ETV Bharat / state

ହୋଟେଲରେ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଲୁଟତରାଜ ଓ ଗୁଳିକାଣ୍ଡ, ୨ ଆହତ - Balangir Crime

author img

By ETV Bharat Odisha Team

Published : Apr 29, 2024, 7:59 AM IST

Balangir Crime
Balangir Crime

Balangir Crime: ବଲାଙ୍ଗୀର ଜିଲ୍ଲା ଖୋର୍ଦ୍ଧା ରାଜପଥ କଡରେ ଏକ ହୋଟେଲରେ ଗୁଳିକାଣ୍ଡ ଓ ଲୁଟ । ୨ ଆହତ । ପୋଲିସର ତଦନ୍ତ ଜାରି ।

Balangir Crime

ବଲାଙ୍ଗୀର: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତଙ୍କ ଲୁଟତରାଜ ଓ ଗୁଳିମାଡ । ବଲାଙ୍ଗୀର ଜିଲ୍ଲା ଡୁମେରମୁଣ୍ଡା ଗାଁ ଖୋର୍ଦ୍ଧା ଜାତୀୟ ରାଜପଥ କଡରେ ଥିବା ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ରଚିଛନ୍ତି । ହୋଟେଲରେ ପଶି ଗୁଳିକାଣ୍ଡ କରିବା ଲୁଟତରାଜ କରି ଚମ୍ପଟ ମାରିଲେ ୧୫ ରୁ ଉର୍ଦ୍ଧ୍ୱ ମୁଖାପିନ୍ଧା ଦୁର୍ବୃତ୍ତ । ସେପଟେ ନିର୍ବାଚନ ସମୟରେ ଚେକିଂ କଡାକଡି ଥିବା ସମୟରେ ଏଭଳି ଦିନ ଦ୍ୱିପହରେ ଲୁଟ ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଡୁମେରମୁଣ୍ଡା ଗାଁରେ ଖୋର୍ଦ୍ଧା ରାଜପଥ କଡରେ ଶ୍ରୀରାମ ରଣାଙ୍କର ଏକ ହୋଟେଲ ରହିଛି । ନିତିଦିନ ଭଳି ରବିବାର ଦିନ ମଧ୍ୟ ହୋଟେଲ କାର୍ଯ୍ୟ ଜାରି ରହିଥିଲା । ଏହି ସମୟରେ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ହୋଟେଲ ମଧ୍ୟରେ ପଶି ଆତଙ୍କରାଜ ଚଳାଇଥିଲେ । ପ୍ରଥମେ ବନ୍ଧୁକରୁ ୨ ରାଉଣ୍ଡ ଗୁଳି ଫୁଟାଇ ସମସ୍ତଙ୍କୁ ପ୍ରବଳ ମାଡ ମାରିଥିଲେ । ହୋଟେଲରେ ଥିବା ସବୁ ସାମଗ୍ରୀ ଓ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏହାପରେ ସେମାନେ ଧରିଥିବା ବିଭିନ୍ନ ମାରଣାସ୍ତ୍ରରେ ହୋଟେଲ ମାଲିକ ଶ୍ରୀରାମ ରଣା ଓ ତାଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବ୍ୟାପକ ଭଙ୍ଗାରୁଜା ଓ ମାରପିଟ ପରେ ସେଠାରୁ ୩୦ହଜାର ଟଙ୍କା ନେଇ ଫେରାର ମାରିଥିଲେ ମୁଖାପିନ୍ଧା ଦୁର୍ବୃତ୍ତମାନେ ।

ଏହାମଧ୍ୟ ପଢନ୍ତୁ.. ପଣ୍ଡ ହେଲା ଲୁଟ୍ ଉଦ୍ୟମ, ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଖସିଗଲେ ଦୁର୍ବୃତ୍ତ - Firing By Miscreants

ଏହି ଆକ୍ରମଣରେ ହୋଟେଲ ମାଲିକ ଶ୍ରୀରାମ ରଣା ଓ ତାଙ୍କ ବାପା ଗୁରୁତର ଆହତ ହୋଇଥିଲେ । ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଶ୍ରୀରାମଙ୍କ ବାପାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତେବେ ଲୁଟ ପଛରେ ନିର୍ବାଚନୀ ହିଂସା ନା ଅନ୍ୟ କେଉଁ କାରଣ ରହିଛି ତାହା ଏବେସୁଦ୍ଧା ଜଣାପଡିନାହିଁ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ବନ୍ଧୁକ ଗୁଳି ଓ ଖୋକା ଜବତ କରିଛି । ତେବେ ଅଧିକ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି । ନିର୍ବାଚନ ସମୟରେ ସବୁଠି ସୁରକ୍ଷାବ୍ୟବସ୍ଥା କଡାକଡି ଥିବା ବେଳେ ରାଜପଥ କଡରେ ଏଭଳି ଦିବାଲୋକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ପୋଲିସକୁ ଚ୍ୟାଲେଞ୍ଜ ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.