ETV Bharat / state

ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା; କାଲି ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ ! - Cyclone Remal

author img

By ETV Bharat Odisha Team

Published : May 25, 2024, 8:55 AM IST

Cyclone Remal Updates: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଆଜି ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇ କାଲି ଭୀଷଣ ବାତ୍ୟା ରୂପେ ଲ୍ୟାଣ୍ଡଫଲ କରିବ । ଅଧିକ ପଢନ୍ତୁ

ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା; କାଲି ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ !
ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା; କାଲି ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ ! (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଏକ ବାତ୍ୟାର ରୂପ ନେବ । ଆସନ୍ତାକାଲି (ରବିବାର) ସକାଳ ମଧ୍ୟରେ ଏହା ଉତ୍ତରପୂର୍ବ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଏହାପରେ କାଲି ମଧ୍ୟରାତ୍ରି ସୁଦ୍ଧା ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ କରିବ । ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ହେଲେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପବନ ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ଆକଳନ କରିଛି ଯେ, ବାତ୍ୟା ରେମାଲ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ପବନର ବେଗ ୧୩୦ କିମି ଛୁଇଁପାରେ । ଓଡ଼ିଶା ଉପରେ ଏହାର ଏତେଟା ପ୍ରଭାବ ପଡିବ ନାହିଁ ବୋଲି ଆଇଏମଡି ସୂଚନା ଦେଇଥିବା ବେଳେ ଉତ୍ତର ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆଜି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

ଏହା ମଧ୍ୟ ପଢନ୍ତୁ: କେଉଁ ରାଜ୍ୟକୁ କେବେ ଛୁଇଁବ ମୌସୁମୀ, ତାଲିକାରେ ଦେଖନ୍ତୁ ନିଜ ରାଜ୍ୟ - When Will Monsoon Knock Your State

୨୬ ତାରିଖ ବା ଆସନ୍ତକାଲି (ରବିବାର) ସକାଳୁ ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିସନରଙ୍କ (ଏସଆରସି) ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.