ETV Bharat / state

ପୁରୀରେ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଭୋଟ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

author img

By ETV Bharat Odisha Team

Published : Mar 18, 2024, 9:54 AM IST

Updated : Mar 18, 2024, 11:11 AM IST

Press Meet for General Election
Press Meet for General Election

Press Meet for General Election: ଚଳିତ ସାଧାରଣ ନିର୍ବାଚନ ପାଇଁ ପୁରୀ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ଏଥର ଜିଲ୍ଲାରେ ୧୪,୦୫,୬୫୪ ଜଣ ଭୋଟର ନିଜର ମତଦାନ କରିବେ । ଅଧିକ ପଢନ୍ତୁ

Press Meet for General Election

ପୁରୀ: ସାଧାରଣ ନିର୍ବାଚନ ପାଇଁ ଶନିବାର ବାଜିଛି ବିଗୁଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗତକାଲି(ରବିବାର) ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାର 6ଟି ବିଧାନସଭା ପାଇଁ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ଲୋକସଭା ଅଧିନରେ ଥିବା ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଇ ୨୫ ତାରିଖରେ ମତଦାନ ହେବ । ସେହିପରି ଜଗତସିଂହପୁର ଲୋକସଭା ନିର୍ବାଚନ ଅଧିନରେ ଥିବା ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ପୁରୀ ଜିଲ୍ଲାର ୧୫୯୮ ଗୋଟି ମତଦାନ କେନ୍ଦ୍ରରେ ମତଦାତାମାନେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।

ପୁରୀ ସର୍କିଟ ହାଉସଠାରେ ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣ ବିଧି ପାଳନ ଓ ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିବିଧ ସୂଚନା ପ୍ରଦାନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଥିବାରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ । ୧୧୭ ପୁରୀ ଲୋକସଭା ଓ ତତ୍ ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଅପ୍ରେଲ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ । ମଇ ୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୭ ତାରିଖ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ସେହିପରି ମଇ ୨୫ ତାରିଖରେ ମତଦାନ ଅନୁଷ୍ଠିତ ହେବ ।

ଅନ୍ୟପଟେ ଜଗତସିଂହପୁର ଲୋକସଭା ଅନ୍ତର୍ଗତ କାକଟପୁର ଓ ନିମାପଡା ବିଧାନସଭା ଆସନ ପାଇଁ ମଇ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ । ମଇ ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୧୫ ତାରିଖ ଯାଞ୍ଚ ଓ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଜୁନ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ ଓ ନିର୍ବାଚନ ପ୍ରକ୍ରିୟା ଜୁନ ୬ ତାରିଖରେ ସମାପନ ହେବ ବୋଲି ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

୧୭ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲାପାଳ ରହିଥିବା ବେଳେ,୧୦୫ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,୧୦୬ ନିମାପଡା ବିଧାନସଭା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,୧୦୭ ପୁରୀ ବିଧାନସଭା ପାଇଁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,୧୦୮ ବ୍ରହ୍ମଗିରି ବିଧାନସଭା ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି,୧୦୯ ସତ୍ୟବାଦୀ ବିଧାନସଭା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝି ନିର୍ବାଚନ ଅଧିକାରୀ ବା ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟ ସମ୍ପାଦନ କରିବେ ।

ଏହା ମଧ୍ୟ ପଢନ୍ତୁ-ମେ’ ୨୦ରେ କନ୍ଧମାଳରେ ମତଦାନ, ଖୋଲାଯିବ 75ଟି ସଖୀ ବୁଥ୍‌

ଜିଲ୍ଲାରେ ମୋଟ ୧୫୯୮ ଗୋଟି ମତଦାନ କେନ୍ଦ୍ର ମଧ୍ୟରୁ ୧୪୨୨ଟି ଗ୍ରାମାଞ୍ଚଳରେ ଓ ୧୭୬ଟି ସହରାଞ୍ଚଳରେ ରହିଛି । ମୋଟ ୧୪,୦୫,୬୫୪ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୨୨୦୯୬,ଥିବା ବେଳେ ୬୮୩୪୭୪ ମହିଳା ଭୋଟର ଓ ୮୪ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି । ନିର୍ବାଚନ ପାଇଁ ନିୟୋଜିତ ଥିବା ସମସ୍ତ ୧୧୫୬୨ ପ୍ରିଜାଇଡିଂ ଓ ପୁଲିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଆଦର୍ଶ ଆଚରଣ ବିଧିର ପାଳନ ଓ କଡାକଡି ତଦାରଖ ପାଇଁ ଉପଜିଲ୍ଲାପାଳଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି । ଅପରପକ୍ଷରେ ନିର୍ବାଚନ ସମ୍ପର୍କରେ କୌଣସି ଅଭିଯୋଗ ପାଇଁ ଅଭିଯୋଗ ପ୍ରକୋଷ୍ଠ ସହ କଣ୍ଟ୍ରୋଲ ରୁମ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଖୋଲା ଯାଇଛି । ଏହି କଣ୍ଟ୍ରୋଲ ରୁମର ନମ୍ବର ୧୯୫୦ ରହିଛି ।ସେହି ପରି ଆଇନ ଶୃଙ୍ଖଳା ରକ୍ଷା ସହ ନିର୍ବାଚନ ସମୟରେ ନିୟମିତ ଧରପଗଡ଼ ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ଏସପି ପିନାକ ମିଶ୍ର ସୂଚନା ଦେଇଥିଲେ ।

ଇଟିଭି ଭାରତ, ପୁରୀ

Last Updated :Mar 18, 2024, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.