ETV Bharat / politics

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ହୋମ ଭୋଟିଂ ଆରମ୍ଭ ,୨୬ ଯାଏ ଚାଲିବ ମତଦାନ - home voting in Kendrapara

author img

By ETV Bharat Odisha Team

Published : May 25, 2024, 9:23 AM IST

Home voting in Kendrapara: କେନ୍ଦ୍ରାପଡାରେ ଆରମ୍ଭ ହେଲା ହୋମ ଭୋଟିଂ । ଜିଲ୍ଲାରେ ପ୍ରଥମ ଦିନରେ ୨୧୬ ଜଣ ଭୋଟର ମତଦାନ କରିଥିବା ସୂଚନା । ଅଧିକ ପଢନ୍ତୁ

Home voting in Kendrapara
Home voting in Kendrapara (ETV Bharat Odisha)

କେନ୍ଦ୍ରାପଡା: ଜିଲ୍ଲାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ହୋମ୍ ଭୋଟିଂ । ନିର୍ବାଚନୀ ଗାଇଡ଼ ଲାଇନ ଅନୁସାରେ ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା ସହ ପ୍ରଥମ ଦିନରେ ୨୧୬ ଜଣ ଭୋଟର୍ ମତଦାନ କରିଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ହୋମ ଭୋଟିଂ ବ୍ୟବସ୍ଥାରେ ମତଦାନ କରୁଛନ୍ତି ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ।ରାଜ୍ୟର ଚତୁର୍ଥ ତଥା ଦେଶର ସପ୍ତମ ଏବଂ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଭୋଟ ଗ୍ରହଣ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

Home voting in Kendrapara (ETV Bharat Odisha)

ନିର୍ବାଚନୀ ବ୍ୟବସ୍ଥା ଅନୁଯାୟୀ ପୂର୍ବରୁ ସଠିକ୍ ଭାବେ ଫର୍ମ ପୂରଣ କରି ହୋମ୍ ଭୋଟିଂ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ୮୫ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥିବା ଭୋଟରମାନେ ଏହି ହୋମ ଭୋଟିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରର ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ବର୍ଗରେ ମୋଟ ୨୩୪ ଜଣ ଓ ୮୫ ବର୍ଷରୁ ଅଧିକ ବୟସ୍କ ବର୍ଗରେ ୭୯୩ ଜଣ ଭୋଟ୍ ଦେବେ ବୋଲି ଫର୍ମ ପୂରଣ କରିଥିବା ବେଳେ ଏହି ମତଦାନ ଗ୍ରହଣ କରାଯାଇଛି ।

ହୋମ୍ ଭୋଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ, ତ୍ରୁଟିହୀନ ଓ ନିରପେକ୍ଷ ଭାବେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ବିଭାଗ ପକ୍ଷରୁ ମୋଟ୍ ୨୧ଟି ଟିମ ଗଠନ କରାଯାଇଛି ଯେଉଁଥିରେ ମୋଟ ୭୩୧ ଜଣ ପୋଲିଂ ଏଜେଣ୍ଟ ନିଯୁକ୍ତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡା ନିର୍ବାଚନ; ପ୍ରସ୍ତୁତି ଶେଷ, ମଇଦାନରେ 50 ପ୍ରାର୍ଥୀ - Kendrapara Collector Review Meeting

ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ତେଣୁ ନିର୍ବାଚନର ମହାପର୍ବରେ ସମସ୍ତ ଭୋଟର୍‌ଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଭାରତର ନିର୍ବାଚନ ଆୟୋଗ ଏହି ସୁବିଧା ଆଣିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଶତ ପ୍ରତିଶତ ହୋମ୍ ଭୋଟିଂ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ନିବେଦନ କରିଛନ୍ତି । ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା କରି ଭୋଟଗ୍ରହଣ କରିବାକୁ ଜିଲ୍ଲାପାଳ ପୋଲିଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିଂ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଏହି ପ୍ରକ୍ରିୟା ୨୬ ତାରିଖ ରବିବାର ପର୍ଯ୍ୟନ୍ତ ଚାଲିବ ।

କେନ୍ଦ୍ରାପଡା ଜିଲ୍ଲାର ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଡେରାବିଶର ସୁଦର୍ଶନ ଉଚ୍ଚ ବିଦ୍ୟାଳୟ, ଇଚ୍ଛାପୁରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହେଉଥିବା ପ୍ରଶିକ୍ଷଣ ସମୟରେ ୬୯୨୪ ଜଣ ପୋଲିଂ ପର୍ସୋନେଲ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବେ ବୋଲି ଆବେଦନ କରିଥିଲେ । ଶୁକ୍ରବାର ପ୍ରଥମ ଦିନରେ ୨୧୬ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.