ETV Bharat / state

ବଲାଙ୍ଗୀରରେ ଗରିବୀର କରୁଣ ଚିତ୍ର, ଚାଉଳ ପାଇଁ ୧୫କିମି ଚାଲିଲେ ଭିନ୍ନକ୍ଷମ ପରିବାର

author img

By ETV Bharat Odisha Team

Published : Feb 26, 2024, 10:50 PM IST

Updated : Feb 27, 2024, 10:08 PM IST

Handicapped Family walks 15 km
Handicapped Family walks 15 km

Handicapped Family walks 15 km: ବଲାଙ୍ଗୀରରେ ଗରିବୀର କରୁଣ ଚିତ୍ର । ଚାଉଳ ମୁଠାଏ ପାଇଁ ୧୫ କିମି ଚାଲିଲେ ଭିନ୍ନକ୍ଷମ ପରିବାର । ଅନ୍ଧ ବୃଦ୍ଧ ବାପା ନିଜ ଭିନ୍ନକ୍ଷମ ପୁଅକୁ ନେଇ ୧୫ କିମି ଚାଲି ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଆସିଲେ । ପ୍ରଶାସନ କହିଲା ସବୁ ସାହାଯ୍ୟ ଯୋଗାଇ ଦେବ । ଅଧିକ ପଢ଼ନ୍ତୁ

Handicapped Family walks 15 km

ବଲାଙ୍ଗୀର: ବଲାଙ୍ଗୀର ଭାରତରେ ଏକ ଗରିବ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଥିବା ବେଳେ ଏବେ ଏଠିକାର ଏକ ଅଭାବନୀୟ ଚିତ୍ର ପୁଣି ସମ୍ନାକୁ ଆସିଛି । ଗରିବୀର ଏକ କରୁଣ ଚିତ୍ର, ଯାହା ସମସ୍ତଙ୍କୁ ବିଚଳିତ କରିବ । ଏକ ଭିନ୍ନକ୍ଷମ ପରିବାର କେବଳ ଚାଉଳ ପାଇଁ ୧୫ କିମି ଟାଣ ଖରାରେ ଚାଲି ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଆସିବା ଭଳି ଅଭାବନୀୟ ଘଟଣା ଘଟିଛି । ଯାହା ସବୁ ସରକାରୀ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏଭଳି ଅଭାବନୀୟ ଚିତ୍ର ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମଭଟା ପଞ୍ଚାୟତରୁ ଆସିଛି ।

ଏହି ପଞ୍ଚାୟତର ଗରିବ ଭିନ୍ନକ୍ଷମ ପରିବାର ଚାଉଳ ମୁଠାଏ ପାଇଁ ନିଜ ଗାଁ ହଟକଟରୁ ବେଲପଡା ବ୍ଲକ କାର୍ଯ୍ୟାଳୟକୁ ଦୀର୍ଘ ୧୫ କିମି ଚାଲି ଆସିବା ସମସ୍ତଙ୍କୁ ବିଚଳିତ କରିଛି । ଏହି ଗ୍ରାମର ସେବାର ଖମାରି ଅନ୍ଧ ହୋଇଥିବା ବେଳେ ତାଙ୍କ ପୁଅଙ୍କର ଏକ ଦୁର୍ଘଟଣାରେ ଗୋଡ ଅକାମୀ ହୋଇ ସେ ମଧ୍ୟ ଭିନ୍ନକ୍ଷମ ପାଲଟିଛନ୍ତି । ସେପଟେ ତାଙ୍କର ୪ଟି ନାତି ଥିବା ବେଳେ ଦୁଇ ନାତି ଆଶ୍ରମରେ ରହୁଛନ୍ତି । ସେହିପରି ତାଙ୍କର ବୋହୁ ଓ ଜଣେ ନାତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଏପଟେ ଘରେ ଏକା ଅନ୍ଧ ବାପା ଭିନ୍ନକ୍ଷମ ପୁଅ ଓ ଛୋଟ ନାତିକୁ ଧରି ରହିଛନ୍ତି । ତେବେ କିଛିମାସ ହେବ ତାଙ୍କ ରାସନ କାର୍ଡରେ ସେମାନଙ୍କ ପରିବାରର ୪ ଜଣଙ୍କ ନାଁ ବାଦ ପଡିଛି । ଫଳରେ ମାସକୁ ୧୫ କେଜି ଚାଉଳ ସେମାନେ ପାଉଥିବା ବେଳେ ପେଟ ପାଟଣା ପାଇଁ ଅନ୍ଧ ଅଜା ଓ ନାତି ଭିକ୍ଷାବୃତ୍ତି କରନ୍ତି । ତେବେ ଚାଉଳ ପାଇଁ ସେମାନେ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଯାଇ ନିରାଶ ହେବା ପରେ ବ୍ଲକ କାର୍ଯ୍ୟାଳୟରେ ଥିବା ବିଡିଓଙ୍କୁ ଗୁହାରୀ କରିବାକୁ ଆଜି ବାହାରିଥିଲେ ।

