ETV Bharat / state

ରଥଖଳା ଚଳଚଞ୍ଚଳ, ତିନି ରଥର ତୁମ୍ୱରେ ହେଲା ବିନ୍ଧ ଅନୁକୂଳ - Rath Yatra Preparation

author img

By ETV Bharat Odisha Team

Published : May 16, 2024, 4:49 PM IST

Rath Yatra Preparation: ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିଛନ୍ତି । ପଢନ୍ତୁ ପୁରା ଖବର ।

Rath Yatra Preparation
Rath Yatra Preparation (ETV Bharat Odisha)

Rath Yatra Preparation (ETV Bharat Odisha)

ପୁରୀ: ରଥ ନିର୍ମାଣକୁ ନେଇ ରଥ ଖଳା ରହିଛି ଚଳଚଞ୍ଚଳ । ତିନି ରଥର ତୁମ୍ୱରେ ହେଲା ବିନ୍ଧ ଅନୁକୂଳ । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ରଥ ଖଳାରେ ୪୨ ତୁମ୍ବ ଗୋଲେଇ ସରିଛି। ଆଜିଠାରୁ ରଥ ଖଳାରେ ତୁମ୍ବରେ ସୂତା ବାଡ଼ିଆ ହେଉଛି। ଏଥିରେ ପାହି ମହାରଣା ଓ ସୁତାର ମହାରଣାଙ୍କ ପ୍ରମୁଖ ଭୂମିକା ରହିଛି । ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିଛନ୍ତି । ବିନ୍ଧ ଅନୁକୂଳ ପରେ ଅନ୍ୟାନ୍ୟ କାର୍ଯ୍ୟ ଆଗେଇବ। ଏହାପରେ ଭୋଈ ସେବକମାନେ ଜନ୍ତା ଗାଡରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ କରିବେ। ଆଗାମୀ ନୃସିଂହ ଚତୁର୍ଦ୍ଦଶୀରୁ ରୂପକାର ସେବକମାନେ କୋଣ ଗୁଜ ଖୋଦେଇ ଶୁଭାରମ୍ଭ କରିବେ। ତେବେ ରଥ ନିର୍ମାଣ କାର୍ଯ୍ୟ ଯେଉଁଭଳି ସୁରୁଖୁରୁରେ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଥ ଖଳା ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତିନି ରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ ତଥା ମଠା କାର୍ଯ୍ୟ ଶେଷ ହୋଇଛି।

ଏହାପରେ ତୁମ୍ବରେ ସୁତା ମରା ଓ ବିନ୍ଧ ଖୋଦେଇ ହୋଇଥଲା। କରତି ସେବକମାନେ ତୁମ୍ବର ଘେର କାଟି ତିନି ରଥ ବିଶ୍ଵକର୍ମାଙ୍କୁ ଯୋଗାଇବେ। ସୂତାବାଡ଼ିଆ ପରେ ତୁମ୍ବର ବଳକା ଅଂଶର ଠେକ ତୁଲିଆ କାର୍ଯ୍ୟ ହେବ। ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହୋଇଛି। ଏହାପରେ ବିନ୍ଧରେ ଅର ଖଞ୍ଜାଯିବ। ସେଥିରେ ପହି ଯୋଡ଼ାଯାଇ ଚକ ତିଆର ହେବ। ଗୋଟିଏ ତୁମ୍ଭରେ ୪ ଗୋଟି ପହି ଲାଗିବ। ଦୋଳବେଦୀ ସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ଓ ପନ୍ଦାରି ଆଦି ତିଆରୁଛନ୍ତି। ସେପଟେ ବଡ଼ଦାଣ୍ଡ ରଥ ଖଳା ଓ ଖପୁରିଆ କରତ କଳକୁ ମିଶାଇ ରଥ ନିର୍ମାଣ ପାଇଁ ମୋଟ ୫୫୬ କାଠ ପହଞ୍ଚିଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ।

ଏହା ମଧ୍ୟ ପଢନ୍ତୁ...ରଥଖଳା ହାଲଚାଲ: ଆଗେଇ ଚାଲିଛି ରଥ ନିର୍ମାଣ, ଶେଷ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ କାର୍ଯ୍ୟ - Ratha Khala Halchal

ବୁଧବାର ବଡ଼ଦାଣ୍ଡରେ ୨୨ ଟି କାଠ ପହଞ୍ଚିଛି। ନୟାଗଡ଼ ଡିଭିଜନ ମଇତରା ଅଞ୍ଚଳରୁ ଆସିଛି ଏହି କାଠ । ଏଥିରେ ୨୦ ଫୁଟିଆ ଅସନ ୪ଟି ଓ ୧୮ଟି ଧଉରା କାଠ ରହିଛି । ଏହାକୁ ମିଶାଇ ରଥଖଳାରେ ୨୬୦ଟି କାଠ ପହଞ୍ଚିଥିଲାବେଳେ କରତକଳରେ ୨୯୬ କାଠ ପହଞ୍ଚିଛି। ପ୍ରତି ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥାଏ। ୨୦୨୩ ରଥଯାତ୍ରାଠାରୁ ୫୩ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଚ୍ଛିତ ରହିଛି । ଏଣୁ ୨୦୨୪ ରଥଯାତ୍ରା ପାଇଁ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି।


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.