ETV Bharat / state

ଜନବିରୋଧି ପ୍ରଦୀପଙ୍କୁ କୋଳେଇ ଅସଲ ଚେହେରା ଦେଖାଇଛି ବିଜେପି : ବିଜେଡି

author img

By ETV Bharat Odisha Team

Published : Feb 21, 2024, 10:37 PM IST

Updated : Feb 21, 2024, 10:57 PM IST

Bjd
Bjd

BJD on Gopalpur MLA Pradeep Panigrahi: ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଜଣେ ଜନ ବିରୋଧୀ ନେତା । ଯିଏ ନିଜ ଭାବି ଜ୍ବାଇଁ ଓ ସମୁଦିଙ୍କ ସହ ମିଶି ଷଡଯନ୍ତ୍ର କରିଥିଲେ । ଚାକିରୀ ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକଙ୍କୁ ଠକି ଟଙ୍କା ଲୁଟ କରିଥିଲେ । ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇ ଅସଲ ଚେହେରା ଦେଖାଇଛି ବୋଲି କହିଛି ବିଜେଡି । ଅଧିକ ପଢନ୍ତୁ

ଭୁବନେଶ୍ବର: ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଜଣେ ଜନ ବିରୋଧୀ ନେତା । ଯିଏ ନିଜ ଜ୍ବାଇଁ ଆକାଶ ପାଠକ ଏବଂ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ସହ ମିଶି ଷଡଯନ୍ତ୍ର କରିଥିଲେ । ଚାକିରୀ ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ । ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇଛି । ବିଜେପି ତାହାର ଅସଲ ଚେହେରା ଦେଖାଇଛି । ଏହା କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ, ଭାବୀ ଜ୍ବାଇଁକୁ ଟାଟା ମୋଟର୍ସର ଏମଡି ଦର୍ଶାଇ ନିଜ ନିର୍ବାଚନ ମଣ୍ଡଳୀର ବେକାର ଗରିବ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଠକିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଠକେଇ ମାମଲା ଧରା ପଡିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅ ଗିରଫ ହୋଇଥିଲେ । ମାସ ମାସ ଧରି ଜେଲରେ ଥିଲେ । ଲୋକଙ୍କଠାରୁ ଠକି ଯେଉଁ ବିପୁଳ ଟଙ୍କା ଠୁଳ କରିଥିଲେ ସେଥିରେ ଚାଟାର୍ଡ ଫ୍ଲାଇଟ ବୁକିଂ କରି ଭାରତ ସାରା ବୁଲୁଥିଲେ । ବଡ ବଡ ହୋଟେଲରେ ରାତି କାଟୁଥିଲେ । କୋଭିଡ ସମୟରେ ଏହା ସବୁ ଘଟୁଥିଲା । ମହାମାରୀ ଯେତେବେଳେ ଏକ ବଡ ବିପଦ ହୋଇ ସଭିଙ୍କ ସାମ୍ନାରେ ଠିଆ ହୋଇଥିଲା ସେତେବେଳେ ପ୍ରଦୀପ ମଉଜ କରୁଥିଲେ ।

ଅଧିକ ପଢନ୍ତୁ- ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

କୋଭିଡ ସମୟରେ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଫେରୁଥିଲେ । ଲୋକଙ୍କୁ କିଭଳି ସୁରକ୍ଷିତ ଓ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ, ସେନେଇ ଜନ ପ୍ରତିନିଧି ଓ ପ୍ରଶାସନ ତତ୍ପରତା ଦେଖାଉଥିଲେ । ଠିକ ସେହି ସମୟରେ ଲୋକଙ୍କୁ ଠକେଇ ଟଙ୍କାରେ ମଉଜ କରୁଥିଲେ ପ୍ରଦୀପ । ଠକେଇ ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ପ୍ରଦୀପଙ୍କ ନାଁରେ ଏକାଧିକ ମାମଲା ରହିଛି । ଭୁବନେଶ୍ବର ସ୍ପେଶାଲ ଭିଜିଲାନ୍ସ କୋର୍ଟ ତାଙ୍କ ବିରୁଦ୍ଧରେ କିଛିଦିନ ପୂର୍ବରୁ ଚାର୍ଜଫ୍ରେମ ମଧ୍ୟ କରିସାରିଛନ୍ତି । ପ୍ରଦୀପଙ୍କ ଏଭଳି ଜନବିରୋଧୀ କାର୍ଯ୍ୟକଳାପକୁ ନେଇ କଠୋର ଏବଂ କଡା ଆଭିମୁଖ୍ୟ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଆପଣାଇ ଏଭଳି ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ।

ପ୍ରଦୀପ ପାଣିଗ୍ରାହୀଙ୍କ ସମୁଦି ତଥା ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ପାଖରୁ ବିପୁଳ ସଂପତି ମିଳିଥିଲା । ଏହା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ । ଅଭୟ ପାଠକଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଦେଖିବା ପରେ କେନ୍ଦ୍ର ସରକାର ଏନେଇ ସମ୍ମତି ପ୍ରଦାନ କରିଥିଲେ । ସର୍ବଭାରତୀୟ ସେବାର ଜଣେ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପାଣିଗ୍ରାହୀଙ୍କୁ ଏହି ମାମଲାରେ ଠକ ଏବଂ ଲୋକଙ୍କ ପଇସା ଲୁଟିଥିବା ଜଣେ ଲମ୍ଫଟ ବୋଲି କହିଥିଲେ । ଯାହାକୁ ଗାଳି କରୁଥିଲେ, ଆଜି ତାକୁ କୋଳେଇ ନେଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର ଥିଲା ବୋଲି ଏକ କଥା ଆମେ ଶୁଣିବାକୁ ପାଉଛୁ । ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମା ଜାଣିବା ପରେ ପ୍ରତିରକ୍ଷା ମନ୍ତ୍ରୀ କୁଆଡେ ସଫା ସଫା ମନା କରିଦେଲେ । ତେଣୁ ତରବରିଆ ଭାବେ ଏହି ମିଶ୍ରଣ ପର୍ବର ଆୟୋଜନ ଓଡିଶା ବିଜେପି କାର୍ଯ୍ୟାଳୟରେ କରାଗଲା । ଯେଉଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପଙ୍କୁ କୋଳେଇ ନେବାକୁ ବ୍ୟଗ୍ର ଥିଲେ, ସେ ବି ଏହି ମିଶ୍ରଣ ପର୍ବରୁ ଦୂରେଇ ରହିଲେ, ଏହା ଆଶ୍ଚର୍ଯ୍ୟର କରୁଛି ।

ପ୍ରଦୀପ ବିଜେପିରେ ସାମିଲ ହେବା ପରେ, ଓଡିଶା ବିଜେପିର ସାଂଗଠନିକ କ୍ଷେତ୍ରରେ ଦୟନୀୟ ଚିତ୍ର ଧୀରେ ଧୀରେ ଜଣାପଡୁଛି । ଓଡିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ତେଣୁ ପ୍ରଦୀପ ପାଣିଗ୍ରାହୀ ଭଳି ତଡାଖିଆ ଏବଂ ଜନବିରୋଧୀ ନେତା ହିଁ ସେମାନଙ୍କ ପାଇଁ ବନ୍ୟା ବେଳେ କୁଟା ଖିଅର ଭରସା ହୋଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିଥିବା ଓ ଧୋକା ଦେଇଥିବା ନେତାଙ୍କୁ ଓଡିଶା ବିଜେପି ଆଜି କୋଳେଇ ନେଇଛି । ବିଜେପିର ଏଭଳି ଅସାଧୁ ବୁଝାମଣାକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଗକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 21, 2024, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.