ETV Bharat / state

ପୁରୀରେ ବିଦେଶୀ ପର୍ଯ୍ୟଟକ ଉଦ୍ଧାର ଘଟଣା, ଖୁବଶୀଘ୍ର ନିଜ ଦେଶକୁ ଫେରିବେ କହିଲେ ଏସପି

author img

By ETV Bharat Odisha Team

Published : Mar 5, 2024, 5:14 PM IST

Etv Bharat
Etv Bharat

Foreign Tourist Back To His Country: ପୁରୀରେ ନେଦରଲ୍ୟାଣ୍ଡର ପର୍ଯ୍ୟଟକଙ୍କୁ ଉଦ୍ଧାର ଘଟଣା । ପର୍ଯ୍ୟଟକଙ୍କୁ ତାଙ୍କ ଦେଶକୁ ଫେରାଇ ଦେବାକୁ ନେଇ ପ୍ରସ୍ତୁତି କରୁଛି ପୁରୀ ପ୍ରଶାସନ । ଅଧିକ ପଢନ୍ତୁ,

ପୁରୀରେ ବିଦେଶୀ ପର୍ଯ୍ୟଟକ ଉଦ୍ଧାର ଘଟଣା, ଖୁବଶୀଘ୍ର ନିଜ ଦେଶକୁ ଫେରିବେ କହିଲେ ଏସପି

ପୁରୀ: ପୁରୀରେ ନେଦରଲ୍ୟାଣ୍ଡର ପର୍ଯ୍ୟଟକଙ୍କୁ ଉଦ୍ଧାର ଘଟଣା । ଖୁବଶୀଘ୍ର ନିଜ ଦେଶକୁ ଫେରିବେ ପର୍ଯ୍ୟଟକ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ସୂଚନା ଅନୁସାରେ, ବିଦେଶୀ ପର୍ଯ୍ୟଟକ ଜଣକ ପୁରୀ ବୁଲିବାକୁ ଆସି ଲୁଟର ଶିକାର ହୋଇଥିଲେ । ପରେ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ତାଙ୍କୁ ଯତ୍ନ ନିଆଯାଉଛି । ସେ କିଭଳି ନିଜ ଦେଶ ନେଦରଲ୍ୟାଣ୍ଡକୁ ସୁରକ୍ଷିତ ଭାବେ ଫେରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରଯାଇଛି ।

ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସବୁ ବ୍ୟବସ୍ଥା ହୋଇଛି । ଖୁବଶୀଘ୍ର ତାଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯିବ। ନେଦରଲ୍ୟାଣ୍ଡ ଦୂତାବାସ ସହ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିବା ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇ ତାଙ୍କ ଦେଶକୁ ଖୁବଶୀଘ୍ର ପଠାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ଏଥିସହ ବିଦେଶୀ ପର୍ଯ୍ୟଟକଙ୍କୁ ଲୁଟ କରିଥିବା ଟ୍ୟାକ୍ସି ଡ୍ରାଇଭର କୁ ପୋଲିସ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି । ଟ୍ୟାକ୍ସିକୁ ପୋଲିସ ଜବତ କରିସାରିଛି । ତେବେ ଟ୍ୟାକ୍ସି ଡ୍ରାଇଭର ଫେରାର ଥିବାରୁ ତାକୁ ଧରିବା ପାଇଁ ଚଢାଉ ଜାରି ରହିଥିବା ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।



ସୂଚନା ଥାଉ କି, ଗତ ଡିସେମ୍ବର ମାସରେ ନେଦରଲ୍ୟାଣ୍ଡ ରୁ ଆନ୍ଥୋନି ଭ୍ୟାନ୍ ଆର୍କେଲ୍ ନାଗପୁର ରେ ଆସି ପହଞ୍ଚିଥିଲେ । ପରେ ଗତ ଜାନୁଆରୀ ୯ ତାରିଖରେ ପୁରୀ ଆସି ଏକ ହୋଟେଲରେ ରହିଥିଲେ। ପରଦିନ ଭିତରକନିକା ଅଭୟାରଣ୍ୟ ବୁଲିବା ପାଇଁ ଏକ କାର୍ ଭଡା କରି ବୁଲିବାକୁ ଯାଇଥିଲେ। ଚାନ୍ଦବାଲି ନିକଟରେ ଆନ୍ଥୋନିଙ୍କୁ ପରିସ୍ରା ଲାଗିବାରୁ ସେ ଗାଡ଼ିରୁ ଓହ୍ଲାଇବାର ସୁଯୋଗ ନେଇ ସମ୍ପୃକ୍ତ କାର୍ ଡ୍ରାଇଭର ତାଙ୍କର ୩ ଲକ୍ଷ ୫୦ ହଜାର ଟଙ୍କା ଚୋରି କରି ନେଇଥିଲେ। କେବଳ ସେତିକି ନୁହେଁ ଉକ୍ତ ଡ୍ରାଇଭର ଜଣକ ଆନ୍ଥୋନିଙ୍କୁ ଭୁବନେଶ୍ୱର ଏବଂ ପୁରୀରେ ଏକ ଘରେ ତାଲା ପକାଇ ରଖିଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି। ପରେ ଡ୍ରାଇଭର ଜଣକ ଆନ୍ଥୋନିଙ୍କୁ ବଳିଆପଣ୍ଡା ଅଞ୍ଚଳରେ ଛାଡ଼ି ଚମ୍ପଟ ମାରିଥିଲା ।

ତେବେ ଆନ୍ଥୋନି ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ କିଛି ସମାଜସେବୀ ତାଙ୍କୁ ଉଦ୍ଧାର କରି ଲୋକନାଥ ରୋଡ ନିଳାଦ୍ରୀ ନିଳୟ ସହରାଞ୍ଚଳ ଆଶ୍ରୟ ସ୍ଥଳୀରେ ନେଇ ରଖିଥିଲେ । ଗତ ଜାନୁଆରୀ ୨୫ ତାରିଖରୁ ଦୀର୍ଘ ଦିନ ହେବ ସେ ସେଠାରେ ପଡ଼ି ରହିଥିବା ବେଳେ ପୋଲିସ ଓ ଜିଲ୍ଲା ପ୍ରଶାସନ କେହି ବି ତାଙ୍କୁ ଉଦ୍ଧାର କରି ନଥିବା ସେ ଅଭିଯୋଗ କରିଛନ୍ତି । ପରେ କିଛି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଆନ୍ଥୋନିଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ପାନ୍ଥନିବାସରେ ରଖି ତାଙ୍କର ଯତ୍ନ ନିଆଯାଉଛି ।ସେପଟେ ଆନ୍ଥୋନିଙ୍କୁ ଲୁଟ୍ କରିଥିବା ଘଟଣା ଜଣାପଡିବା ପରେ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ତେବେ ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଫେରାର ଥିବା ବେଳେ ତାକୁ ଖୁବଶୀଘ୍ର ଧରାଯିବ ବୋଲି ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ, ଅସହାୟ ଅବସ୍ଥାରେ ଉଦ୍ଧାର କଲା ପ୍ରଶାସନ


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.