ETV Bharat / state

ନିର୍ବାଚନ ପାଇଁ ମାଲକାନଗିରିରେ କଡା ସୁରକ୍ଷା ବ୍ୟବସ୍ଥା, ଫ୍ଲାଗ ମାର୍ଚ୍ଚ କଲା ପୋଲିସ - Police flag march

author img

By ETV Bharat Odisha Team

Published : Apr 21, 2024, 9:46 AM IST

Police flag march in Malkangiri: ୧୩ ତାରିଖରେ ଭୋଟ ଦେବ ମାଲକାନଗିରି । ବfଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କଲା ପୋଲିସ । ନିର୍ବାଚନ ବେଳେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସର ସଶସ୍ତ୍ର ଯବାନ । ଅଧିକ ପଢନ୍ତୁ

ମାଲକାନଗିରିରେ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ
ମାଲକାନଗିରିରେ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ମାଲକାନଗିରିରେ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ମାଲକାନଗିରି: ସାଧାରଣ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । କେନ୍ଦ୍ରୀୟ ଫୋର୍ସ ‘ବିଏସଏଫ’ର ଗୋଟିଏ କମ୍ପାନୀ, ଓଡ଼ିଶା ପୋଲିସର ଗୋଟିଏ କମ୍ପାନୀ ସହିତ ‘ଏସଓଜି’, ‘ଡିଭିଏଫ’ ବାହିନୀର ସଶସ୍ତ୍ର ଯବାନ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳାର ସହ ମାଲକାନଗିରି ସହର ସମେତ ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ନିର୍ବାଚନ ଶେଷ କରିବା ପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।

ମାଲକାନଗିରି ଏସପି ନିତେଶ ୱାଦବାନିଙ୍କ ନିର୍ଦ୍ଦେଶକ୍ରମେ ସହରର ଡି.ଏନ.କେ ଛକଠାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରାଯାଇ କଲେଜ ଛକ ହୋଇ ସିଡିଏମଓ ଅଫିସ ଛକରେ ପହଞ୍ଚିଥିଲା । ପରେ ପରେ ବାଲିମେଳା ଛକ ସହ ବସଷ୍ଟାଣ୍ଡ ଦେଇ ସହର ମଧ୍ୟରେ ଫ୍ଲାଗ ମାର୍ଚ୍ଚ କରିଥିଲା ପୋଲିସ । ଆସନ୍ତା ମାସ ୧୩ ତାରିଖରେ ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।

ଏହି ଅବସରରେ ମାଲକାନଗିରି ଏସଡିପିଓ ସଚିନ ପାଟିଲ, ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହିତ ଜିଲ୍ଲା ପୋଲିସ ଓ ବିଏସଏଫ ସୁରକ୍ଷା ବାହିନୀର ସଶସ୍ତ୍ର ଯବାନ ସାମିଲ ହୋଇଥିଲେ । ଗତ କିଛି ଦିନ ହେବ ଜିଲ୍ଲାର ମାଥିଲି, ଚିତ୍ରକୋଣ୍ଡା, ଓର୍କେଲ, କାଲିମେଳା, ମଟୁ ଅଞ୍ଚଳରେ ପୋଲିସ୍, ବିଏସ୍ଏଫ ଓ ଓଏସ୍ଏପି ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:- ବାହାଘର ସାରି ଫେରୁଥିଲେ, ବରଯାତ୍ରୀ ଗାଡିକୁ ଟ୍ରକ ଧକ୍କା ଦେବାରୁ 9 ମୃତ - road accident

ଆସନ୍ତା ମାସ (ମେ’) ୧୩ ତାରିଖରେ ମାଲକାନଗିରି ଜିଲ୍ଲାରେ ନିର୍ବାଚନ ହେବାକୁ ଥିବାବେଳେ (ଶୁକ୍ରବାର) (୧୯ ଏପ୍ରିଲ)ରେ ମାଲକାନଗିରି ସୀମାନ୍ତ ଛତିଶଗଡର ନକ୍ସଲ ପ୍ରବଣ ବସ୍ତରରେ ଲୋକସଭା ନିର୍ବାଚନ ଶେଷ ହୋଇଛି । ଦୁଇ ଦିନ ପୂର୍ବେ ଛତିଶଗଡର କାଙ୍କେର ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨୯ ମାଓବାଦୀ ନିହତ ହୋଇଥିଲେ । ବର୍ତ୍ତମାନ ଓଡ଼ିଶାରେ ଆଗାମୀ ୧୩ ତାରିଖରେ ନିର୍ବାଚନ ଥିବାବେଳେ ବସ୍ତର ଅଞ୍ଚଳର ମାଓବାଦୀମାନେ ମାଲକାନଗିରି ଜିଲା ମଧ୍ୟକୁ ପ୍ରବେଶ କରିବା ସନ୍ଦେହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳଗୁଡିକୁ ସିଲ୍ କରି ଯାତାୟତ କରୁଥିବା ଗାଡିଗୁଡିକୁ ନିୟମିତ ଯାଞ୍ଚ କରାଯାଉଛି । ଚିତ୍ରକୋଣ୍ଡା, ମୁଦୁଲିପଡା, ମାଥିଲି, ମହୁପଦର ଥାନା ଅଞ୍ଚଳ ଜଙ୍ଗଲରେ କମ୍ବିଂ ଅପରେସନକୁ ମଧ୍ୟ ଯୋରଦାର କରାଯାଉଥିବା ମାଲକାନଗିରି ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.