ପାଖରେ ଟଙ୍କା ପଇସା ନଥିବାରୁ ଅନ୍ଧ ବାପା ନିଜେ ପୁଅକୁ ତିନି ଚକିଆ ସାଇକେଲରେ ବସାଇ ଛୋଟ ନାତୀକୁ ବ୍ଲକ ରାସ୍ତା ଦେଖାଇବା ପାଇଁ ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ବାହାରି ଥିଲେ । ତେବେ ସେମାନେ ୧୦ କିମି ଟାଣ ଖରାରରେ ଅସହାୟ ହୋଇ ଚାଲି ଚାଲି ଆସୁଥିବା ବେଳେ କିଛି ସ୍ବେଚ୍ଛାସେବୀ ତାଙ୍କୁ ଦେଖିଥିଲେ । ତାଙ୍କ ଦୁଃଖଦ କାହାଣୀ ଶୁଣି ପ୍ରଶାସନକୁ ସୂଚିତ କରିଥିଲେ । ହେଲେ ପ୍ରସାଶନ ନଶୁଣିବାରୁ ସେମାନେ ନିଜେ ମୋଟର ସାଇକେଲରେ ନେଇ ବ୍ଲକ କାର୍ଯ୍ୟାଳୟ ପହଞ୍ଚିଥିଲେ ଏବଂ ବେଲପଡା ବିଡିଓଙ୍କୁ ଜଣାଇଥିଲେ । ସେପଟେ ବିଡିଓ ଏହି ଅଭାବନୀୟ ଘଟଣା ଜାଣିବା ପରେ ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରୁନି ରେଙ୍ଗାଲି ବିସ୍ଥାପିତଙ୍କ ଦୁଃଖ: 44 ବର୍ଷ ପରେବି ମିଳୁନି ସ୍ଥାୟୀ ଜମିପଟ୍ଟା, ତେଜୁଛି ଅସନ୍ତୋଷ

ତେବେ ଅନ୍ଧ ବୃଦ୍ଧବାପା ସେବାର ଖମାରି କହିଛନ୍ତି, "ମୁଁ ଜଣେ ଗରିବ ଓ ୪ ବର୍ଷ ବୟସରୁ ଅନ୍ଧ । ମୋର ଗୋଟିଏ ପୁଅ, ତାର ମଧ୍ୟ ଦୁଇ ଗୋଡ଼ ଅକାମୀ ହୋଇଛି । ମୋର ୪ଟି ନାତି, ଦୁଇ ନାତି ଆଶ୍ରମରେ ଓ ବୋହୁ ଏବଂ ଆଉ ଗୋଟିଏ ନାତି ଦାଦନ ଖଟିବାକୁ ଯାଇଛନ୍ତି । ଘରେ ଏବେ ଆମେ ତିନି ଜଣ ଥିବାବେଳେ କିଛି ମାସ ହେବ ଚାଉଳ ମିଳୁନି । ଏଥିପାଇଁ ଆମେ ବ୍ଲକ କାର୍ଯ୍ୟାଳୟକୁ ବିଡିଓଙ୍କୁ ଗୁହାରି କରିବାକୁ ଆସିଥିଲୁ । ପାଖରେ ଟଙ୍କା ପଇସା ନଥିବାରୁ ଚାଲି ଚାଲି ଆସୁଥିଲୁ ।" ସେପଟେ ଏମାନଙ୍କୁ ଏଭଳି ଅବସ୍ଥାରେ ଦେଖି ସାହାଯ୍ୟର ହାତ ବଢାଇଥିବା ସ୍ବେଚ୍ଛାସେବୀ ସିପୁନ ଖମାରି କହିଛନ୍ତି, "ଗରିବ ଜିଲ୍ଲା ତଥା ଦାଦନ ଗଡ ବଲାଙ୍ଗୀରରେ ଏଭଳି ଚିତ୍ର ସମ୍ନାକୁ ଆସିବା ଅତି ଚିନ୍ତାଜନକ । ସରକାରୀ ଯୋଜନା କେମିତି ଏଠାରେ ଅପହଞ୍ଚ, ତାହା ଏଥିରୁ ସ୍ପଷ୍ଟ । ଚାଉଳ ମୁଠାଏ ପାଇଁ ଏଭଳି ଭିନ୍ନକ୍ଷମ ପରିବାର ଏତେ ଟାଣ ଖରାରେ ଚାଲି ଚାଲି ଆସିବା ସବୁ ବ୍ୟବସ୍ଥାର ଅସଫଳତାକୁ ପଦାରେ ପକାଇଛି ।" ତେବେ ଆଗକୁ ଏମାନଙ୍କୁ ସରକାରୀ ସାହାଯ୍ୟ ନମିଳିଲେ ଏମାନେ ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି ।

ସେପଟେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଅନ୍‌ଲାଇନ୍‌ ସମସ୍ୟା ଯୋଗୁଁ ଏହି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବିଡିଓ ରାଜେଶ କୁମାର ମେହେର କହିଛନ୍ତି । ବର୍ତ୍ତମାନ ତାଙ୍କୁ ଚାଉଳ ଯୋଗାଇ ଦିଆଯିବ ଓ ଆଗକୁ ସବୁ ପ୍ରକାର ସରକାରୀ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Feb 27, 2024, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.