସନ୍ତି । ହେଲେ ଆନୁସଙ୍ଗିକ ସୁବିଧା ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ରାଉରକେଲା ସରକାରୀ ହସ୍ପିଟାଲ ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏକା ସାଙ୍ଗେ ଆରମ୍ଭ ହୋଇଥିଲା । ତେବେ ଆଜି କ୍ୟାପିଟାଲ ହସ୍ପିଟାଲରେ ପିଜି ବିଭାଗ ଖୋଲିବା ସହ କେତେ ଅଗ୍ରଗତି କରିଛି । ସେ କ୍ରମରେ କିନ୍ତୁ RGH ହସ୍ପିଟାଲର କିଛି ଉନ୍ନତିକରଣ ହୋଇନି ।ଏଠି ଡାକ୍ତର ଅଭାବ ସାଙ୍ଗକୁ ଷ୍ଟାଫଙ୍କ ବି ଅଭାବ ରହିଛି । ଅନ୍ୟପଟେ ଶୀଘ୍ର ଏଠାରେ ଡାକ୍ତର ପଦବୀ ପୂରଣ ହେବ ବୋଲି କହିଛନ୍ତି RGHର ସୁପରିନଟେଣ୍ଡେଣ୍ଟ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.